ପୁଲିସ ସହାୟତାରେ ଖାଲି ହେଲା ଜବରଦଖଲ ହଷ୍ଟେଲ୍‌ : ୪୦ରୁ ଅଧିକ ଛାତ୍ରୀ ହଟହଟା

ଜବରଦଖଲ ହଷ୍ଟେଲ୍‌ ଖାଲି କଲା ପୁଲିସ୍‌

ଭୁବନେଶ୍ୱର: ସହିଦନଗରରେ ଏକ ଲେଡିଜ୍‌ ହଷ୍ଟେଲ କରିଥିବା ବ୍ୟକ୍ତି ଭଡ଼ା ନଦେଇ ଘରକୁ ମାଡ଼ିବସିଥିବା ମାମଲାରେ ଆଜି ପୁଲିସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ କୋଠାକୁ ମୁକୁଳାଇଛି। ତେବେ ହଠାତ୍ ପୁଲିସର ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଯୋଗୁ ୪୦ରୁ ଅଧିକ ଛାତ୍ରୀ ବେଶ୍ ହଟାହଟା ହୋଇଛନ୍ତି। ହଷ୍ଟେଲ ମାଲିକ ସେମାନଙ୍କୁ ଟଙ୍କା ଫେରାଇଥିଲେ ମଧ୍ୟ ଅଚାନକ ବେଘର ହୋଇପଡ଼ିଥିବା ଛାତ୍ରୀମାନେ ରାଜରାସ୍ତାରେ ଖରାରେ ବସି ହନ୍ତସନ୍ତ ହୋଇଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନାନୁସାରେ ପ୍ରାୟ ୧୫ ବର୍ଷ ତଳେ ଅନସୂୟା ସାହୁ ଏହି ହଷ୍ଟେଲ ପାଇଁ ଉମାକାନ୍ତ ଦାସଙ୍କ ସହିଦନଗର ଭବାନୀ ମଲ୍‌ ନିକଟ ପ୍ଲଟ ନଂ-୪୯/୧୮ କୋଠାକୁ ଭଡ଼ାରେ ନେଇଥିଲେ। ହେଲେ ଚୁକ୍ତି ଅନୁସାରେ ଭଡ଼ା ଦେଲେନାହିଁ କି ଘର ଛାଡ଼ିଲେ ନାହିଁ। ତେଣୁ ଉମାକାନ୍ତ ୨୦୦୮ ମସିହାରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୧୩ ମସିହାରେ ଉମାକାନ୍ତଙ୍କ ଦେହାନ୍ତ ହେବା ପରେ ତାଙ୍କ ପୁଅ ଅମରେଶ ଏହି ମାମଲା ଚଳାଇଆସୁଥିଲେ। ଗତ ନଭେମ୍ବର ୨୯ ତାରିଖରେ ଘର ଛାଡ଼ିବାକୁ ‌କୋର୍ଟ ପକ୍ଷରୁ ଅନସୂୟାଙ୍କୁ ନୋଟିସ୍‌ କରାଯାଇଥିଲା ଏବଂ ଏଥିପାଇଁ ସହିଦନଗର ଥାନା ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଥିଲା।
ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ସହିଦନଗର ଥାନା ପୁଲିସ ହଷ୍ଟେଲ୍‌ ଖାଲି କରିବାକୁ ପହଞ୍ଚିଥିଲା। ଛାତ୍ରୀମାନଙ୍କଠାରୁ ଫୋନ୍‌ ପାଇବା ପରେ ଅନସୂୟାଙ୍କ ସ୍ୱାମୀ ନବକିଶୋର ସାହୁ ସେଠାରେ ପହଞ୍ଚିଥିଲେ। ଛାତ୍ରୀମାନେ ତାଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ। ହଠାତ୍ ସେମାନେ କୁଆଡ଼େ ଯିବେ ବୋଲି ନବଙ୍କୁ ଘେରିଥିଲେ। ନିଜ ନିଜର ଲଗେଜ୍‌ ଧରି ରାସ୍ତାରେ ବିକଳ ହେଉଥିବା ଛାତ୍ରୀମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ବି ନବଙ୍କୁ ଘେରିଥିଲେ। ନବ ଛାତ୍ରୀମାନଙ୍କୁ ଅଗ୍ରୀମ ଟଙ୍କା ଫେରାଇଥିଲେ। ଏହାପରେ ଛାତ୍ରୀମାନେ ନିଜ ନିଜ ସମ୍ପର୍କୀୟମାନଙ୍କୁ ଡକାଇ ଘରକୁ ଚାଲିଯାଇଥିଲେ। ବିଭିନ୍ନ କଲେଜରେ ପଢ଼ୁଥିବା ଓ ଚାକିରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏହି ଛାତ୍ରୀମାନେ ବର୍ଷ ଅଧାରୁ ହଷ୍ଟେଲ ଛାଡ଼ିଥିବାରୁ ବେଶ୍‌ ସମସ୍ୟାରେ ପଡ଼ିଥିବା କହିଛନ୍ତି।

Share Now:

Kalinga News Beuro

Next Post

ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ୬ ମୃତଦେହ ଉଦ୍ଧାର, ଏବେ ବି ୨୩ ନିଖୋଜ

Wed Dec 21 , 2022
ବ୍ୟାଙ୍କକ୍ : ଥାଇଲାଣ୍ଡ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାକୁ ୩ ଦିନ ହୋଇଯାଇଥିଲେ ବି ଏବେ ବି ୨୩ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ଜୀବିତ ରହିବା ସମ୍ଭାବନା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୨୯ ଜଣ ନିଖୋଜ ଥିବାବେଳେ ବୁଧବାର ସକାଳେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨୩ ଜଣଙ୍କ ସନ୍ଧାନ କାର୍ଯ୍ୟ ଏବେ ବି ଜାରି ରହିଛି। ସେମାନଙ୍କ ସନ୍ଧାନ […]
ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial