ବିଶ୍ୱ ଆଖିରେ ଧୂଳି ଦେଇଥିଲା ଚୀନ୍‌: ଉହାନ୍‌ ମୃତ୍ୟୁସଂଖ୍ୟା ୫୦% ବୃଦ୍ଧି

ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ୱୀକାର କଲା ଚୀନ୍‌, ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି

ବେଜିଂ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହର ହୋଇଥିଲେ ମଧ୍ୟ ଚୀନ୍‌ ବିଶ୍ୱବାସୀଙ୍କୁ ଉହାନ୍‌ର କରୋନା ମୃତ୍ୟୁ ନେଇ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲା। ଆଜି ହଠାତ ଚୀନ୍‌ ଉହାନ୍‌ ମୃତ୍ୟୁ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇଛି ଏବଂ ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି କରିଛି। ତେଣୁ କରୋନା ଭାଇରସ୍‌ ଯୋଗୁଁ ପ୍ରକୃତରେ ଚୀନ୍‌ରେ କେତେ ମୃତ୍ୟୁ ହୋଇଛି ସେନେଇ ଏବେ ଦ୍ଵନ୍ଦ ବଢ଼ିଛି। ଆମେରିକା ବାରମ୍ବାର ଅଭିଯୋଗ କରି ଆସିଛି ଯେ, ଚୀନ୍‌ କରୋନା ଭାଇରସ୍‌ ସଂକ୍ରାନ୍ତ ପ୍ରକୃତ ତଥ୍ୟ ଲୁଚାଉଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ଚୀନ୍‌ ବିଶ୍ୱବାସୀଙ୍କୁ ଧୂଳି ଦେଇ ଭିନ୍ନ ଚିତ୍ର ଦେଖାଇ ଆସୁଥିବା କହି ଆସୁଛନ୍ତି। ଆଜି ପୂର୍ବ ତଥ୍ୟରେ ତ୍ରୁଟି ଥିବା ଚୀନ୍‌ ସ୍ୱୀକାର କରିଛି। ଉହାନ୍‌ରେ ପୂର୍ବରୁ ୨୫୭୯ ମୃତ୍ୟୁ ହୋଇଥିବା ଚୀନ୍‌ ସରକାରୀ ତଥ୍ୟରୁ ଜଣାପଡ଼ିଥିଲା। କିନ୍ତୁ ଚୀନ୍‌ ଉହାନ୍‌ର ମୃତ୍ୟୁସଂଖ୍ୟାକୁ ଏବେ ୫୦ ପ୍ରତିଶତ ବଢ଼ାଇ ଦେଇଛି। ଉହାନ୍‌ରେ ଆଉ ଅଧିକ ୧୨୯୦ ଲୋକ ମୃତ୍ୟୁ ହୋଇଥିବା ଚୀନ୍‌ କହିଛି। ଏଥିସହ ଉହାନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୩,୮୬୯କୁ ବୃଦ୍ଧି ପାଇଛି। ତେବେ ଉହାନ୍‌ରେ ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ବଢ଼ିବାପରେ ସମଗ୍ର ଦେଶର ମୃତ୍ୟୁସଂଖ୍ୟା ମଧ୍ୟ ପ୍ରାୟ ୪୦ ପ୍ରତିଶତ ବଢ଼ିଛି। ନୂଆ ତଥ୍ୟ ‌ଯୋଡ଼ିହେବା ପରେ ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪,୬୩୨କୁ ବୃଦ୍ଧି ପାଇଛି। ଉହାନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫କୁ ବୃଦ୍ଧି ପାଇଛି ଏବଂ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୩୩୩ରେ ରହିଛି। ତେବେ ଚୀନ୍‌ର ଉହାନ୍‌ ସହରରେ ମୃତ୍ୟୁସଂଖ୍ୟା ବଢ଼ାଯିବା ଏବଂ ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ୱୀକାର କରିବାପରେ ଏବେ ପୁଣି ଆକଳନ କରାଯାଉଛି ଯେ, ଚୀନ୍‌ରେ ସରକାରୀ ତଥ୍ୟ ଅନୁଯାୟୀ ଯେତିକି ମୃତ୍ୟୁସଂଖ୍ୟା ରହିଛି ପ୍ରକୃତରେ ତା’ଠାରୁ ଯଥେଷ୍ଟ ଅଧିକ ମୃତ୍ୟୁସଂଖ୍ୟା ରହିଥିବ। ସରକାରୀ ନ୍ୟୁଜ୍‌ ଚ୍ୟାନେଲ ସିଜିଟିଏନ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରାଥମିକ ପର୍ଯ୍ୟାୟରେ କମ୍‌ ହସ୍ପିଟାଲ୍‌ ଏବଂ ମେଡିକାଲ କର୍ମୀଙ୍କ ଅଭାବ ଯୋଗୁଁ କିଛି ମେଡିକାଲ ଅନୁଷ୍ଠାନ ସଠିକ୍‌ ସମୟରେ ସ୍ଥାନୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପଦ୍ଧତି ସହ ଯୋଗଯୋଗ କରିପାରିନଥିଲେ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିବାରେ ବିଳମ୍ବ ହୋଇଥିଲା ଏବଂ ରୋଗୀଙ୍କୁ ବି ସଠିକ୍‌ ଭାବେ ଗଣିବାରେ କିଛିଟା ତ୍ରୁଟି ରହିଥିଲା। ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସର ସମ୍ପାଦକୀୟରେ ଚୀନ୍‌ ଦ୍ୱାରା ହୋଇଥିବା ସଂଶୋଧନକୁ ସୁରକ୍ଷା ଦେଇ କୁହାଯାଇଛି ଯେ, ଏହା ତଥ୍ୟ ଆଧାରରେ ଏକ ଦାଇତ୍ୱସମ୍ପନ୍ନ ସଂଶୋଧନ ଅଟେ। ଉହାନ୍‌ ମୃତ୍ୟୁସଂଖ୍ୟାରେ ଭୁଲ୍‌ ହେବାନେଇ ବିଭିନ୍ନ କାରଣ ଦର୍ଶାଯାଇଛି। ସହରର ମେଡିକାଲ୍‌ କର୍ମଚାରୀମାନେ ପ୍ରଥମେ ସଂକ୍ରମଣ ବଢ଼ିବାରୁ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏଣୁ ଅନେକ ‌କ୍ଷେତ୍ରରେ ମାମଲା ଗୁଡ଼ିକର ବିଳମ୍ବ ରିପୋର୍ଟିଂ କରାଯାଉଥିଲା। ଟେଷ୍ଟିଂ ଏବଂ ଚିକିତ୍ସା ଅଭାବରୁ ମଧ୍ୟ କିଛି ରୋଗୀଙ୍କର ଘରେ ମୃତ୍ୟୁ ହୋଇଥିବାରୁ ଏହାକୁ ଗଣନା କରାଯାଇନଥିଲ।

Share Now:

Kalinga News Beuro

Leave a Reply

Next Post

ବମିଖାଲରେ ରାପିଡ୍‌ ଟେଷ୍ଟ, ପ୍ରଥମ ଦିନରେ ୮୩୮ ନମୁନା ସଂଗ୍ରହ

Sun Apr 19 , 2020
୭ ଦିନରେ ୫ହଜାର ନମୁନା ସଂଗ୍ରହ ପାଇଁ ଜୋରଦାର ହେଲା ଅଭିଯାନ ଭୁବନେଶ୍ୱର : କରୋନା ହଟସ୍ପଟ୍‌ ପାଲଟିଥିବା ଭୁବନେଶ୍ୱରରେ ଆଜିଠାରୁ ନମୁନା ସଂଗ୍ରହ ଜୋରଦାର୍ ହୋଇଛି। ୭ ଦିନରେ ୫ ହଜାର କୋଭିଡ୍‌-୧୯ ପରୀକ୍ଷା ହେବାକୁ ଥିବାରୁ ପ୍ରଥମ ଦିନରେ ୮୩୮ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଏଥିରେ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୫୩ଜଣ, ଉତ୍ତର ଜୋନରେ ୯୬ଜଣ ଏବଂ ଦକ୍ଷିଣ-ପୂର୍ବ ଜୋନରେ ୫୮୯ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଦକ୍ଷିଣ-ପଶ୍ଚିମ […]

ଆହୁରି ପଢ଼ନ୍ତୁ