ମହାପୁରୁଷଙ୍କ ପ୍ରତିମୂର୍ତି ସ୍ଥଳ ପାଲଟିଛି ମୁକ୍ତ ଶୌଚାଳୟ

ଭୁବନେଶ୍ୱର: ମହାପୁରୁଷଙ୍କୁ ସମ୍ମାନ ଦେବାରେ ଆମର ଆଡ଼ମ୍ବର କମ୍‌ ନୁହଁ। ମାତ୍ର ଏହି ସମ୍ମାନକୁ ବଜାୟ ରଖିବାରେ ଆମ ପ୍ରଶାସନ କେତେ ସଜାଗ ତାହା ଜଳଜଳ ହୋଇ ବିଭିନ୍ନ ପ୍ରତିମୂର୍ତି ସ୍ଥଳର ସ୍ଥିତିରୁ ବୁଝା ପଡ଼ିଯାଉଛି। ଜନ୍ମଦିନ କିମ୍ବା ତିରୋଧାନ ଦିବସ ଆସିଲେ ସରକାରଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଫୁଲ ମାଳ ପିନ୍ଧାଇବାକୁ ପ୍ରତିଯୋଗିତା କରନ୍ତି। ମାତ୍ର ଦିନ ସରିଗଲେ, ମାନସିକତା ବଦଳିଯାଏ। ଦିନକ ପରେ ରାଜଭବନ ଛକସ୍ଥିତ ବିପ୍ଳବୀ ଚକ୍ରଧର ବେହେରାଙ୍କ ତିରୋଧାନ ଦିବସ ପାଳନ କରାଯିବ। ଅଥଚ ଏଠାରେ ଆପଣ ପ୍ରତିମୂର୍ତି ନିକଟକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯିବା ବେଳେ ବି ନାକରେ ହାତ ଦେଇ ଯିବାକୁ ପଡ଼ିବ। ‌ପ୍ରତିମୂର୍ତି ପଛପାର୍ଶ୍ଵ ଯେମିତି ମୁକ୍ତ ଶୌଚାଳୟ ପାଲଟିଯାଇଛି। ଖାଲି ଚକ୍ରଧର ବେହେରାଙ୍କ ପ୍ରତିମୂର୍ତି ନୁହେଁ ବରଂ ଉକ୍ତ ସ୍ଥାନରେ ଥିବା ଜାତୀୟ କବି ବାଞ୍ଛା‌ନିଧି ମହାନ୍ତି ଓ ବାରିଷ୍ଟର ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ପ୍ରତିମୂର୍ତି ମଧ୍ୟ ରହିଛି। ମାତ୍ର ଏତେ ଦୁର୍ଗନ୍ଧ ବାହାରୁଛି ଯେ ପ୍ରତିମୂର୍ତି ସ୍ଥଳକୁ ଯିବାକୁ ମଧ୍ୟ କାହା ମନ ବଳିବ ନାହିଁ। ଖାଲି ସେତିକି ନୁହେଁ, ସମ୍ପୃକ୍ତ ଜାଗାରେ ପ୍ରତିମୂର୍ତି ନିକଟକୁ ଯିବା ପାଇଁ ପକାଯାଇଥିବା ଟାଇଲ୍‌ ଭାଙ୍ଗିରୁଜି ଯାଇଛି। ପ୍ରତିମୂର୍ତି ଆଡ଼କୁ ଗଛ ଡାଳ ମାଡ଼ି ଆସିଥିବାରୁ ମୁହଁ ଲୁଚି ଯାଉଛି। ଅନ୍ୟ ପାର୍ଶ୍ଵରେ ମହାପୁରୁଷଙ୍କ ପ୍ରତିମୂର୍ତିରେ ପଡ଼ିଥିବା ମାଳ ଶୁଖିଯାଇଥିଲେ ହେଁ ତାକୁ ଓହ୍ଲା ଯାଉ ନାହିଁ। ଏନେଇ ବିଏମ୍‌ସିର ପ୍ରଶାସକ ସଂଗ୍ରାମଜିତ ନାୟକଙ୍କୁ ପଚାରି‌ବାରେ ସେ କହିଛନ୍ତି, ଯଦି ସେମିତି କିଛି ସମସ୍ୟା ଅଛି ତେବେ ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ। ପ୍ରଶାସନ ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା ତାହା ନିଶ୍ଚିତ ନିଆଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖୋଲାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ତଣ୍ଡ ଗଣିବାକୁ ପଡ଼ିବ ବୋଲି ପ୍ରଶାସନ ଚେତାବନୀ ଦେଇଛି। ମାତ୍ର ‌ଖାଲି ବିଜ୍ଞପ୍ତି କରିଦେଇ ବିଏମ୍‌ସି ଚୁପ୍‌ ବସି ଯାଇ ଥିବାରୁ ଏହା କେବଳ ମହାପୁରୁଷଙ୍କ ପ୍ରତିମୂର୍ତି ସ୍ଥଳକୁ ବିକୃତ କରୁନି, ବରଂ ସହରର ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଉଛି।

Share Now:

Kalinga News Beuro

Leave a Reply

Next Post

ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି : ନବୀନ କେମିତି ଶ୍ରୀଜଗନ୍ନାଥ ଭକ୍ତ, ବଖାଣିଲେ ପାଣ୍ଡିଆନ୍

Tue Dec 31 , 2019
ଭୁବନେଶ୍ୱର : ‘‘ସେଦିନ ଥିଲା ୨୦୧୬ ମସିହା ଜାନୁଆରି ପହିଲା। ସବୁ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ। ପଛରେ ମୁଁ ବସିଥିଲି। ଗୋଟିଏ କି ଦୁଇଟି ଜାଗାରେ ମୁଖ୍ୟମନ୍ତ୍ରୀ ହୋର୍ଡିଂରେ ଲାଗିଥିବା ମହାପ୍ରଭୁଙ୍କ ଫଟୋକୁ ନମସ୍କାର କରୁଥିବା ପୂର୍ବରୁ ମୁଁ ଦେଖିଥିଲି। ଭାବୁଥିଲି, ବୋଧହୁଏ ମହାପ୍ରଭୁଙ୍କ ଉପରେ ଆଖି ପଡିଯାଇଥିବ, ଏଣୁ ମୁଖ୍ୟମନ୍ତ୍ରୀ ପ୍ରଣାମ କରୁଛନ୍ତି। କିନ୍ତୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial