ରାଜଧାନୀରେ କୋଭିଡ୍‌ ହସ୍ପିଟାଲ ସଂଖ୍ୟା ବଢ଼ୁଛି: ଶଯ୍ୟା ଅଭାବ ହେବନି

ରାଜଧାନୀରେ କୋଭିଡ୍‌ ହସ୍ପିଟାଲ ସଂଖ୍ୟା ବଢ଼ୁଛି

ଖୋଲିବ କିମ୍‌ସ କୋଭିଡ୍‌ ହସ୍ପିଟାଲ,ଉପଲବ୍ଧ ହେବ ଆଉ ୫୦୦ ଶଯ୍ୟା

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮୫ରେ ପହଞ୍ଚିଲାଣି। ତେଣୁ ରାଜଧାନୀରେ ଯେପରି କୌଣସି ଆକ୍ରାନ୍ତ ଚିକିତ୍ସା ଅବହେଳାରୁ ପ୍ରାଣ ନ ହରାନ୍ତି ସେଥିପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ୬ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିଛନ୍ତି। ଏବେ ୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବାବେଳେ ଦୁଇ ଦିନରେ ଆଉ ଦୁଇଟି କୋଭିଡ ହସ୍ପିଟାଲ ଖୋଲିବ ବୋଲି ସୂଚନା ମିଳିଛି। ବିଏମ୍‌ସିର ସୂଚନା ଅନୁଯାୟୀ ରାଜଧାନୀରେ ୬ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ୨୦୩୭ଟି ଶଯ୍ୟା ବ୍ୟବସ୍ଥା ହୋଇଥିବାବେଳେ ଦୁଇଟି କୋଭିଡ୍‌ କେୟାର ସେଣ୍ଟରରେ ୧୦୦ଟି ଶଯ୍ୟା ଅଛି। ଏବେ ରାଜଧାନୀରେ ୩୦୩୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶଯ୍ୟା ଥିବାବେଳେ ପ୍ରାୟ ୭୦୦ ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏବେ ସମ୍‌ ହସ୍ପିଟାଲରେ ୪୭୨ଟି ସାଧାରଣ ଶଯ୍ୟା, ୧୪୯ଟି ଆଇସିୟୁ, ଏଚ୍‌ଡିୟୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ୧୦୦ଟି, ସ୍ବତନ୍ତ୍ର ଶଯ୍ୟା ୫୦ଟିକୁ ମିଶାଇ ମୋଟ୍‌ ୭୭୧ଟି ଶଯ୍ୟା ରହିଛି। ଏଠାରେ ୭୫ଜଣଙ୍କୁ ଭେଣ୍ଟିଲେଟର ସହାୟତାରେ ରଖିବା ବ୍ୟବସ୍ଥା ଅଛି। ସେହିପରି ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲରେ ‌େମାଟ୍ ୯୫ଟି ଶଯ୍ୟା ଥିବାବେଳେ ଏଥିରେ ୩୦ଟି ସାଧାରଣ ଶଯ୍ୟା, ୪୦ଟି ଆଇସିୟୁ, ୨୫ଟି ଏଚ୍‌ଡିୟୁ ରହିଛି। ଏଠାରେ ୩୦ଜଣଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇପାରିବ। ଏହା ବ୍ୟତୀତ ହାଇଟେକ୍‌ ହସ୍ପିଟାଲରେ ୨୪୬ଟି ଶଯ୍ୟା ଥିବାବେଳେ ନୀଳାଚଳ ହସ୍ପିଟାଲରେ ୧୦୦ଟି ଶଯ୍ୟା ଏବେ ଅଛି। ଏହି ୪ଟି ହସ୍ପିଟାଲରେ ଏବେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଉଛି। ଏହାବାଦ୍ ଗୁରୁବାରଠାରୁ ମଞ୍ଚେଶ୍ବରସ୍ଥିତ ବ୍ଲୁ ହୁଇଲ୍‌ ହସ୍ପିଟାଲ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେବ। ଏଠାରେ ୫୦ଟି ସାଧାରଣ ଶଯ୍ୟା ଥିବାବେଳେ ୩୫ଟି ଆଇସିୟୁ ଓ ୩୫ଟି ଏଚ୍‌ଡିୟୁ ଶଯ୍ୟା ରହିଛି। ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏହି ହସ୍ପିଟାଲ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି।
ସେହିପରି ଶୁକ୍ରବାରଠାରୁ ରାଜଧାନୀରେ କିମ୍‌ସ କୋଭିଡ ହସ୍ପିଟାଲ କାର୍ଯକ୍ଷମ ହେବ। ଏଠାରେ ମୋଟ୍ ୫୦୦ଟି ଶଯ୍ୟାରେ ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ମିଳିବ। ଏଥିରେ ୩୫୦ଟି ସାଧାରଣ ଶଯ୍ୟା ଥିବାବେଳେ ୬୦ଟି ଆଇସିୟୁ ଓ ୯୦ଟି ଏଚ୍‌ଡିୟୁ ରହିବ। କମିସନର ବି ଏହି ହସ୍ପିଟାଲ ପରିଦର୍ଶନ କରିଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆକ୍ରାନ୍ତଙ୍କ ଚାହିଦାକୁ ଦେଖି ହସ୍ପିଟାଲ ସଂଖ୍ୟା ବଢ଼ାଯାଇଛି। ଭୁବନେଶ୍ବରକୁ ବାହାର ଜିଲ୍ଲାରୁ ବହୁ ଗୁରୁତର ଆକ୍ରାନ୍ତ ଚିକିତ୍ସା ପାଇଁ ଆସୁଥିବାରୁ ଏଠାରେ ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର ଶଯ୍ୟାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସବୁ ହସ୍ପିଟାଲରେ ଯଥାସମ୍ଭବ ଆଇସିୟୁ ଓ ଭେଣ୍ଟିଲେଟର ବଢ଼ାଯାଇଛି। ଆଗକୁ ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ ତେବେ ଆମେ ଏଠାରେ ଶଯ୍ୟା ବଢ଼ାଇବୁ। ଏବେ ୬ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ଥିବାବେଳେ ବିଏମ୍‌ସି ପକ୍ଷରୁ ଦୁଇଟି କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ପଟିଆରେ ୪୦ଶଯ୍ୟା ବିଶିଷ୍ଟ ଓ ଡୁମଡୁମାରେ ୬୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିଛି। ଏଠାରେ ପ୍ରାୟ ୨୦ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଖୁବ୍‌ ଶୀଘ୍ର କିଡ୍‌ସ କୋଭିଡ ହସ୍ପିଟାଲ ଓ ସ୍ପର୍ଶ କୋଭିଡ ହସ୍ପିଟାଲ ମଧ୍ୟ ଖୋଲିବ। ଏହାସହ କୋଭିଡ୍‌ କେୟାର ସେଣ୍ଟରକୁ ଆବଶ୍ୟକସ୍ଥଳେ ବଢ଼ାଯିବ। ରାଜଧାନୀରେ ଯେପରି ଶଯ୍ୟାର ଅଭାବ ରହିବନି ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହାସହ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରୁଛନ୍ତି ସେମାନେ ଘରେ ରୁହନ୍ତୁ। ଯଦି କିଛି ସ୍ବା‌ସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ବା ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ୧୯୨୯ ନମ୍ବରରେ ଫୋନ୍‌ କରି ହସ୍ପିଟାଲରେ ଭର୍ତ୍ତି ହୁଅନ୍ତୁ। ଭୁବନେଶ୍ବରରେ ଶଯ୍ୟା କି ଅମ୍ଳଜାନର ଅଭାବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

୧୬ରେ ପିପିଲି ଭୋଟ୍‌: ଗଣତି ୧୯ରେ

Fri Apr 23 , 2021
ଭୁବନେଶ୍ବର : ଭାରତର ନିର୍ବାଚନ କମିସନ ଆଜି ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରିଛନ୍ତି। ମେ’ ୧୩ ନୁହେଁ, ବରଂ ମେ’ ୧୬ ତାରିଖରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ମେ’୧୯ ତାରିଖରେ ଭୋଟଗଣତି ଏବଂ ମେ’୨୧ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ […]
ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial