ଲୋକସେବା ଭବନରେ ଜାଲ୍‌ ପାସ୍‌ : ନକଲି ସମବାୟ ଅଧିକାରୀ ସମେତ ଆଇଟି‌ ପ୍ରୋଗ୍ରାମର୍‌ ଗିରଫ

ଲୋକସେବା ଭବନରେ ଜାଲ୍‌ ପାସ୍‌

ଭୁବନେଶ୍ୱର: କଥାରେ ଅଛି, ସତ କେବେ ଲୁଚିରହେନା। ଦିନେ ନା ଦିନେ ସାତ ତାଳ ମାଟି ତଳୁ ବି ସତ ଫୁଟିକି ବାହାରିଆସେ। ସେମିତି ଏକ ଘଟଣା ଘଟିଛି ଲୋକସେବା ଭବନରେ। ଜାଲ୍‌ ପାସ୍‌ ବଳରେ ଲୋକସେବା ଭବନକୁ ଅବାଧରେ ପ୍ରବେଶ କରୁଥିବା ଜଣେ ନକଲି ସମବାୟ ଅଧିକାରୀ ଶେଷରେ ଧରା ପଡ଼ିଯାଇଛି। ଏମିତିକି ତାକୁ ନକଲି ପାସ୍‌ ଦେଇଥିବା ଲୋକସେବା ଭବନର ଆଇଟି ପ୍ରେଗ୍ରାମର୍‌ ବି ଧରାପଡ଼ିଛନ୍ତି। ଆଜି କ୍ୟାପିଟାଲ ଥାନା ପୁଲିସ ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଆଇଟି ପ୍ରୋଗ୍ରାମର୍‌ ରାକେଶ ରୋସନ ପ୍ରଧାନ(୨୯) ଓ ନକଲି ସମବାୟ ଅଧିକାରୀ ସମୀର କୁମାର ବର୍ମନ(୪୨)। ସୂଚନା ମୁତାବକ, କଟକ ଜିଲ୍ଲା କିଶୋରନଗରର ସମୀର ଓ ଜଗତସିଂହପୁର ଅଞ୍ଚଳର ରାକେଶ ମଧ୍ୟରେ ଚିହ୍ନା ପରିଚୟ ଥିଲା। ସମୀର ଲୋକସେବା ଭବନକୁ ଅବାଧରେ ଯା’ ଆସ କରିବାକୁ ଏକ ପାସ୍‌ ଦରକାର କରୁଥିଲା। ତେଣୁ ସେ ନିଜକୁ ସମବାୟ ବିଭାଗର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସରଙ୍କ ନାମରେ ନକଲି ପରିଚୟପତ୍ର କରାଇବାକୁ ଯୋଜନା କରିଥିଲା। ରା‌କେଶ ଲୋକସେବା ଭବନରେ ଆଇଟି ପ୍ରୋଗ୍ରାମର୍‌ ଥିବାରୁ ଏମିତି ଏକ ନକଲି ଆଇ-କାର୍ଡ ପ୍ରସ୍ତୁତ କରି ସମୀରକୁ ଦେଇଥିଲେ। ଏହି କାର୍ଡ ବଳରେ ସମୀର ଅନାୟାସରେ ଲୋକସେବା ଭବନକୁ ଯାଉଥିଲା।
ବିଭିନ୍ନ ବିଭାଗକୁ ଯାଇ ବିଭିନ୍ନ କାମ ବୁଝାସୁଝା କରୁଥିଲା। ଏମିତିକି ଷ୍ଟାଫ୍‌ ପାସ୍‌ ବଳରେ ଅନ୍ୟ ଲୋକଙ୍କୁ ମଧ୍ୟ ଲୋକସେବା ଭବନକୁ ନେଇପାରୁଥିଲା। ହେଲେ ଶେଷରେ ସେ ନିଜ କଥାରେ ହିଁ ଫସିଗଲା। ଗତ ୨ ତାରିଖ ଦିନ ସାଢ଼େ ୧୨ଟାରେ ସେ ଲୋକସେବା ଭବନକୁ ଯାଉଥିବା ବେଳେ ତଳ ମହଲା ଲିଫ୍‌ଟରେ ସୁରକ୍ଷାକର୍ମୀ କୁନାଲ ରଞ୍ଜନ ମହାପାତ୍ର ସନ୍ଦେହ କରିଥିଲେ। ସମୀରର କାର୍ଡ ସମବାୟ ବିଭାଗର ହୋଇଥିବା ବେଳେ ସେ ନିଜକୁ ଭୁଲବଶତଃ ସ୍ୱାସ୍ଥ୍ୟ ବିଭାଗ ଏଷ୍ଟାବ୍ଲିସ୍‌ମେଣ୍ଟ ଅଧିକାରୀ ବୋଲି କହିପକାଇଥିଲା। ତେଣୁ ସୁରକ୍ଷାକର୍ମୀ କୁନାଲ ତୁରନ୍ତ ଏହି ଘଟଣାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ପରିଚୟପତ୍ରଟି ଜାଲି ଏବଂ ସମୀର କୁମାର ବର୍ମନ ବୋଲି କେହି ସମବାୟ କି ସ୍ୱାସ୍ଥ୍ୟ ବିଭାଗର ଏଷ୍ଟାବ୍ଲିସ୍‌ମେଣ୍ଟ ଅଧିକାରୀ ନାହାନ୍ତି। ଏନେଇ କଥା କ୍ୟାପିଟାଲ ଥାନାରେ ପହଞ୍ଚିଥିଲା ଏବଂ ପୁଲିସ ସମୀରଙ୍କୁ ଅଟକ ରଖି ତଦନ୍ତ କରିଥିଲା। ଖୋଳତାଡ଼ରୁ ଜଣାପଡ଼ିଲା ଯେ ଆଇଟି ପ୍ରୋଗ୍ରାମ୍‌ର ରାକେଶ ହିଁ ସମୀରକୁ ଉକ୍ତ ନକଲି ପାସ୍‌ ଦେଇଥିଲେ।

Share Now:

Kalinga News Beuro

Next Post

କଙ୍ଗୋରେ ବନ୍ୟା ଯୋଗୁଁ ୨୦୦ରୁ ଅଧିକ ମୃତ : ଅନେକ ନିଖୋଜ

Sun May 7 , 2023
କାଲେହେ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଏବଂ ପାହାଡ଼ସ୍ଖଳନଜନିତ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଯାଇଥିବା କଥା ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି। କାଲେହେର ପ୍ରଶାସକ ଟୋମାସ୍‌ ବ୍ୟାଙ୍କେଜ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଶନିବାରସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଛି। ନିଖୋଜ ହୋଇଯାଇଥିବା ଆହୁରି ଅନେକଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି। ଶହ ଶହ ଘର ଭାସି […]
କଙ୍ଗୋରେ ବନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial