୩ ମାସର ଟିକସ ଛାଡ଼, କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ଦିଆଯାଉ: ବସ ମାଲିକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ବସ୍‌ ମାଲିକ ସଂଘ

ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ବୁଧବାରରୁ ଲକ୍‌ଡାଉନ୍ ‌ଘୋଷଣା କରିଛନ୍ତି ସରକାର। ଗତ ଏପ୍ରିଲ ମାସ ସାରା ମଧ୍ୟ ସଟ୍‌ଡାଉନ୍ ଓ ଅନ୍ୟାନ୍ୟ କଟକଣା ଯୋଗୁଁ ବସ୍ରେ ଯାତ୍ରୀ ହୋଇନାହାନ୍ତି। ତେଣୁ ଏପ୍ରିଲ, ମେ, ଜୁନ ତିନି ମାସର ଟିକସ ଛାଡ଼, ବସ କିସ୍ତିର ଇଏମ୍‌ଆଇ ଅବଧି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି, ବସ ବୀମା ପ୍ରଦାନ ଅବଧି ବୃଦ୍ଧି ଏବଂ ବସ୍‌ ବ୍ୟବସାୟ ସହ ସଂପୃକ୍ତ ୨ ଲକ୍ଷ ୫୨ ହଜାର କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଦେବାକୁ ଦାବି କରିଛି ଘରୋଇ ବସ୍‌ ମାଲିକ ସଂଘ। ସଂଘ ପକ୍ଷରୁ କୁହାଯାଇଛି, ବାହାର ରାଜ୍ୟକୁ ରାଜ୍ୟର ୨୫୦ରୁ ଉର୍ଦ୍ଧ୍ବ ବସ‌ ଚଳାଚଳ ବନ୍ଦ ରହିବାରୁ ଏହା ଉପରେ ନିର୍ଭରଶୀଳ ୧୫୦୦ ପ୍ରତ୍ୟକ୍ଷ କର୍ମଚାରୀ ସେମାନଙ୍କ ରୋଜଗାର ହରାଇବା ସହିତ ବସ ମାଲିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଅନ୍ତଃରାଜ୍ୟ ବସ ଗୁଡିକ ଏପ୍ରିଲ ମାସ ପାଇଁ ୨ଟି ରାଜ୍ୟର ରୋଡ ଟିକସ ବାବଦରେ ୪୦ ହଜାର ଟଙ୍କା ସଂପୃକ୍ତ ରାଜ୍ୟକୁ ପ୍ରଦାନ କରି ସାରିଛନ୍ତି। ମଟରଯାନ ଟିକସ ଆଇନ ଅନୁଯାୟୀ ପ୍ରତ୍ୟେକ ମାସର ଟିକସ ସେହି ମାସର ୧୫ ତାରିଖ ସୁଦ୍ଧା ପୈଠ ହୋଇଥାଏ। ‌ସେହିପରି ରାଜ୍ୟ ଭିତରେ ଚଳାଚଳ କରୁଥିବା ୧୫ ହଜାର ବସ ମାଲିକ ମଧ୍ୟ ଏପ୍ରିଲ ମାସରେ ଟିକସ ପୈଠ କରି ସାରିଛନ୍ତି। ଏଭଳି ସ୍ଥିତିରେ ବସ୍‌ ମାଲିକମାନଙ୍କ ଉପରୋକ୍ତ ଦାବି ସରକାର ମାନିବେ ବୋଲି ସଂଘ ଆଶା କରିଛି। ଗତବର୍ଷ କୋଭିଡ ସମୟରେ କିଛି ବସ ମାଲିକ ବ୍ୟବସାୟର ପୁନରୁଦ୍ଧାର ପାଇଁ ଏମ୍‌ଏସ୍‌ଏମ୍‌ଇରୁ ଋଣ ନେଇଥିଲେ। ଏକ ବର୍ଷ ମଧ୍ୟରେ ଋଣ ପରିଶୋଧର ସର୍ତ୍ତ ରହିଥିଲା। ବର୍ତ୍ତମାନ ଏକ ବର୍ଷ ନହେଉଣୁ କୋଭିଡ ଦ୍ବିତୀୟ ଲହର ଆସିଲାଣି। ଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ନେଇଥିବା ଋଣ ଏବଂ ଇଏମ୍ଆଇ ଏକାସହିତ ଦେବା ଆଦୌ ସମ୍ଭବ ନୁହେଁ। ଅନ୍ୟୂନ ୩ ମାସ ପରେ ଇଏମ୍‌ଆଇ ନେବା ପାଇଁ ବ୍ୟାଙ୍କକୁ ନିର୍ଦେଶ ଦେବାକୁ ଦାବି ହୋଇଛି। ଏହା ବ୍ୟତୀତ ବୀମା କମ୍ପାନିମାନେ ଗୋଟିଏ ବର୍ଷର ପଲିସି ସମୟରେ ବସ୍‌ର ଅଫ ରୋଡ ସମୟ ସର୍ବନିମ୍ନ ୬୦ ଦିନ ପାଇଁ କରିପାରିବେ। ପଲିସି ସମୟ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ, ବୀମା କମ୍ପାନିର ପ୍ରତିନିଧିଙ୍କ ସହିତ ଆଲୋଚନା ପାଇଁ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

Share Now:

Kalinga News Beuro

Next Post

ଖେଳ ଦେଖାଇଲେ ମମତା: ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ

Mon May 3 , 2021
ତାମିଲନାଡ଼ୁରେ ଡିଏମ୍‌କେ କେରଳରେ ଏଲ୍‌ଡିଏଫ୍‌, ଆସାମରେ ବିଜେପି, ପୁଡ଼ୁଚେରୀରେ ଏନ୍‌ଡିଏ ସରକାର ନୂଆଦିଲ୍ଲୀ : ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର୍‌ କରିଥିବା ମମତା ବାନାର୍ଜୀ ଶେଷରେ ଖେଳ ଦେଖାଇବା ସହିତ ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୦ରୁ ଉର୍ଦ୍ଧ୍ବ ଆସନରେ ବିଜୟ ହାସଲ ସହିତ ମମତାଙ୍କ ତୃଣମୂଳ କଂଗ୍ରେସ ଦଳ (ଟିଏମ୍‌ସି) ପୁଣିଥରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପିକୁ କ୍ଷମତାସୀନ କରିବା […]
ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial