ଧରାପଡ଼ିଲେ ୩ ଚୋର : ଚୋରି ସାମଗ୍ରୀ ଉଦ୍ଧାର

୩ ଚୋର ଧରାପଡ଼ିଲେ

ଓଏଏସ୍‌ ଅଫିସର ଓ ବିଧାୟକଙ୍କ କ୍ବାର୍ଟର୍ସରୁ ବି ଚୋରି କରିଥିଲେ

ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲର ଜଣେ ଡାକ୍ତରାଣୀଙ୍କ ଘରୁ ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୮ ହଜାର ୪ଶହ ଟଙ୍କା ଓ ବାଥ୍‌ରୁମ୍‌ ଫିଟିଙ୍ଗ୍‌ସ ଜବତ କରାଯାଇଛି। ତେବେ ଚୋରି ସୁନା ଗହଣା ଜବତ କରାଯାଇ ପାରିନାହିଁ। ଅଭିଯୁକ୍ତମାନେ ହେଉଛନ୍ତି ଡୁମୁଡୁମା ରଘୁନାଥପୁରର ମନୋଜ ବେହେରା, ରାମମନ୍ଦିର ପାଖରେ ରହୁଥିବା ଗଞ୍ଜାମ ମାଳି ଜଗନ୍ନାଥପୁରର ରାଜେଶ ମହାପାତ୍ର ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ରହୁଥିବା କଟକ ସାଲେପୁରର ଅଶୋକ ବେହେରା। ତେବେ ଏମାନଙ୍କର ମୁଖ୍ୟ ସହଯୋଗୀ ଫେରାର ରହିଛି। ସୁନା ଗହଣା ସମେତ ନଗଦ ଟଙ୍କା ମଧ୍ୟ ସେ ନେଇ ଯାଇଛି। ତାକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି। କେଶରୀ ଫିଲ୍ମ ହଲ ନିକଟରେ ରହୁଥିବା କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ସରିତା ମଲ୍ଲିକ ଗତ ୯ ତାରିଖ ରାତିରେ ଡ୍ୟୁଟିରେ ଯାଇଥିଲେ। ଏମାନେ ପାଚେରି ଡେଇଁ କବାଟ ଭାଙ୍ଗି ଘରେ ପଶିଥିଲେ। ଘରୁ ପାଣି ପମ୍ପ, ୪୦ ହଜାର ଟଙ୍କା ଓ ସୁନାଗହଣା ନେଇ ଯାଇ ପଳାଇଥିଲେ। ସରିତା ଘରକୁ ଆସି ଦେଖିବା ବେଳକୁ ଘର ଖୋଲା ପଡ଼ିବା ସହ ସୁନା ଅଳଙ୍କାର ଆଲମିରାରେ ନଥିଲା। ଏ ନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସମାନ ଧରଣର ଆଉ ଦୁଇଟି ଚୋରି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରୁଥିଲା। ଏମାନେ ବାଥ୍‌ରୁମ୍‌ ଫିଟିଙ୍ଗ୍‌ସ୍‌ ବିକ୍ରି କରୁଥିବା ବେଳେ ପୁଲିସ ଖବର ପାଇ ଚଢ଼ଉ କରି ଧରିଥିଲା। ଗତ ମାସରେ ଏମାନେ କୋଟପାଡ଼ ବିଧାୟକ ମନୋହର ରନ୍ଧାରୀଙ୍କ ସରକାରୀ ବାସଭବନରୁ ମଧ୍ୟ ଚୋରି କରିଥିଲେ। ସେ କ୍ବାର୍ଟର୍ସ ଛାଡ଼ି ଦେଇଥିଲେ। ଖାଲି ପଡ଼ିଥିବା କ୍ବାର୍ଟର୍ସରେ ଏମାନେ କବାଟ ଭାଙ୍ଗି ପଶି ବାଥ୍‌ରୁମ୍‌ ଫିଟିଙ୍ଗ୍‌ସ୍‌ ତାଡ଼ି ନେଇ ପଳାଇଥିଲେ। ପରଦିନ ସକାଳେ କବାଟ ଭାଙ୍ଗିଥିବା ଖବର ପାଇ ବିଧାୟକଙ୍କ ପିଏସ୍‌ଓ ସାରଦା ମହାପାତ୍ର ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ତାଙ୍କ ଘରୁ ଚୋରି ହୋଇଥିବା ଏହି ସବୁ ବାଥ୍‌ରୁମ୍‌ ଫିଟିଙ୍ଗ୍‌ସ୍‌ ଜବତ କରାଯାଇଛି। ସେହିପରି ଗତ ୮ ତାରିଖ ଦିନ ଏମାନେ ଓଏଏସ୍‌ ଅଫିସର ବିଶିକେଶନ ଦେହୁରୀଙ୍କ ସରକାରୀ ବାସଭବନରୁ ମଧ୍ୟ ଚୋରି କରିଥିଲେ। ସେ ସପତ୍ନୀକ ବାହାରକୁ ଯାଇଥିବା ବେଳେ ସନ୍ଧ୍ୟା ସାଢ଼େ ୭ଟା ବେଳେ କବାଟ ତାଡ଼ି ଘରେ ପଶିଥିଲେ। ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ଗୋଟିଏ ଟାବ୍‌ଲେଟ୍‌ ଓ ନଗଦ ୭ ହଜାର ଟଙ୍କା ନେଇ ଯାଇଥିଲେ। ଏ ନେଇ ଶ୍ରୀ ଦେହୁରୀ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।

Share Now:

Kalinga News Beuro

Next Post

ଲୁଟେରାଙ୍କ ଶିକାର ହେଲେ ଟିଭି ଆଙ୍କର ଗୁଡ୍ଡି: ଚଳନ୍ତା ବାଇକ୍‌ରେ ମାଡ଼ ମାରିଲେ, ନଖ ଉପାଡ଼ିଦେଲେ

Mon Mar 22 , 2021
ପୁରୁଣା ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଲୁଟପାଟ୍ ଥମିବାରେ ନାଁ ଧରୁନି। ଗତକାଲି ରାତିରେ ପୁରୁଣା ଭୁବନେଶ୍ବର ବିବେକାନନ୍ଦ ମାର୍ଗରେ ମହିଳା ଟିଭି ଆଙ୍କର ମଉଲିକାନ୍ତା ମିଶ୍ର (ଗୁଡ୍ଡି)ଙ୍କ ଭ୍ୟାନିଟି ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଆଇଫୋନ୍ ଲୁଟି ନେଇଛନ୍ତି। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତିନି ଲୁଟେରା ଏହି ଲୁଟ୍ କରିଥିବା ବେଳେ […]
ଲୁଟେରାଙ୍କ ଶିକାର ହେଲେ ଟିଭି ଆଙ୍କର ଗୁଡ୍ଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial