ଯାଁଳା ଫାଣ୍ଡିରେ ଗାଡ଼ିରୁ କଙ୍କାଳ ଜବତ ଘଟଣା: ଗାଡ଼ିର ଡୋର୍ ଖୋଲିଲା କିଏ?

ଯାଁଳା ଫାଣ୍ଡିରେ ଗାଡ଼ିରୁ କଙ୍କାଳ ଜବତ ଘଟଣା

ଜବତ ବେଳେ ଲକ୍‌ କରିଥିଲା ପୁଲିସ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ବାହ୍ୟ ଆଘାତ ନାହିଁ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଯାଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣାକୁ ମାସେରୁ ଅଧିକ ଦିନ ବିତି ଗଲାଣି। କିନ୍ତୁ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରି ନାହିଁ। ଟିବି(ଯକ୍ଷ୍ମା) ରୋଗ ମୃତ୍ୟୁର ସମ୍ଭାବ୍ୟ କାରଣ ହୋଇଥାଇ ପାରେ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି। କେବଳ ଶରୀରର ଉପରଭାଗରେ ଏକ ସ୍ବେଟର ଥିବା ବେଳେ ହତ୍ୟା ପୂର୍ବରୁ ଦୁଷ୍କର୍ମ କରା ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ରହସ୍ୟ ଉନ୍ମୋଚନ ହୋଇପାରି ନ ଥିବା ବେଳେ ଗାଡ଼ିର ମାଲିକ ବିପିନ ପଟ୍ଟନାୟକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ବିପିନ କହିଛନ୍ତି ରମ୍ଭା ଥାନା ପୁଲିସ ଗାଡ଼ି ଜବତ କରିଥିବା ବେଳେ ସମସ୍ତ ଡୋର୍ ଲକ୍ ରହିଥିଲା। କିନ୍ତୁ ଗତ ଫେବୃଆରୀ ୧୨ ତାରିଖ ଦିନ ଗାଡ଼ି ମୁକୁଳାଇବାକୁ ଯିବା ସମୟରେ ପଛ ସିଟ୍‌ର ବାମ ପାଖ ଡୋର୍ ଖୋଲା ରହିଥିଲା। ଏହାର ଚାବି ପୁଲିସ ପାଖରେ ରହିଥିଲା। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଗାଡ଼ିର ଡୋର୍ ଖୋଲିଲା କେମିତି? ଡୋର ଲକ୍ ଥିବା ଗାଡ଼ି ଭିତରକୁ ମହିଳା ଗଲେ କେମିତି? ଏହା ପଛରେ ପୁଲିସର ହାତ ନାହିଁ ତ? ଗାଡ଼ି ଭିତରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇନି ତ? ଗାଡ଼ି ଜବତ ବେଳେ ଡ୍ରାଇଭର ପଟ ଡୋର୍ କାଚ ଭାଙ୍ଗିଥିଲା ନା ପରେ ଭଙ୍ଗାଯାଇଛି? ଷ୍ଟିଅରିଂ, ଗିଅର ବକ୍ସ, ଡ୍ୟାସ୍ ବୋର୍ଡ ତଳ କାହିଁକି ଭଙ୍ଗାରୁଜା ହୋଇଛି? ଏ ସବୁ ପ୍ରମାଣ ନଷ୍ଟ କରିବା ପାଇଁ କରାଯାଇନି ତ? ଜବତ ସମୟରେ ପୁଲିସ ଗାଡ଼ିର ଫଟୋ ଉଠାଇଛି କି? ଯଦି ଉଠାଇଛି ତାହେଲେ ସେହି ଫଟୋକୁ ପୁଲିସ ତଦନ୍ତ ପରିସରକୁ ନେବ କି? ଏ ସବୁ ପ୍ରଶ୍ନ ଏବେ ବି ପୁଲିସ ପାଇଁ ଅସମାହିତ ହୋଇ ରହିଛି।
ଜବତ ହୋଇଥିବା ହାଡ଼ରେ କୌଣସି ବାହ୍ୟ ଆଘାତ ନ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା ପୁଲିସ କହିଛି। ଯଦି ଶ୍ବାସରୁଦ୍ଧ କରାଯାଇ ହତ୍ୟା କରା ଯାଇଥିବ ତାହେଲେ କଙ୍କାଳରୁ ଜାଣିବା କଷ୍ଟକର ହେବ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି। ସେହିପରି ମୃତ୍ୟୁ ପୂର୍ବରୁ ଦୁଷ୍କର୍ମ ହୋଇଛି କି ନାହିଁ ତାହା ମଧ୍ୟ ଜାଣିବା କଷ୍ଟକର। ସବୁଠୁ ବଡ଼ କଥା ହେଲା ମହିଳାଙ୍କ ପରିଚୟ। ପରିଚୟ ମିଳିଲେ ହୁଏତ ଘଟଣାର ପର୍ଦ୍ଦାଫାସ୍ ହୋଇପାରିବ। ଅନ୍ୟପକ୍ଷରେ ପରିଚୟ ପାଇବା ଲାଗି ପୁଲିସ ଦୁଇଟି ଦିଗରେ ଚେଷ୍ଟା ଚଳାଇଛି। ଗୋଟିଏ ହେଲା କଙ୍କାଳର ଡିଏନ୍ଏ ଫିଙ୍ଗର ପ୍ରିଣ୍ଟ କରାଯିବ। ଆଖପାଖ ଅଞ୍ଚଳର ନିଖୋଜ ମହିଳାଙ୍କ ପରିବାର ସଦସ୍ୟଙ୍କ ଡିଏନ୍ଏ ଫିଙ୍ଗର ପ୍ରିଣ୍ଟ୍ ନିଆଯିବ। ଏହି ଦୁଇଟି ଫିଙ୍ଗର ପ୍ରିଣ୍ଟକୁ ମ୍ୟାଚ୍ କରାଯିବ। ଯଦି ମ୍ୟାଚ୍ ହୁଏ ତା’ହେଲେ ପର୍ଦ୍ଦାଫାସ୍ ହୋଇପାରିବ। ସେହିପରି ମହିଳାଙ୍କ ମୁହଁର ଫଟୋ ପୁନଃ ତିଆରି(ଫେସ୍ ରିକନଷ୍ଟ୍ରକସନ୍) ଶେଷ ହୋଇଯାଇଛି। ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଥିବା ଦୁଇଟି ସଂସ୍ଥାକୁ ଏହା ପଠାଯାଇଥିଲା। ଏଥିରେ ମହିଳାଙ୍କ ଖପୁରିର ସମ୍ପୂର୍ଣ୍ଣ ଫଟୋ ଏବଂ ବିବରଣୀ ପଠା ଯାଇଥିଲା। ଖୁବଶୀଘ୍ର ଏହି ଫଟୋ ପୁଲିସକୁ ମିଳିବା ପରେ ଏହାକୁ ଜାରି କରାଯିବ। କଙ୍କାଳରୁ ମିଳିଥିବା ସ୍ବେଟର ଓ ହାତରୁ ଜବତ ହୋଇଥିବା ମେଟାଲ୍ ଚୁଡ଼ିକୁ ମଧ୍ୟ ଫୋରେନସିକ୍ ପରୀକ୍ଷା ଲାଗି ପଠାଯାଇଛି। ଏଥିରେ କ’ଣ ଦାଗ ରହିଛି କି ନାହିଁ ତାହା ଜଣାପଡ଼ିବ। ସେହିପରି ଦୁଷ୍କର୍ମ ଓ ହତ୍ୟାର ଅନ୍ୟ ଦିଗ ଉପରେ ଏମ୍‌ସ ଏଫଏମଟି ବିଭାଗକୁ ଅଧିକ ତଥ୍ୟ ମଗାଯାଇଛି। ଫରେନସିକ୍ ପରୀକ୍ଷା ରିପୋର୍ଟ ମିଳିଯିବା ପରେ ମାମଲାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ମନରେଗା ମଜୁରି ବୃଦ୍ଧି କଲେ କେନ୍ଦ୍ର ସରକାର: ଓଡ଼ିଶାରେ ୨୧୫ ଟଙ୍କାକୁ ବୃଦ୍ଧି

Tue Mar 16 , 2021
ନୂଆଦିଲ୍ଲୀ: ୨୦୨୧ରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମନରେଗା ମଜୁରି ବୃଦ୍ଧି କରିଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ପାଇଁ ଏହା ଗତ ବର୍ଷ ୨୦୭ ଟଙ୍କା ଥିଲା ଏବଂ ୨୦୨୧ରେ ମଜୁରି ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବୃଦ୍ଧି ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶରେ ମନରେଗା ମଜୁରି ପୂର୍ବରୁ […]
ମନରେଗା ମଜୁରି ବୃଦ୍ଧି କଲେ କେନ୍ଦ୍ର ସରକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial