ରାଜଧାନୀରେ ଚିନ୍ତା ବଢ଼ାଇଲେ କୁମ୍ଭମେଳା ଫେରନ୍ତା : ହରିଦ୍ୱାରରୁ ଫେରି ବରମୁଣ୍ଡାର ୨୧ ଆକ୍ରାନ୍ତ

ଚିନ୍ତା ବଢ଼ାଇଲେ କୁମ୍ଭମେଳା ଫେରନ୍ତା

ଭୁବନେଶ୍ବର : ଆଶ୍ବିନ ମାସ କୃଷ୍ଣ ପକ୍ଷ କିମ୍ବା ଚୈତ୍ର ମାସ କୃଷ୍ଣ ପକ୍ଷରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କଲେ ସ୍ବର୍ଗ ପ୍ରାପ୍ତି ହୁଏ। ବର୍ଷର ଏହି ଦୁଇ ପକ୍ଷରେ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଦେଲେ ଦିବଂଗତ ଆତ୍ମାକୁ ଶାନ୍ତି ମିଳେ ବୋଲି ବିଶ୍ବାସ ରହିଛି। ଏଣୁ ବହୁ ଲୋକ ଏହି ସମୟରେ ଉତ୍ତର ଭାରତର ହରିଦ୍ବାର, ଋଷିକେଶ, କାଶୀ, ଗୟା ଆଦି ଯାଇ ଗଙ୍ଗାରେ ଅସ୍ଥି ବିସର୍ଜନ କରନ୍ତି। ରାଜଧାନୀ ପାଇଁ ଏହି ଅସ୍ଥି ବିସର୍ଜନ ଫେରନ୍ତା ଏବେ ଚିନ୍ତାର ବିଷୟ ପାଲଟିଛନ୍ତି। ଉତ୍ତର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ନଥିବାବେଳେ ସେଠାରୁ ଯେଉଁମାନେ ଫେରିଛନ୍ତି ଏବେ ସେଥିରୁ ଅଧିକାଂଶ କରୋନା ଆକ୍ରାନ୍ତ ହେବାରେ ଲାଗିଲେଣି। ଗତ ସପ୍ତାହରେ ଚୈତ୍ରମାସ କୃଷ୍ଣ ପକ୍ଷ ଶେଷ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ରାଜଧାନୀରୁ ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଯାଇଥିବା ଶହଶହ ଲୋକ ଫେରିଲେଣି। ସେଠାରୁ ଫେରିବା ସମୟରେ କିଛି ଲୋକ କୋଭିଡ୍‌ ପରୀକ୍ଷା ରିପୋର୍ଟ ଆଣିଥିବାବେଳେ ବହୁ ଲୋକ କୋଭିଡ ରିପୋର୍ଟ ଆଣିନଥିଲେ। ତେଣୁ ୭ଦିନିଆ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଏବେ ସଙ୍ଗରୋଧରେ ଥିବା ଏବଂ ସଙ୍ଗରୋଧ ନିୟମ ନ ମାନି ବାହାରେ ବୁଲୁଥିବା କିଛି ଲୋକ କରୋନା ଆକ୍ରାନ୍ତ ହେବାରେ ଲାଗିଲେଣି। ଯାହା ବରୁମଣ୍ଡା ଗାଁରେ ଦେଖିବାକୁ ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରମୁଣ୍ଡା ଗାଁରୁ ୩୫ଜଣ ଅସ୍ଥି ବିସର୍ଜନ ପାଇଁ ହରିଦ୍ବାର ଓ ଋଷିକେଶ ଯାଇଥିଲେ। ଏବେ ଏଥିରୁ ୨୧ଜଣରୁ ଅଧିକ କରୋନା ଆକ୍ରାନ୍ତ ହୋଇସାରିଲେଣି। ଏହାବାଦ୍ ସେମାନଙ୍କ ପରିବାର ଲୋକ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ବରମୁଣ୍ଡାରେ ଏବେ ପ୍ରତିଦିନ ପ୍ରାୟ ୧୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏଥିରୁ ଅଧିକାଂଶ ଉତ୍ତରଭାରତ ଫେରନ୍ତା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ବୋଲି ଜଣାପଡ଼ିଛି।
କେବଳ ବରମୁଣ୍ଡା ଗାଁ ବିଷୟରେ ଜଣାପଡ଼ିଥିଲେ ହେଁ, ରାଜଧାନୀର ସବୁଠୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିବା ଖଣ୍ଡଗିରି, ପୁରୁଣା ଭୁବନେଶ୍ବର, ନୂଆପଲ୍ଲୀ, ପଟିଆ ସମେତ ବିଭିନ୍ନ ଅଞ୍ଚଳରେ ଏବେ ଉତ୍ତର ଭାରତ ଫେରନ୍ତା କରୋନା ଆକ୍ରାନ୍ତ ହେଲେଣି। ଏପରିକି କିଛି ଲୋକ ଟ୍ରେନ୍‌ ଓ ବିମାନରେ ଆସିବା ସମୟରେ ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇଥିଲେ ବି ସେମାନେ ପରବର୍ତ୍ତୀ ସମୟରେ ଅସୁସ୍ଥ ହେବାରୁ କୋଭିଡ ଟେଷ୍ଟ କରିଥିଲେ। ଏଥିରୁ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏବେ କୁମ୍ଭମେଳା ଫେରନ୍ତାଙ୍କୁ ଟାର୍ଗେଟ୍ କରୁଥିବାବେଳେ ମହାରାଷ୍ଟ୍ର ଓ ଉତ୍ତର ଭାରତ ଫେରନ୍ତା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Share Now:

Kalinga News Beuro

Next Post

ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦ ଆଣୁଛି କରୋନା

Mon Apr 19 , 2021
ଗର୍ଭଧାରଣ ସ୍ଥଗିତ ରଖିବାକୁ ମହିଳାଙ୍କୁ ପରାମର୍ଶ ଦେଲା ବ୍ରାଜିଲ୍ ଅହମଦାବାଦ : ଦ୍ବିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହୋଇଛି। ଚଳିତ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ସବୁ ରାଜ୍ୟରେ ମାଡ଼ିଲାଣି। ଗୁଜରାଟରେ ମଧ୍ୟ ଗତ ୨୪ ଘଣ୍ଟାରେ ୯,୫୪୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଗୁଜରାଟରେ ଡାକ୍ତରମାନେ କହିଛନ୍ତି, ଦ୍ବିତୀୟ ଲହରରେ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। […]
ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଅଧିକ ବିପଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial