ରାଜଧାନୀରେ ଅଙ୍ଗଡ଼ାଇ ସ୍କିମ : କୋଟିଏ ଦେଲେ ଆସିବ ଦେଢ଼ କୋଟି !

ରାଜଧାନୀରେ ଅଙ୍ଗଡ଼ାଇ ସ୍କିମ୍

ଭୁବନେଶ୍ୱର: ହାଓ୍ୱଲା ସ୍କାମ୍ କାରବାର ବେଳେ ରାଜଧାନୀରୁ ଧରାପଡ଼ିଲା ୧ କୋଟିର ନଗଦ ଟଙ୍କା। କୋଟିଏକୁ ଦେଢ଼ କୋଟି କରିବାର ମୋହରେ ପଡ଼ି ଜଣେ ବ୍ୟବସାୟୀ ଏହି ସ୍କାମରେ ଫସିବା ପରେ ସାମ୍ନାକୁ ଆସିଛି ଠକେଇର ଏହି ନୂଆ ଫଣ୍ଡା। ଏନେଇ କମିଶନରେଟ୍ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ରାଜଧାନୀର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରୁ ଜବତ ହୋଇଛି ପୁଳା ପୁଳା ଟଙ୍କା। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ଟଙ୍କା। କମିଶନରେଟ୍ ପୋଲିସ ଏହି ଟଙ୍କା ଜବତ କରିଛି। ତେବେ ଏହି ଟଙ୍କା ଜବତ ପଛରେ ରହିଛି ବଡ଼ ଧରଣର ହାଓ୍ୱଲା ସ୍କାମ୍। ପୋଲିସ କମିଶନରଙ୍କ ସୂଚନା ଅନୁସାରେ ଅଙ୍ଗାଡ଼ାଇ ନାଁରେ ଚାଲିଥିବା ଏକ ହାଓ୍ୱଲା ସ୍କିମରେ ଜଣେ ବ୍ୟବସାୟୀଙ୍କ କୋଟିଏ ଟଙ୍କାକୁ ଦେଢ଼ କୋଟି କରି ଦେବାର ଲୋଭ ଦେଖାଇ ରାଜଧାନୀରେ ଚାଲିଥିଲା ଏହି କାରବାର। ତେବେ ଡିଲ୍ ମଝିରେ କିଛି ପୋଲିସ କର୍ମଚାରୀ, ଆଉ କିଛି ଲୋକ ସାମିଲ ଥିବାରୁ ପୁରା ଘଟଣା କଣ, ତା ଉପରୁ ପରଦା ହଟାଇବାକୁ ଚେଷ୍ଟା କରୁଛି କମିଶନରେଟ୍ ପୋଲିସ।
କରଞ୍ଜିଆର କମଲ ଶାହ ନାମକ ଏହି ବ୍ୟବସାୟୀଙ୍କୁ ଅଙ୍ଗାଡ଼ାଇ ସ୍କିମର ଲୋଭ ଦେଖାଇ ଭୁବନେଶ୍ୱର ଡକାଇଥିଲେ। ତାଙ୍କର ଅନ୍ୟ ଜଣେ ବ୍ୟବସାୟୀ ବନ୍ଧୁ ମହେଶ୍ୱର ସାହୁ। କମଲଙ୍କଠୁ କୋଟିଏ ନଗଦ ଟଙ୍କା ନେଇ ଆକାଉଣ୍ଟରେ ଦେଢ଼ କୋଟି ଦେବାର ଲୋଭ ଦେଖାଇଥିଲେ। ସ୍କିମ ସମ୍ପର୍କରେ ଡିଲ ଚାଲିଥିଲା ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ରୁମରେ। ଏହି ପୁରା ସ୍କିମର ମାଷ୍ଟର ମାଇଣ୍ଡ ଥିଲା ପୁରୀ ଅଞ୍ଚଳର ପ୍ରଶାନ୍ତ ପଣ୍ଡା। ତେବେ ହୋଟେଲ ରୁମରେ କାରବାର ଚାଲିଥିବା ବେଳେ କମିଶନରେଟ୍ ପୋଲିସର ତିନି କନଷ୍ଟେବଳଙ୍କ ଏଣ୍ଟ୍ରି ଏବଂ କୋଟିଏରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଗାଏବ ପରେ ମାମଲା ଓଲଟପାଲଟ ହୋଇଥିଲା। କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଚଢାଉ କରିବା ପରେ ତିନି କନଷ୍ଟେବଳଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହାସହ ୯୯ ଲକ୍ଷ ୫୦ ହଜାର ଟଙ୍କା ଓ ଏକ ଇନୋଭା କାର ମଧ୍ୟ ଜବତ ହୋଇଛି।
ମଙ୍ଗଳବାର ଏତେ ଟଙ୍କା ଜବତ ପରେ ଆରମ୍ଭରୁ ଏହା ବେଟିଂ ବୋଲିଂ ଚର୍ଚ୍ଚା ହେଉଥିଲା। ତେବେ ପୋଲିସ କମିଶନର ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ଦେବା ପରେ ଏହା ଏକ ବଡ଼ ଧରଣର ହାଓ୍ୱଲା ସ୍କାମ୍ ବୋଲି ଜଣାପଡ଼ିଛି। ସେପଟେ ଗିରଫ ମାଷ୍ଟର ମାଇଣ୍ଡ୍ ପ୍ରଶାନ୍ତ ପଣ୍ଡା ଓ ଅନ୍ୟ ଅଭିଯୁକ୍ତଙ୍କ ଟ୍ରାକ୍ ରେକର୍ଡ କଣ, ଆଗରୁ ଏଭଳି ସ୍କାମରେ ଠକେଇ ହୋଇଛି କି ନାହିଁ ଏବଂ ଏହି ସ୍କାମ୍ ସହ ଓଡ଼ିଶା ବାହାରେ ଲିଙ୍କ୍ ରହିଛି କି ନାହିଁ ? ସେ ନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ।

Share Now:

Kalinga News Beuro

Next Post

ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି

Thu Apr 29 , 2021
ଜୁଲାଇ ପୂର୍ବରୁ ନିସ୍ତାର ନାହିଁ: ‘ସୂତ୍ର’ ମଡେଲ ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି। ଏହି ଦୁଇ ସହରରେ ଅଧିକ ସଂଖ୍ୟାରେ ପ୍ରବାସୀ ରହୁଥିବାରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଲୋକମାନଙ୍କୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଆଜି ଡରାଇବା ଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଲୋକମାନଙ୍କ ଭିତରେ ଭୟର […]
ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial