ଜଳୁଛି ବିଶ୍ବପ୍ରସିଦ୍ଧ ଶିମିଳିପାଳ: ବିପଦରେ ବନ୍ୟଜନ୍ତୁ, ଗାଁକୁ ପଶିଲାଣି ନିଆଁ

ଶିମିଳିପାଳ ନିଆଁ

କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର, କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବାରିପଦା: ଜଳୁଛି ବିଶ୍ବପ୍ରସିଦ୍ଧ ଶିମିଳିପାଳ। ଏସିଆର ଦ୍ବିତୀୟ ବୃହତ୍ତମ ଜୈବମଣ୍ଡଳ ତଥା ହାତୀ ଓ ବାଘଙ୍କ ପାଇଁ ବିଶ୍ବରେ ପ୍ରସିଦ୍ଧି ହାସଲ କରିଥିବା ଶିମିଳିପାଳ ଆଜି ବିପଦରେ। ଶିକାରୀ ଓ ତସ୍କରମାନଙ୍କ ପାଇଁ ଦୁର୍ନାମ ସାଉଁଟୁଥିବା ଶିମିଳିପାଳ ଏବେ ନିଆଁ କବଳରେ। ଏକ ସପ୍ତାହ ଧରି ଜିଲ୍ଲାର ଅଧିକାଂଶ ବନାଞ୍ଚଳ ବନାଗ୍ନିର ଆୟତ୍ତରେ ରହିଛି। ଅଥଚ ନିଆଁକୁ ଆୟତ୍ତ କରିବାରେ ବନବିଭାଗ ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏକପ୍ରକାର ଅସହାୟ। ପ୍ରଥମେ ବେତନଟୀ, ରାସଗୋବିନ୍ଦପୁର, ମୋରଡ଼ା, ଉଦଳା ଭଳି ବନାଞ୍ଚଳରେ ଲାଗିଥିବା ଏହି ନିଆଁ ଏବେ ଶିମିଳିପାଳର କୋର୍ ଅଞ୍ଚଳକୁ ମଧ୍ୟ ବ୍ୟାପିଲାଣି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବନାଗ୍ନି ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ରାଜବଂଶର ଦାୟାଦ ତଥା ଯୁବଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ଗତକାଲି ଏନେଇ ଟୁଇଟ୍‌ ଜରିଆରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଟୁଇଟ୍‌ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବନାଗ୍ନି ବ୍ୟାପିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଏଭଳି ସମ୍ବେଦନଶୀଳ ଘଟଣାରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଶ୍ରୀ ପ୍ରଧାନ। ଇତିମଧ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏସଂପର୍କରେ ତାଙ୍କୁ ରିପୋର୍ଟ ଦେବା ଲାଗି ଜାଭଡେକର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ନିଆଁ କାରଣରୁ ଶିମିଳିପାଳରେ ରହୁଥିବା ବାଘ, ହାତୀ ସମେତ ଅନ୍ୟାନ୍ୟ ବିରଳ ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଶିମିଳିପାଳ ଓ ଅନ୍ୟାନ୍ୟ ବନାଞ୍ଚଳରେ ଥିବା ସବୁଜିମା ଏବଂ ଦୁର୍ଲଭ ବନଜାତ ସାମଗ୍ରୀକୁ ନେଇ ମଧ୍ୟ ବିପଦ ଦେଖାଦେଇଛି। ମୟୂରଭଞ୍ଜରେ ଅଧିକାଂଶ ଜନଜାତି ବନଜାତ ସାମଗ୍ରୀ ସଂଗ୍ରହ କରି ସେମାନଙ୍କର ପରିବାର ପ୍ରତିପୋଷଣ କରିଥାଆନ୍ତି। ମାତ୍ର ଏହି ବନାଗ୍ନି ସେମାନଙ୍କର ଜୀବନ ଜୀବିକାକୁ ମଧ୍ୟ ବିପଦକୁ ଠେଲିଦେଇଛି। ନିଆଁ କାରଣରୁ ଠାକୁରମୁଣ୍ଡାରେ ଏକାଧିକ ବ୍ୟକ୍ତି ଗୁରୁତର ‌ଆହତ ହୋଇଛନ୍ତି। ବେତନଟୀ ଅଞ୍ଚଳରେ ଏକ ଗାଁ ଭିତରକୁ ମଧ୍ୟ ଏହି ନିଆଁ ପ୍ରବେଶ କରିଥିବା ସୂଚନା ଅଛି। ନିଆଁକୁ ଆୟତ୍ତ କରିବାରେ ବନବିଭାଗ ଏକପ୍ରକାର ଅସ‌ହାୟ ହୋଇପଡ଼ିଛି। ‌ବାରିପଦା ସହକାରୀ ବନସଂରକ୍ଷକ ଦିଲ୍ଲୀପ କୁମାର ବାରିକ କହିଛନ୍ତି; ସ୍ଥାନୀୟ ଲୋକମାନେ ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ସଚେତନ ହେଲେ ଏପରି ଘଟନ୍ତା ନାହିଁ। କୌଣସି ସ୍ଥାନରେ ନିଆଁ ଲାଗିଥିବା ଖବର ମିଳିବା ମାତ୍ରେ ବନବିଭାଗ ପକ୍ଷରୁ ଲିଭାଇବାର ବ୍ୟବସ୍ଥା କରାଯାଉଛି। ମାତ୍ର ଲୋକଙ୍କ ଠାରୁ ଆବଶ୍ୟକ ସହଯୋଗ ମିଳୁନାହିଁ। କିଛି ଅସାମାଜିକ ଲୋକ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲରେ ପ୍ରତିବର୍ଷ ଏଭଳି ନିଆଁ ଲଗାଉଛନ୍ତି। ଯାହାଫଳରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ଥିବା ଗାଁଗୁଡିକ ଏବେ ବିପଦରେ ଅଛି। ଏକାଧିକ ଚାଳ ଛପର ଘର ମଧ୍ୟ ପୋଡ଼ିଯାଇଥିବା ଖବର ମିଳିଛି। ଏହି ବନାଗ୍ନିକୁ ନେଇ ଅକ୍ଷୀତା ଭଞ୍ଜଦେଓ ମଧ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶିମିଳିପାଳର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଇବାର ଏହା ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ଜାତୀୟ ଗଣମାଧ୍ୟମ ମଧ୍ୟ ଏହାକୁ ପ୍ରସାର କରିବାକୁ ଅନୁରୋଧ କରିଛନ୍ତି। ଯେକୌଣସି ଜାତୀୟ ଗଣମାଧ୍ୟମ ଏହି ବନାଗ୍ନି ସମ୍ପର୍କରେ ଖବର ପ୍ରସାର କରିବାକୁ ଚାହିଁଲେ ମୟୂରଭଞ୍ଜ ପ୍ୟାଲେସ୍‌ରେ ସେମାନଙ୍କ ପାଇଁ ରହିବା ଖାଇବା ଠାରୁ ଆରମ୍ଭ କରି ସବୁପ୍ରକାରର ବ୍ୟବସ୍ଥା କରାଯିବ ବୋଲି ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପ୍ରକାଶ କରିଛନ୍ତି।
ରିପୋର୍ଟ ମାଗିଲେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ପିସିସିଏଫ (ବଣ୍ୟପ୍ରାଣୀ)ଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆଜି ଶିମିଳିପାଳ ଗସ୍ତ କରି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ କରିବେ। ଏହି ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଟୁଇଟ୍ କରି ଲେଖିଛନ୍ତି- ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମତେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଟ୍ବିଟ କରି ସେ ଲେଖିଛନ୍ତି ଯେ ଶିମିଳିପାଳ ଜଳୁଛି ଓ ସମଗ୍ର ଏସିଆ ପାଇଁ ଏହା ଏକ ଭଲ ସଂକେତ ନୁହେଁ। ତେବେ ଦୁଃଖର ବିଷୟ ହେଉଛି ଏହା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିପାରୁନାହିଁ।

Share Now:

Kalinga News Beuro

Next Post

ବିଜୁ ଜୟନ୍ତୀରେ ହେବ ବିଶାଳ ସାଇକେଲ‌ ରାଲି

Wed Mar 3 , 2021
କଟକ: ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ବରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ‌ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍‌ ହେବେ। ଏହି ସାଇକେଲ‌ […]
ବିଶାଳ ସାଇକେଲ‌ ରାଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial