ଧରାପଡ଼ିଲା ଲୁଟେରା ରଙ୍ଗମିସ୍ତ୍ରି: ୫ ବର୍ଷ ଧରି କମିସନରେଟ ପୁଲିସର ଥିଲା ମୋଷ୍ଟୱାଣ୍ଟେଡ୍

ଧରାପଡ଼ିଲା ଲୁଟେରା ରଙ୍ଗମିସ୍ତ୍ରି

ଭୁବନେଶ୍ବର: ଦିଲୀପ ନାୟକ, ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଖୁଣ୍ଟବନ୍ଧ। ପେସାରେ ରଙ୍ଗମିସ୍ତ୍ରି। ନିଶା କିନ୍ତୁ ଚୋରି। ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ରହି ରାଜଧାନୀରେ ବୁଲି ବୁଲି ରଙ୍ଗମିସ୍ତ୍ରି କାମ କରେ ଦିଲ୍ଲୀପ। ଆଉ କାମ କରୁଥିବା ସମୟରେ ଘରକୁ ଟାର୍ଗେଟ କରେ। ରାତି ହେଲେ କଳାକନା ବୁଲାଇ ଦିଏ। ଏମିତି ଢଙ୍ଗରେ ଚୋରି କରି କମିସନରେଟ ପୁଲିସର ନିଦ ହଜାଇ ଦେଇଥିବା ମୋଷ୍ଟ ୱାଣ୍ଟେଡ୍‌ ଦିଲ୍ଲୀପ ଶେଷରେ କମିସନରେଟ ପୁଲିସ ହାତରେ ଧରାପଡ଼ିଛି। ଦିଲ୍ଲୀପକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଦିଲ୍ଲୀପ ପାଖରୁ ୧୩୦ ଗ୍ରାମ ସୁନାଗହଣା, ନଗଦ ୪୪ ହଜାର ଟଙ୍କା, ୟମାହା ଆର ୧୫ ବାଇକ, ସ୍କୁଟର, ଗୋଟିଏ କାର ଓ ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ତା’ଠାରୁ ଚୋରି ସୁନା କିଣୁଥିବା ଅଭିଯୋଗରେ ବାଳକାଟୀ ପୁରୁଣା ଫାଣ୍ଡି ବଜାର ଅଞ୍ଚଳର ସୁନାଦୋକାନୀ ରାଜକିଶୋର ଜେଠୀକୁ ମଧ୍ୟ ପୁଲିସ ଗିରଫ କରିଛି।
ଦିନରେ ରେକି, ରାତିରେ ଲୁଟ୍
ଦିଲ୍ଲୀପ ଦିନବେଳା ଯେଉଁ ଘରେ ରଙ୍ଗ କାମ କରେ, ରାତିରେ ସେହି ଘରୁ କିମ୍ବା ଆଖପାଖ ଘରୁ ଚୋରି କରେ। ଏମିତି ଢଙ୍ଗରେ ଚୋରି କରୁଥିବା ଦିଲ୍ଲୀପ ସହଜରେ ସନ୍ଦେହ ଘେରକୁ ଆସୁ ନ ଥିଲା। କେଉଁ ଘର ସ୍କାଏ ଲାଇଟ୍, ଝରକା ଗ୍ରିଲ କିମ୍ବା ଅନ୍ୟ କେଉଁ ସ୍ଥାନ ଭାଙ୍ଗି ଘର ଭିତରକୁ ପଶି ହେବ ତାହା ସେ ରେକି କରୁଥିଲା। ଗ୍ରିଲ୍ ଖୋଲିବା ହେଉ କି ସ୍କାଏ ଲାଇଟ୍ ତାଡ଼ିବା ସାମଗ୍ରୀ ଧରି ପୂରା ପ୍ରସ୍ତୁତ ହୋଇ ଆସୁଥିଲା। ତେବେ ନିକଟରେ ଝାରପଡ଼ା ମହାଦେବନଗର ଅଞ୍ଚଳର ଠିକାଦାର ସୁଶାନ୍ତ ମଲ୍ଲିକଙ୍କ ଘରୁ ଚୋରି ଘଟଣା ପରେ ଧରା ପଡ଼ିଥିଲା ଦିଲ୍ଲୀପ। ସୁଶାନ୍ତଙ୍କ ଘରେ ଦିଲ୍ଲୀପ ୫ ବର୍ଷ ତଳେ ରଙ୍ଗ କାମ କରିଥିଲା। କିନ୍ତୁ ଏବେ ତାଙ୍କ ଘର ପାଖରେ ଅନ୍ୟ ନୂଆ ଘରେ ରଙ୍ଗ କରୁଥିଲା। ଗତ ୩ ତାରିଖ ସନ୍ଧ୍ୟାରେ ସୁଶାନ୍ତ ପରିବାର ସହ ଲିଙ୍ଗରାଜ ମନ୍ଦିର ଯାଇଥିଲେ। ଦୁଇ ଘଣ୍ଟା ପରେ ମନ୍ଦିରରୁ ଫେରିବା ବେଳକୁ ଘରର ପଛ ଗେଟ୍‌ ଭଙ୍ଗା ଥିବା ଦେଖିବାକୁ ପାଇଲେ। ଘରର ପଛ କବାଟ ଖୋଲା ଥିଲା। ଆଉ ‌ଚୋର ନଗଦ ୨ ଲକ୍ଷ ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଦୁଇଟି ମୋବାଇଲ ନେଇ ଛୁ ମାରିଥିଲା। ଦିଲ୍ଲୀପ ଧରାପଡ଼ିବା ପରେ ଏ କଥା ପୁଲିସ ନିକଟରେ ସ୍ବୀକାର କରିଛି। ପୁଲିସ ସୁଶାନ୍ତଙ୍କୁ ୪୪ ହଜାର ଟଙ୍କା, ମୋବାଇଲ ଫୋନ୍ ଫେରାଇଛି। ରଙ୍ଗିନ ମିଜାଜ୍, ବିଳାସପୂର୍ଣ୍ଣ ଜୀବନ, ଗୋଟିଏ ଘରେ ରହୁଥିଲେ ଦୁଇ ପତ୍ନୀ, ଖୁସି କରିବାକୁ ଗିଫ୍ଟ ଦେଉଥିଲା ଲୁଟ୍ ସୁନା ଦିଲୀପର ଘର ନୟାଗଡ଼ ହୋଇଥିଲେ ବି ରାଜଧାନୀରେ ରହି ରଙ୍ଗମିସ୍ତ୍ରି କାମ କରୁଥିଲା। ରଙ୍ଗିନ ମିଜାଜର ଦିଲ୍ଲୀପ ୟମାହା ଆର୍-୧୫ ବାଇକ୍ ଧରି ବୁଲିବା, କାର୍‌ରେ ଲଙ୍ଗ୍‌ ଡ୍ରାଇଭରେ ଯିବା, ରେଷ୍ଟୁରାଣ୍ଟରେ ଖାଇବା, ତାରକା ହୋଟେଲରେ ରାତି ବିତାଇବା ଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା। ଖାଲି ସେତିକି ନୁହେଁ; ଦୁଇ ଦୁଇ ଜଣ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲା। ଦୁଇ ଜଣ ଯାକ ପତ୍ନୀ ଶିଶୁପାଳଗଡ଼ ଭଡ଼ା ଘରେ ରହୁଥିଲେ। ସେ ଦୁଇଜଣଙ୍କୁ ଖୁସିରେ ମଧ୍ୟ ରଖିଥିଲା। ଉଭୟଙ୍କୁ ଲୁଟିଥିବା ଦାମୀ ସୁନାଚେନ୍, ହାର, ମଙ୍ଗଳସୂତ୍ର, ଚୁଡ଼ି ଭଳି ଗହଣା ଉପହାର ଦେଉଥିଲା। ସମସ୍ତେ ବେଶ୍ ଅୟସ ଆରାମରେ ଜୀବନ ବିତାଉଥିଲେ।
ଦ୍ବିତୀୟ ଥର ଚୋରି କରିବାକୁ ଆସି ଫସିଗଲା, ଚାଲିରୁ ଜଣାପଡ଼ିଲା ଚୋର କିଏ ଝାରପଡ଼ା ମହାଦେବନଗର ଅଞ୍ଚଳରେ ଗତ ୩ ତାରିଖରେ ସୁଶାନ୍ତ ମଲ୍ଲିକଙ୍କ ଘରେ କଳାକନା ବୁଲାଇଥିଲା ଦିଲ୍ଲୀପ। ଠିକ୍ ଚାରିଦିନ ପରେ ପୁଣି ସେହି ଅଞ୍ଚଳକୁ ସନ୍ଧ୍ୟାରେ ଚୋରି କରିବାକୁ ଆସିଥିଲା। ସ୍ଥାନୀୟ ଅଞ୍ଚ​ଳରୁ ଚୋରି ହେଉଥିବାରୁ ତାକୁ ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସ୍ଥାନୀୟ ଲୋକ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପିସିଆର ଭ୍ୟାନ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦିଲ୍ଲୀପକୁ ଉଠାଇ ଆଣିଥିଲେ। ଦିଲ୍ଲୀପର ନାଁ, ଗାଁ, ଠିକଣା ଜାଣିବା ପରେ ପୁଲିସ ଯାଞ୍ଚ କରିଥିଲା। ଦିଲ୍ଲୀପ ପୂର୍ବରୁ କେବେ ଧରାପଡ଼ି ନ ଥିବାରୁ ପୁଲିସର ସନ୍ଦେହ ବଢ଼ି ନ ଥିଲା। ଦିଲ୍ଲୀପ ମଧ୍ୟ କିଛି ମାନି ନ ଥିଲା। କିନ୍ତୁ ପୂର୍ବରୁ ପୁଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା। ଏହା ପରେ ଧୀରେ ଧୀରେ ସନ୍ଦେହ ବଢ଼ିଥିଲା। ଦିଲ୍ଲୀପକୁ କିଛି ବାଟ ଚାଲିବାକୁ କହିଥିଲା ପୁଲିସ। ସିସିଟିଭି ଫୁଟେଜର ଚାଲି ସହ ତା’ର ଚାଲି ମେଳ ଖାଇ ଯାଇଥିଲା। ପୁଲିସ ଅଧିକ ଜେରା କରିବା ପରେ ସବୁ ସତ କଥା ମାନି ଯାଇଥିଲା। ଘରୁ ଓ ଯେଉଁଠି ସୁନା ବିକିଥିଲା ସେଠାରୁ ପୁଲିସ ଚଢ଼ଉ କରି ଜବତ କରିଥିଲା। ଦିଲ୍ଲୀପ ନାଁରେ ଲକ୍ଷ୍ମୀସାଗରରେ ଦୁଇଟି, ବଡ଼ଗଡ଼ରେ ୬ଟି ଓ ଧଉଳିରେ ୩ଟି ମାମଲା ରହିଛି। ବଡ଼ଗଡ଼ ଓ ଧଉଳି ଥାନା ପୁଲିସ ଆଗକୁ ଦିଲ୍ଲୀପକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆଜି ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Wed Apr 14 , 2021
ନୂଆଦିଲ୍ଲୀ: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବର୍ଷ ସମସ୍ତଙ୍କର ଆଶା ଆକାଙ୍‌କ୍ଷା ପୂରଣ ହେଉ ବୋଲି ପ୍ରାର୍ଥନା କରିଛନ୍ତି। ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ବା ପଣାସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା। ନୂଆବର୍ଷରେ ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ, […]
ରାଜ୍ୟବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭକାମନା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial