କରୋନା କଟକଣାରେ ବଣ୍ଟାଯିବ ବହି: ଅଭିଭାବକ ସଂଗ୍ରହ କରିବେ ପିଲାଙ୍କ ପାଠ୍ୟପୁସ୍ତକ

କରୋନା କଟକଣାରେ ବଣ୍ଟାଯିବ ବହି

ବଣ୍ଟନର ତଦାରଖ ଲାଗି ବ୍ଲକସ୍ତରୀୟ ମନିଟରିଂ କମିଟି

ଭୁବନେଶ୍ବର : କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଛି। କ୍ଲାସରୁମ୍‌ ଶିକ୍ଷା ହୋଇପାରିନାହିଁ। ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ସହ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକ ପ୍ରକାଶନ ଓ ବିତରଣ ସଂସ୍ଥା ପକ୍ଷରୁ ଛପା ଯାଇଥିବା ପାଠ୍ୟପୁସ୍ତକ ଇତିମଧ୍ୟରେ ବ୍ଲକ/ଏନ୍‌ଏସି/ମ୍ୟୁନିସିପାଲିଟିସ୍ତରରେ ପହଞ୍ଚି ସାରିଛି। ତେବେ କୋଭିଡ୍‌-୧୯ ସ୍ଥିତି ସଙ୍ଗିନ୍‌ ହେଉଥିବାରୁ ପାଠ୍ୟପୁସ୍ତକ ବଣ୍ଟନ କରିବା ସମ୍ଭବପର ହୋଇପାରିନାହିଁ। ତଥାପି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେଇ କରୋନା କଟକଣା ମଧ୍ୟରେ ମାଗଣା ପାଠ୍ୟପୁସ୍ତକ ବାଣ୍ଟିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ଏସ୍‌ଓପି ଜାରି ହୋଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ପାଠ୍ୟପୁସ୍ତକ ସଂଗ୍ରହ କରିବା ଲାଗି ଅଭିଭାବକମାନେ ସ୍କୁଲକୁ ଆସିବେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଇଡ୍‌ଲାଇନ୍‌ ଅନୁପାଳନପୂର୍ବକ ସେମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବେ। ଗୋଟିଏ ଘଣ୍ଟା ମଧ୍ୟରେ ଯେପରି ୩୦ଜଣ ଅଭିଭାବକଙ୍କୁ ବହି ଯୋଗାଣ ହେବ, ସେ ଦିଗରେ ପଦକ୍ଷେପ ନେବେ। ବହି ବଣ୍ଟନ ସମୟରେ ୧୫ଜଣ ଅଭିଭାବକ କାଉଣ୍ଟର୍‌ରେ ଓ ୧୫ଜଣ ଅପେକ୍ଷା କକ୍ଷରେ ରହିବେ। ସ୍କୁଲର ପ୍ରବେଶ ପଥରେ ଅଭିଭାବକଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ଯୋଗାଇ ଦିଆଯିବ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି କ୍ୟାମ୍ପସରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୁସ୍ତକ ବଣ୍ଟନ ଲାଗି ଅଧିକ ସଂଖ୍ୟକ କାଉଣ୍ଟର୍ ଖୋଲିବାକୁ କୁହାଯାଇଛି। ଯେଉଁମାନେ ବହି ବଣ୍ଟନ କରିବେ, ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ପାଠ୍ୟପୁସ୍ତକ ସଂଗ୍ରହ କରିବା କ୍ଷଣି ଅଭିଭାବକ ସ୍କୁଲ କ୍ୟାମ୍ପସ ଛାଡ଼ି‌ବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ପାଠ୍ୟପୁସ୍ତକ ବଣ୍ଟନ କରାଯିବ ନାହିଁ। ତେବେ ଯଦି କୌଣସି ଅଭିଭାବକ ସ୍କୁଲରୁ ପାଠ୍ୟପୁସ୍ତକ ସଂଗ୍ରହ କରିବାକୁ ଆସି ନ ପାରନ୍ତି, ସେମାନଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। ଅନୁରୂପ ଭାବେ ଓସେପା ପକ୍ଷରୁ କୁହାଯାଇଛି ଯେ ବହି ପହଞ୍ଚି ଥିବାରୁ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ଓ ବିଆରସିସି ତଥା ଏବିଇଓମାନେ ପାଠ୍ୟପୁସ୍ତକଗୁଡ଼ିକୁ ସଂଗ୍ରହ କରିବେ। ଯେଉଁ ଟ୍ରକ୍‌ରେ ବହି ଆସିଥିବ, ତାହାକୁ ତୁରନ୍ତ ଗ୍ରହଣ କରିବେ। କେବଳ ବିଇଓ ଓ ବିଆରସିସି ହିଁ ଏହାକୁ ସଂଗ୍ରହ କରିବା ସହ ଦସ୍ତଖତ, ତାରିଖ ଓ ସିଲ୍‌ ମାରିବେ। ବହିଗୁଡ଼ିକରେ ଯେପରି ଉଇ ନ ଲାଗନ୍ତି, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ବହି ବଣ୍ଟନ ଲାଗି ସ୍ବତନ୍ତ୍ର ରେଜିଷ୍ଟର ପରିଚାଳନା ହେବ। ଏସ୍‌ସି/ଏସ୍‌ଟି ଓ ଛାତ୍ରୀଙ୍କ ପାଇଁ ଅଲଗା ରେଜିଷ୍ଟର କରିବାକୁ କୁହାଯାଇଛି। ବହି ବଣ୍ଟନ ଯେପରି ଠିକ୍‌ ଭାବେ ହେବ, ସେଥିପାଇଁ ବ୍ଲକସ୍ତରୀୟ ମନିଟରିଂ କମିଟି ଗଠନ କରିବାକୁ କୁହାଯାଇଛି। ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଯେପରି ଠିକ୍‌ ଭାବେ ପାଠ୍ୟପୁସ୍ତକ ପାଇପାରି‌ବେ, ସେଥିପାଇଁ ଜିଲ୍ଲାସ୍ତରୀୟ ସେଲ୍‌ ସେଣ୍ଟରକୁ ସଠିକ୍‌ ଭାବେ ମନିଟରିଂ କରାଯିବ। ଗାଇଡ୍‌ଲାଇନ୍‌କୁ ସଠିକ୍‌ ଭାବେ ପରିଚାଳନା କରିବା ଦିଗରେ ପଦ‌କ୍ଷେପ ନେବାକୁ କୁହାଯାଇଛି।

Share Now:

Kalinga News Beuro

Next Post

୧୫୦ କୋଟିର ସହାୟତା ଘୋଷଣା କଲା ବେଦାନ୍ତ

Fri Apr 30 , 2021
ଓଡ଼ିଶାରେ ୧୦୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର କେନ୍ଦ୍ର କରିବ ଭୁବନେଶ୍ବର : ଦେଶର ପ୍ରମୁଖ ଘରୋଇ କମ୍ପାନି ବେଦାନ୍ତ କରୋନାର ଦ୍ବିତୀୟ ଲହର ମୁକାବିଲା ପାଇଁ ୧୫୦ କୋଟି ଟଙ୍କା ସହାୟତା ଯୋଗାଇ ଦେବ। ପ୍ରଥମ ଲହରରେ ୨୦୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଦାନ୍ତ ଦ୍ବିତୀୟ ଲହରରେ ଉପରୋକ୍ତ ରାଶି ଯୋଗାଇ ଦେବ ବୋଲି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି। କେନ୍ଦ୍ର ଓ […]
୧୫୦ କୋଟିର ସହାୟତା ଘୋଷଣା କଲା ବେଦାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial