ପୂର୍ଣ୍ଣାଙ୍ଗ ହୋଇପାରିଲାନି ଏମ୍‌ସ

ଭୁବନେଶ୍ୱର: କଣ୍ଟ ଥିଲା ୨୦୧୭ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ନେବ ଭୁବନେଶ୍ୱର ଏମ୍‌ସ। ପରେ ୨୦୧୮ ମାର୍ଚ୍ଚକୁ କଣ୍ଟ ଗଡ଼ିଲା। ଏମିତି କଣ୍ଟ ପରେ କଣ୍ଟ ଗଡ଼ୁଛି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ପୂର୍ଣ୍ଣାଙ୍ଗ ହୋଇପାରୁନି ଭୁବନେଶ୍ୱର ଏମ୍‌ସ। ଏମିତିରେ ବିତିଗଲାଣି ପୂରା ୫ବର୍ଷ। ଶଯ୍ୟା ସଂଖ୍ୟା ୫୦୦ରେ ଅଟକିଛି, ୧୦୦୦ ପୂରଣ ହୋଇପାରୁନି। ଏ ପର୍ଯ୍ୟନ୍ତ ୩ଟି ମୁଖ୍ୟ ବିଭାଗ ଖୋଲିପାରିଲା ନାହିଁ। ଆବଶ୍ୟକ ସଂଖ୍ୟକ (୩୨୫) ଫାକ୍‌ଲଟି ନିଯୁକ୍ତି ହୋଇପାରିଲା ନାହିଁ। ମଡ୍ୟୁଲାର୍‌ ଓଟିି ଅଧାପନ୍ତରିଆ ହୋଇ ରହିଛି। ବିଶାଳ ଅଟ୍ଟାଳିକା ଭିତରେ ବହୁ କୋଠରି ଭୂତକୋଠି ପାଲଟି ଯାଇଛି ସିନା ଓ୍ଵାର୍ଡ ପ୍ରତିଷ୍ଠା ହୋଇପାରିନାହିଁ।

୨୦୦୩ ଜୁଲାଇ ୧୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍‌ସର ଶିଳାନ୍ୟାସ କରିଥିଲେ। କିନ୍ତୁ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ଓ ମେଡିକାଲ କଲେଜ ମୁଣ୍ଡ ଟେକୁ ଟେକୁ ୯ ବର୍ଷ ଲାଗିଗଲା। କେନ୍ଦ୍ର ସରକାରଙ୍କ ଉଦାସୀନତା କାରଣରୁ ଏଭଳି ବିଳମ୍ବ ଘଟିଲା। ୨୦୧୨ ସେପ୍ଟେମ୍ବରରେ ଏଠାରେ ପ୍ରଥମ ବ୍ୟାଚ୍‌ ମେଡିକାଲ ଛାତ୍ରଙ୍କ ନାମଲେଖା ହେଲା ଓ ପରେ ପରେ ୨୦୧୪ ଫେବ୍ରୁଆରିରେ ଓଡ଼ିଶାବାସୀଙ୍କ ବହୁ ପ୍ରତୀକ୍ଷିତ ମେଡିକାଲ ଲୋକାର୍ପଣ ହେଲା। ସୌଭାଗ୍ୟବଶତଃ ପରେ ପରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେଲା। ତେଣୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ସ୍ୱପ୍ନର ଏହି ଏମ୍‌ସ ଖୁବ୍‌ଶୀଘ୍ର ପୂର୍ଣାଙ୍ଗ ରୂପ ନେବ ବୋଲି ଆଶା କରାଯାଉଥିଲା।

ଧୀରେ ଧୀରେ ଫାକ୍‌ଲଟି ସଂଖ୍ୟା ବଢ଼ି ବଢ଼ି ୧୩୮ରେ ପହଞ୍ଚିବା ସହ ଶଯ୍ୟା ସଂଖ୍ୟା ୫୦୦କୁ ଛୁଇଁଲା। ଏମ୍‌ସର ପ୍ରଗତି ଏମିତି ଆଗକୁ ବଢ଼ି ଚାଲିଲା ଯେ ୩୭ବିଭାଗର ଓପିଡି ଖୋଲିଗଲା, ୧୦୦ଟି ଆଇସିୟୁ, ୨୦ରୁ ଅଧିକ ଅପରେସନ୍‌ ଥିଏଟର, ୨ଟି ୨୪ ଘଣ୍ଟିଆ ଅପରେସନ୍‌ ଥିଏଟର ଓ ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ବିଭାଗ (ବିକିରଣ ପଦ୍ଧତି) ଆଦି ବହୁ ଉଲ୍ଲେଖନୀୟ ଉନ୍ନତି ସାଧିତ ହେଲା। ମାସିକ ହଜାରେ ଅପରେସନ୍‌ ହୋଇପାରିଲା। ଦୈନିକ ୨ ହଜାରୁ ଅଧିକ ରୋଗୀଙ୍କୁ ଓପିଡିରେ ସେବା ଯୋଗାଇବା ସମ୍ଭବ ହୋଇପାରିଲା। ଫଳରେ ନବଗଠିତ ୬ଟି ଏମ୍‌ସ ମଧ୍ୟରେ ଭୁବନେଶ୍ୱର ଏମ୍‌ସ ସର୍ବାଗ୍ରେ ରହିଲା। ପୂର୍ବଭାରତରେ ଏହି ହସ୍ପିଟାଲ ରୋଗୀସେବା କ୍ଷେତ୍ରରେ ଏକ ମାଇଲ୍‌ ଖୁଣ୍ଟ ହେବାର ଖ୍ୟାତି ଲାଭ କଲା। ମାତ୍ର ଏଇଠି ଅଟକିଯାଇଛି ଏମ୍‌ସର ଅଗ୍ରଗତି।

୨୦୧୭ ଶେଷ ସୁଦ୍ଧା ଏହାକୁ ପ୍ରକଳ୍ପ ମୋଡ୍‌ରୁ ସ୍ୱୟଂଶାସିତ ବ୍ୟବସ୍ଥା ଭିତରକୁ ନିଆଯିବ ବୋଲି ଆଶା କରାଯାଉଥିଲା। କାରଣ ବିଭିନ୍ନ ବିଭାଗର ଉଦ୍‌ଘାଟନ ବେଳେ ଏଭଳି ପ୍ରତିଶ୍ରୁତି ଦିଆଯାଉଥିଲା। କିନ୍ତୁ ପୁଣି ଅବହେଳାର ଶିକାର ହେଲା ଏହି ବିଶ୍ୱସ୍ତରୀୟ ମେଡିକାଲ କଲେଜ। ନୂତନ ଫାକ୍‌ଲଟି ନିଯୁକ୍ତି ହେବାରେ ଘଟୁଥିବା ବିଳମ୍ବକୁ ନେଇ ବାରମ୍ବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଶେଷରେ ପରିଚାଳନା କମିଟି ବୈଠକ ବସିଲା ଓ ନୂତନ ଫାକ୍‌ଲଟି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ମନୋନୟନ ହୋଇଥିବା ଫାକ୍‌ଲଟିମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିବା ପାଇଁ ପରିଚାଳନା କମିଟି ପୁଣି ବିଳମ୍ବ କଲା। ତେବେ ୨୦୧୭ ଶେଷକୁ ଅନୁମୋଦନ ମିଳିଗଲା। ଏବେ ପ୍ରାୟ ୫୫ଜଣ ନୂତନ ଫାକ୍‌ଲଟି ଯୋଗ ଦେଇ ସାରିଲେଣି ଓ ଖୁବ୍‌ଶୀଘ୍ର ଆଉ ୨୫ ଜଣ ଯୋଗ ଦେବା ପାଇଁ ପ୍ରସ୍ତୁତିରେ ଅଛନ୍ତି। ୨୦୧୭ର କଣ୍ଟ ପୂରିବା ପରେ ୨୦୧୮ ମାର୍ଚ୍ଚ ସୁଦ୍ଧା ଏମ୍‌ସ ପୂର୍ଣ୍ଣାଙ୍ଗ ରୂପ ନେବ ଯିବ ବୋଲି ଆଶା କରାଯାଉଥିଲା। ମାତ୍ର ଏହି କଣ୍ଟ ବି ଗଡ଼ିଗଲା। ଗ୍ୟାସ୍‌ଟ୍ରୋ ସର୍ଜରି, ନେଫ୍ରୋଲୋଜି ଓ ମେଡିକାଲ ଅଙ୍କୋଲୋଜି ଭଳି ୩ଟି ବଡ଼ ବିଭାଗ ଖୋଲିପାରିଲା ନାହିଁ। ସେହିଭଳି ଫାକ୍‌ଲଟି ସଂଖ୍ୟା ୨୦୦ ହୋଇପାରିଲା ନାହିଁ। ଶଯ୍ୟା ସଂଖ୍ୟା ଓ ଓଟି ସଂଖ୍ୟା ନ ବଢ଼ିବାରୁ ବହୁ ସମସ୍ୟା ଉପୁଜୁଛି। ଓ୍ଵାର୍ଡରେ ଶଯ୍ୟା କମ୍‌ ରହୁଥିବାରୁ ବହୁ ରୋଗୀଙ୍କୁ ବାଧ୍ୟତାବଶତଃ ଫେରାଇ ଦିଆଯାଉଛି। ବିଭାଗ ପିଛା ପ୍ରାୟ ୨୦ରୁ ୨୫ଟି ଶଯ୍ୟା ଭାଗ ପଡ଼ୁଥିବାରୁ ନିହାତି ଜରୁରି ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଫେରାଇ ଦିଆଯାଉଛି। ଏଥିପାଇଁ ବହୁ ସମୟରେ ଡାକ୍ତରମାନେ ଲୋକଙ୍କ କ୍ରୋଧର ଶିକାର ହେଉଥିବା ଦେଖାଯାଉଛି। ଓ୍ଵାର୍ଡ ପାଇଁ ବହୁ କୋଠରି ରହିଛି, ମାତ୍ର କାମରେ ଲାଗୁନି। ଫଳରେ ଶହଶହ କୋଠରି ଭିତରେ କେଉଁଠି ଅନ୍ଧାର ରାଜ୍‌ କରୁଛି ତ କେଉଁଠି ବିନା କାରଣରେ ବିଦ୍ୟୁତ୍‌ ଶକ୍ତି ଅପଚୟ ହେଉଛି। ତେଣୁ ଏହି ବିଜେପି ସରକାରଙ୍କ ଅମଳରେ ଏମ୍‌ସ ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଯାହା ଆଶା କରାଯାଉଥିଲା, ତାହା ଧୀରେ ଧୀରେ ମଉଳିବାରେ ଲାଗିଛି। ଶିଳାନ୍ୟାସ ପରେ ଲୋକାର୍ପଣ ପାଇଁ ଯେମିତି ଦୀର୍ଘ ବର୍ଷ ବିତିଗଲା, ପୂର୍ଣାଙ୍ଗ ରୂପ ନେବାକୁ ସେମିତି କେତେ ବର୍ଷ ଲାଗୁଛି, ତାହା ସମୟ କହିବ ବୋଲି ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Leave a Reply

Next Post

କାହା ନିର୍ଦେଶରେ ଚାଲିଛି ଔଷଧ ପ୍ରସ୍ତୁତି? ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଅଚଳାବସ୍ଥା

Mon Apr 23 , 2018
ମେସିନ୍‌ ଅପରେଟର ନ ଥାଇ ମେସିନ୍‌ କିଏ ଚଳାଉଛି ଭୁବନେଶ୍ୱର: ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ଡାକ୍ତର, କମ୍ପାଉଣ୍ଡର ଓ ମେସିନ୍‌ ଅପରେଟର ନାହାନ୍ତି। ପୂର୍ବରୁ ଲକ୍ଷାଧିକ ଟଙ୍କାରେ କିଣା ଯାଇଥିବା ଚେରମୂଳିକୁ ରାତାରାତି ଔଷଧ ତିଆରି କରି ପ୍ୟାକେଜିଂ କରାଯାଉଛି। କାହା ନିର୍ଦେଶରେ ଅତ୍ୟାଧୁନିକ ମେସିନ୍‌ ଚାଲୁଛି ଓ କିଏ ଔଷଧର ଭାଗମାପକୁ ତଦାରଖ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଔଷଧ ତିଆରିରେ ଏକ ବଡ଼ଧରଣର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial