୨୦୪୧ ପର୍ଯ୍ୟନ୍ତ ଟ୍ବିନ୍ ସିଟିରେ ଗଡ଼ିପାରିବନି ମେଟ୍ରୋ ଟ୍ରେନ୍‌: ମନ୍ତ୍ରୀ

ଟ୍ବିନ୍ ସିଟିରେ ଗଡ଼ିପାରିବନି ମେଟ୍ରୋ ଟ୍ରେନ୍

ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଲେ ସରକାର: ବିରୋଧୀ ଦଳ ନେତା

ଭୁବନେଶ୍ବର: କଟକ-ଭୁବନେଶ୍ବର ଟ୍ବିନ୍ ସିଟିରେ ଗଡ଼ବନି ମେଟ୍ରୋ ଟ୍ରେନ୍‌। ୨୦୪୧ ମସିହା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ। ଆଜି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ଟ୍ବିନ୍ ସିଟିରେ ମେଟ୍ରୋ ଟ୍ରେନ୍‌ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ କରାଯାଇଥିଲା। ଜନସଂଖ୍ୟା ଆଧାରରେ ଯୋଗ୍ୟତା ନ ଥିବାରୁ ଏହି ପରିଯୋଜନା ଆଗକୁ ବଢ଼ିପାରୁନାହିଁ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଗୃହରେ ସଦସ୍ୟମାନେ ଆଉ ଥରେ ସର୍ଭେ କରିବାକୁ ଦାବି କରିଥିଲେ। ଅପରାହ୍ନରେ ବୈଧାନିକ ପ୍ରସଙ୍ଗ ଜରିଆରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ, ଯଦି ୨୦୪୧ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ ସ୍ବପ୍ନ ସମ୍ଭବ ନୁହଁ ବୋଲି ସରକାର ଜାଣିଥିଲେ ତାହେଲେ କାହିଁକି ଏଥରକ ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଲେ। ମନ୍ତ୍ରୀ ଗୃହରେ ଏ କଥାର ସ୍ପଷ୍ଟୀକରଣ ରଖିବାକୁ ଶ୍ରୀ ନାଏକ ଦାବି କରିଥିଲେ।
ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ କହିଥିଲେ ଯେ ଖୋର୍ଦ୍ଧା ବରୁଣେଇ, ଜଟଣୀ, କଟକରୁ ଚଣ୍ଡିଖୋଲ, ପୁରୀ ଶ୍ରୀକ୍ଷେତ୍ରରୁ ଭୁବନେଶ୍ବର ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ ଚଳାଇବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ଦାବି କରିଥିଲେ। ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମେଟ୍ରୋ ଟ୍ରେନ୍‌ ଚଳାଇବା ପାଇଁ ସର୍ଭେ କରାଯାଇଥିଲା। ଏଥିପାଇଁ ଟେଣ୍ଡର ବି ହୋଇଥିଲା। ଏଥିରେ ୫ କମ୍ପାନି ଭାଗ ନେଇଥିଲେ। ଏହି ଟେଣ୍ଡର ବାଲାଜି ରେଲ୍‌ ଆଣ୍ଡ୍‌ ରୋଡ଼ ବର୍ଷାଲିକୁ ମିଳିଥିଲା। ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରଥମେ ଖୋର୍ଦ୍ଧା, ଜଟଣୀ ଓ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ ଚଳାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯାହାର ଫିଜିବିଲିଟି ନାହିଁ ବୋଲି ସର୍ଭେ କରିଥିବା ସଂସ୍ଥା ରିପୋର୍ଟ ଦେଇଛି। କଟକରୁ-ଚଣ୍ଡିଖୋଲ ଓ ଭୂବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଚଲାଇବା ପାଇଁ ପୁଣି ଥରେ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଶ୍ରୀ ଜେନା ପ୍ରଶ୍ନକାଳରେ ଦେଇଥିବା ଏହି ଉତ୍ତରକୁ ନେଇ ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ବୈଧାନିକ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ୨୦୧୪-୧୫ରୁ ଜଣାପଡ଼ିଛି ୨୦୪୧ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ କଟକ-ଭୁବନେଶ୍ବରରେ ଗଡ଼ିପାରିବ ନାହିଁ। ତେବେ କାହିଁକି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ମୁହଁରେ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ନେଇ ଅସତ୍ୟ କୁହାଗଲା। ଖାଲି ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ବି ବିଜେଡିର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବି ମେଟ୍ରୋ ଟ୍ରେନ୍‌ ଚାଲିବା ନେଇ ଘୋଷଣା କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟର ପ୍ରଥମ ବ୍ୟକ୍ତି ମୁହଁରେ ଏପରି ଅସତ୍ୟ କୁହାଯାଇଛି। ଏହାର ସ୍ପଷ୍ଟୀକରଣ ଗୃହରେ ମନ୍ତ୍ରୀ ରଖନ୍ତୁ ବୋଲି ସେ ଦାବି କରିଥିଲେ। ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରି ବୈଧାନିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

Share Now:

Kalinga News Beuro

Next Post

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି: ଦୁଇଟି କାର୍ଯ୍ୟକ୍ରମରେ ଘଣ୍ଟାଏ ଲେଖାଏଁ ରହିବେ

Wed Mar 31 , 2021
ଭୁବନେଶ୍ୱର/କଟକ: ଆସନ୍ତା ଏପ୍ରିଲ ୨ ଓ ୩ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଉପରାଷ୍ଟ୍ରପତି କଟକସ୍ଥିତ ସାରଳା ଭବନ ଓ ବାଣୀବିହାରଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ସେ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଭିଡିଓ […]
୨ରେ ଆସୁଛନ୍ତି ଉପରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial