ବର୍ଦ୍ଧିତ ନିଷ୍ପତ୍ତି ସ୍ଥଗିତ-ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବର : ବିଏମ୍ସିର ହୋଲ୍ଡିଂ ଟିକସ ଜୁଲମ୍ ବିରୋଧରେ ରାଜଧାନୀବାସୀଙ୍କ ଅସନ୍ତୋଷ ବଢ଼ିବା ପରେ ଆଜି ହାଇକୋର୍ଟଙ୍କ ଆଦେଶ ଦର୍ଶାଇ ନଗର ଉନ୍ନୟନ ମନ୍ତ୍ରୀ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଗଲା ବୋଲି କହିଛନ୍ତି। ତେବେ ବିଏମ୍ସି ଓ ରାଜସ୍ବ ବିଭାଗ କିପରି ବିଭିନ୍ନ ଆଳରେ ହୋଲ୍ଡିଂ ଟିକସ ବଢ଼ାଇ ଚାଲିଛନ୍ତି ଏବଂ ଅସନ୍ତୋଷ ବଢ଼ିଲେ ହାଇକୋର୍ଟକୁ ଢାଲ କରି ସାମୟିକ ଭାବେ ସ୍ଥଗିତ ରଖୁଛନ୍ତି, ସେ ଚାଲ୍ ଲୋକେ ବୁଝିବା ଆରମ୍ଭ କଲେଣି। ୨୦୧୯ ମସିହାର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ବିଏମ୍ସି ହୋଲଡିଂ ଟିକସ ଆଦାୟ କଲା। ଲୋକ ବିରୋଧ କଲେ। କନଫେଡେରେସନ୍ ଅଫ୍ ସିଟିଜେନ୍ସ ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହେଲା। ଏଥିରେ ବିଏମ୍ସି ଓ ନଗର ଉନ୍ନୟନ ବିଭାଗ ପକ୍ଷ ରହିଲେ। ପ୍ରଥମେ ହାଇକୋର୍ଟ ସ୍ଥଗିତାଦେଶ ଜାରି କଲେ। ଏହାପରେ ବିଏମ୍ସି ସତ୍ୟପାଠ ଦାଖଲ କରି କହିଲା ଯେ, ଭୁବନେଶ୍ବରର ଉନ୍ନତୀକରଣ ପାଇଁ ଯେଉଁ ଅର୍ଥ ଆଦାୟ ହେଉଛି ତା’ର ସିଂହ ଭାଗ ହୋଲଡିଂ ଟିକସରୁ ମିଳୁଛି। ୧୯୯୭ ମସିହାରୁ ସଂଶୋଧନ ହୋଇ ନ ଥିବାରୁ ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଟିକସ ଆଦାୟ କରିବାକୁ ଅନୁମତି ଦିଆଯାଉ। ହାଇକୋର୍ଟ ବି ୫୦% ପର୍ଯ୍ୟନ୍ତ ଟିକସ ଆଦାୟ କରିପାରିବେ ବୋଲି ଅନୁମତି ଦେଲେ। ଏହାସହ ନଗର ଉନ୍ନୟନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ କହିଲେ। କିନ୍ତୁ ବିଏମ୍ସି ନୂଆ ନିୟମରେ ଟିକସ ଆଦାୟ କରିବାରୁ ଲୋକ ତାତିଲେ। ରାଜନୈତିକ ଦଳ ବି ଜୋରଦାର ବିରୋଧ କରୁଛନ୍ତି। ଏହାପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ଚୂଡ଼ାନ୍ତ ଆଦେଶ ନଆସିବା ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ନିଷ୍ପତ୍ତି ସ୍ଥଗିତ ରହିଲା। ବିଏମ୍ସି କର୍ତ୍ତୃପକ୍ଷ କହୁଛନ୍ତି ଆମେ ନିୟମ ଅନୁଯାୟୀ ଟିକସ ଆଦାୟ କଲୁ। ହାଇକୋର୍ଟ ଯଦି ଚୂଡ଼ାନ୍ତ ରାୟରେ ୫୦%, ୬୦% ଯାହା ଟିକସ ଆଦାୟ କରିବାକୁ କହିବେ ତାହା ମାନିବୁ। କୌତୂହଳର ବିଷୟ ହେଲା, ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବାରେ ଯେଉଁ ବିଳମ୍ବ ହେଉଛି ସେଥିପାଇଁ ନଗର ଉନ୍ନୟନ ବିଭାଗ ହିଁ ଦାୟୀ। କାରଣ ହାଇକୋର୍ଟରେ ଯେଉଁ ମାମଲା ଦାୟର ହୋଇଛି ସେଥିରେ ପକ୍ଷ ଥିବା ନଗର ଉନ୍ନୟନ ବିଭାଗକୁ ହାଇକୋର୍ଟ ଜୁନ୍, ୨୦୨୦ରୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ହେଲେ ୯ମାସ କାଳ ବିଭାଗୀୟ ଅଧିକାରୀମାନେ ସତ୍ୟପାଠ ଦାଖଲ କରିପାରିଲେନି। ଗତ ସପ୍ତାହରେ ଏହି ସତ୍ୟପାଠ ଦେଇଛନ୍ତି। ଯାହା ଉପରେ ହାଇକୋର୍ଟ ଚୂଡ଼ାନ୍ତ ରାୟ ଦେବେ। ଯଦି ହାଇକୋର୍ଟଙ୍କ ନିକଟରେ ଏହି ସତ୍ୟପାଠ ଗତ ଜୁଲାଇ କିମ୍ବା ଅଗଷ୍ଟ ମାସରେ ଦାଖଲ କରାଯାଇଥାନ୍ତା ତେବେ ଆଜି ଏପରି ପରସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା।
ହୋଲ୍ଡିଂ ଟିକସ ଆଦାୟ ହୋଇପାରିବନି
ଗତକାଲି ନଗର ଉନ୍ନୟନ ମନ୍ତ୍ରୀ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟକୁ ସ୍ଥଗିତ ରଖିବା ଫଳରେ ବିଏମ୍ସିର ଆୟ ପୂରା ଭୁଶୁଡ଼ିଯିବ। କାରଣ ଏବେ ଅନଲାଇନ୍ରେ କେହି ପୁରୁଣା ହିସାବରେ ହୋଲ୍ଡିଂ ଟିକସ ଆଦାୟ ଦେଇପାରିବେନି। ଯିଏ ଅନଲାଇନ୍ରେ ହୋଲଡିଂ ଟିକସ ଦେବେ ସେମାନେ ନୂଆ ହିସାବରେ ହିଁ ଦେବେ। କାରଣ ଭୁବନେଶ୍ବର.ମି ୱେବସାଇଟ୍ରେ ବିଏମ୍ସି ପକ୍ଷରୁ ଯେଉଁ ହୋଲଡିଂ ଟିକସ ହିସାବ କରି ତଥ୍ୟ ଦିଆଯାଇଛି; ତାହା ନୂଆ ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଦିଆଯାଇଛି। ପୁରୁଣା ତଥ୍ୟ ଅନଲାଇନ୍ରେ ନାହିଁ। କେବଳ ଏତିକି ନୁହେଁ; ଚଳିତବର୍ଷ ଯେଉଁମାନଙ୍କର ନୂଆ ମୂଲ୍ୟାୟନ ହୋଇଥିଲା ସେମାନେ ଯଦି ହୋଲଡିଂ ଟିକସ ଦେଇନାହାନ୍ତି ତେବେ ସେମାନେ ବି ଏବେ ଟିକସ ଦେଇପାରିବେନି। ସେମାନଙ୍କର ୧୯୯୭ ମସିହା ଅନୁଯାୟୀ ମୂଲ୍ୟାୟନ ହେବା ପରେ ଟିକସ ଦେବେ। ଯାହା ଏବେ କରିବା ସମ୍ଭବ ନୁହେଁ। ଏସବୁ ବାଦ୍ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ହୋଲଡିଂ ଟିକସ ଦେଇନାହାନ୍ତି ସେମାନେ ଯଦି ପୁରୁଣା ରସିଦ୍ ରଖିଥିବେ ତେବେ ସେହି ଅନୁଯାୟୀ ଟିକସ ଦେବେ। ଯିଏ ରସିଦ୍ ଦେଖାଇପାରିବନି ସେ ଟିକସ ଦେବନି; ନଚେତ୍ ନୂଆ ନିୟମରେ ଟିକସ ଦେବେ। ଯାହା ବିଏମ୍ସିର ଟିକସ ଆଦାୟରେ ବାଧକ ସାଜିବ।
ବେଞ୍ଚମାର୍କ ମୂଲ୍ୟ ଉପରେ ରୋକ୍ ନ ଲାଗିଲେ ସମାଧାନ ହେବନି
ବିଏମ୍ସି ହୋଲ୍ଡିଂ ଟିକସ ଆଦାୟ ପାଇଁ ଯେଉଁ ଫର୍ମୁଲା କରିଛି, ସେଥିରେ ବେଞ୍ଚମାର୍କ ମୂଲ୍ୟ ହିସାବ ଲୋକଙ୍କ ନିଦ ହଜାଇ ଦେଉଛି। କିନ୍ତୁ ଏବେ ବିଏମ୍ସି ଓ ନଗର ଉନ୍ନୟନ ବିଭାଗ ହୋଲ୍ଡିଂ ଟିକସ ହିସାବରୁ ଏହାକୁ ବାଦ୍ ନଦେଲେ ଲୋକଙ୍କ ସମସ୍ୟାର ସମାଧାନ ହେବନି। ହାଇକୋର୍ଟ ଯଦି ୫୦% କି ୬୦% ହିସାବରେ ହୋଲଡିଂ ଟିକସ ଆଦାୟ କରିବାକୁ କହିବେ ତେବେ ଅଧା ଟିକସ କମିଗଲା ବୋଲି ଭାବି ଲୋକ, ରାଜନୈତିକ ଦଳ ଖୁସି ହୋଇପାରନ୍ତି। ହେଲେ ଏହା ସାମୟିକ। କାରଣ ଯେଉଁ ହାରରେ ରାଜଧାନୀର ବିଭିନ୍ନ ଅଞ୍ଚଳର ଜମିର ବେଞ୍ଚମାର୍କ ମୂଲ୍ୟ ବଢ଼ିଚାଲିଛି ତାହା ଆଗକୁ ଆହୁରି ସଙ୍ଗିନ ପରିସ୍ଥିତିି ସୃଷ୍ଟି କରିବ। ଏବେ ରାଜ୍ୟ ସରକାର ଯେତିକି କମାଇବେ, ଆଉ କିଛି ବର୍ଷ ପରେ ବେଞ୍ଚମାର୍କ ମୂଲ୍ୟକୁ ବହୁଗୁଣା ବଢ଼ାଇ ଲୋକଙ୍କଠାରୁ ବହୁଗୁଣା ଟଙ୍କା ଟିକସ ଆକାରରେ କଷି ନେବେ। ଏମିତିରେ ରାଜଧାନୀରେ ପ୍ରତି ଅଞ୍ଚଳରେ ବେଞ୍ଚମାର୍କ ମୂଲ୍ୟ ପ୍ରତିବର୍ଷ ଅତି କମ୍ରେ ୧୦% ବଢ଼ିବ ବୋଲି ନିୟମ ହୋଇଛି। ସରକାର ଚାହିଁଲେ ଇଚ୍ଛା ମୁତାବକ ଯେତେ ପ୍ରତିଶତ ବଢ଼ାଇପାରିବେ। ତାହା ୫୦% ହୋଇପାରେ କି ୬୦% ହୋଇପାରେ। ତେଣୁ ହୋଲଡିଂ ଟିକସ ଆଦାୟ ହିସାବରୁ ବେଞ୍ଚମାର୍କ ମୂଲ୍ୟ ହିସାବ କଟିବା ଦରକାର। ହାଇକୋର୍ଟରେ ମାମଲା ବିଚାର ସମୟରେ ଏହି ପ୍ରସଙ୍ଗ ଉଠିବା ଦରକାର। ନଚେତ୍ ରାଜ୍ୟ ସରକାରଙ୍କୁ ହୋଲଡିଂ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିବାକୁ ହେବ।
ପୁରୁଣା ଜମି, ନୂଆ ହିସାବ କାହିଁକି?
ବିଏମ୍ସି ହୋଲଡିଂ ଟିକସ ଆଦାୟ ଫର୍ମୁଲାରେ ଜମିର ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟକୁ ହିସାବ କରୁଛି। ହେଲେ ଜଣେ ଯଦି ୩୦ବର୍ଷ କି ୧୦ ବର୍ଷ ତଳେ ପୁରୁଣା ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଜମି କିଣିଥିଲା, ସେତେବେଳେ ନିୟମ ମୁତାବକ ଷ୍ଟାମ୍ପ ଡ୍ୟୁଟି ଦେଇଥିଲା, ତେବେ ଏବେ କାହିଁକି ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ହୋଲଡିଂ ଟିକସ ଦେବ? ଜଣେ ଜମି ବିକିଲା ବେଳେ ରାଜ୍ୟ ସରକାର ସେହି ସମୟର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଷ୍ଟାମ୍ପ ଡ୍ୟୁଟି ଆକାରରେ ଟିକସ ନେଉଛନ୍ତି। ହେଲେ ଜଣେ ଯଦି ଘର କରି ସେଠାରେ ରହିଛି ତେବେ ସେ କାହିଁକି ଜମି ଉପରେ ବର୍ତ୍ତମାନର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ଟିକସ ଦେବ? ଏହା କ’ଣ ଜିଜିଆ କର ଠାରୁ ଅଧିକ ଜୁଲମ୍ ନୁହେଁ? ଯଦି ରାଜସ୍ବ ବିଭାଗ ରାଜସ୍ବ ବଢ଼ାଇବା ପାଇଁ ବେଞ୍ଚମାର୍କ ମୂଲ୍ୟ ବଢ଼ାଇ ଚାଲିଛି ସେଥିରେ ବିଏମ୍ସିର କ’ଣ ଯାଉଛି? ବିଏମ୍ସି ସେଲ୍ଡିଡ୍ରେ ଜମିର ଯେତିକି ମୂଲ୍ୟ ଅଛି ସେହି ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିପାରନ୍ତା। ଏହାଦ୍ବାରା ୩୦ବର୍ଷ ତଳେ ଯିଏ ଯେତିକି ଟଙ୍କାରେ ଜମି କିଣିଥିଲା ସେହି ଅନୁଯାୟୀ ଟିକସ ଦେବ, ଯିଏ ଏବେ ଜମି କିଣୁଛି ସେ ସେହି ଅନୁଯାୟୀ ଟିକସ ଦେବ। ବିଏମ୍ସିକୁ ନିଷ୍ପତ୍ତି ନେବାକୁ ହେବ ଯେ ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କଲେ ଯେତେବେଳେ ଯିଏ ଜମି ଯେଉଁ ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ କିଣିଛି ସେହି ଅନୁଯାୟୀ ଟିକସ ଦେଉ ନଚେତ୍ ବେଞ୍ଚମାର୍କ ମୂଲ୍ୟକୁ ହୋଲଡିଂ ଟିକସ ହିସାବରୁ ବାଦ୍ ଦେବାକୁ ହେବ। ନହେଲେ ଅଯଥା ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ। ବିଏମ୍ସି ନିଜ କାମ ହାଲୁକା କରିବାକୁ ଯାଇ ଗୋଟିଏ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଗୋଟିଏ ଦାମ୍ କରିଦେଲେ ହେବନି। ଏବେ ଡିଜିଟାଲ୍ ଡୋର୍ ନମ୍ବରିଂ ଚାଲୁଥିବାରୁ ଲୋକଙ୍କ ହୋଲଡିଂ ଟିକସ ମୂଲ୍ୟାୟନ ପାଇଁ ସେମାନଙ୍କର ସେଲ୍ଡିଡ୍ରେ ଥିବା ଜମିର ମୂଲ୍ୟକୁ ବିଚାର କରି ଟିକସ ଆଦାୟ କଲେ ଲୋକଙ୍କର ଟିକସ ଆଦାୟକୁ ନେଇ ବିରୋଧ ରହିବନି।
ହୋଲଡିଂ ଟିକସ ଧାର୍ଯ୍ୟ ପାଇଁ କମିଟି କାହିଁକି ବସୁନି?
ହୋଲଡିଂ ଟିକସ ଧାର୍ଯ୍ୟ କେମିତି ହେବ ସେନେଇ ଓଡ଼ିଶା ମହାନଗର ନିଗମ ଆଇନ୍, ୨୦୦୩ରେ ଉଲ୍ଲେଖ ଅଛି। ବିଜେପିର ରାଜ୍ୟ ଆଇନ ସଂଯୋଜକ ଜୟନ୍ତ ଜେନାଙ୍କ କହିବାନୁଯାୟୀ, ବିଏମ୍ସି ହୋଲଡିଂ ଟିକସ ସଂଶୋଧନ କରିବା ସମୟରେ ମ୍ୟୁନିସପାଲ କର୍ପୋରେସନ୍ ଆକ୍ଟର ଧାରା ୨୧୫କୁ ଉଲ୍ଲଂଘନ କରିଛି। ଏଥିରେ ନିୟମ ଅଛି ଯେ, ହୋଲଡିଂ ଟିକସ କିପରି ଆଦାୟ ହେବ ସେଥିପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ ହେବ। ଏଥିରେ ପୌରସଂସ୍ଥାର ସିଟି ଇଞ୍ଜିନିୟର ଏବଂ ଜଣେ ଚାଟାର୍ଡ ଆକାଉଟାଣ୍ଟ ସଦସ୍ୟ ରହିବେ। ସେମାନେ ନିଷ୍ପତ୍ତି ନେବେ ଯେ, ହୋଲଡିଂ ଟିକସ କେତେ ବଢ଼ିବ, କିପରି ଆଦାୟ ହେବ। ଏହି ରିପୋର୍ଟ ପୌରସଂସ୍ଥାର ଅର୍ଥ କମିଟିକୁ ଦେବେ। ଏହାପରେ କର୍ପୋରେସନ୍ରେ ଏହାକୁ ଆଗତ କରି ନିଷ୍ପତ୍ତି ନିଆଯିବ। ହେଲେ ବିଏମ୍ସିର ଅଧିକାରୀମାନେ ମନଇଚ୍ଛା ହୋଲଡିଂ ଟିକସ ବୃଦ୍ଧି କରିଦେଲେ। ତେଣୁ ଏହି ବର୍ଦ୍ଧିତ ହୋଲଡିଂ ଟିକସକୁ ପ୍ରତ୍ୟାହାର କରାଯାଉ। ଏନେଇ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଏବେ ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରୁଛୁ। ତେଣୁ ସେହି ନିୟମ ଅନୁଯାୟୀ ନିଷ୍ପତ୍ତି ନେଇଛୁ। ବିଏମ୍ସିରେ ହୋଲଡିଂ ଟିକସ ଆଦାୟ ପାଇଁ ଓଡ଼ିଶା ମହାନଗର ନିଗମ ଆଇନ୍, ୨୦୦୩ ଲାଗୁ ହୋଇନି। ଏଠାରେ ପ୍ରଶ୍ନ ଉଠୁଛି ବିଏମ୍ସି ଅନ୍ୟ ସବୁ ଟିକସ ଓ କାମ ପାଇଁ ଓଡ଼ିଶା ମହାନଗର ନିଗମ ଆଇନ୍-୨୦୦୩କୁ ଲାଗୁ କରିଥିବାବେଳେ ହୋଲଡିଂ ଟିକସ ଆଦାୟ ପାଇଁ କାହିଁକି ଲାଗୁ କରିନି?