ନିଜ ସମ୍ବଳରେ ଲଢ଼େଇ ପାଇଁ ନବୀନଙ୍କ ଘୋଷଣା: ବିଶ୍ୱ ବଜାରରୁ ଟିକା କିଣିବ ଓଡ଼ିଶା

ନିଜ ସମ୍ବଳରେ ଲଢ଼େଇ ପାଇଁ ନବୀନଙ୍କ ଘୋଷଣା

ଗ୍ଲୋବାଲ୍ ଟେଣ୍ଡର ପାଇଁ ସଂକଳ୍ପ ନେଲା କ୍ୟାବିନେଟ,ଗଠିତ ହେଲା ବୈଷୟିକ କମିଟି

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ ଭୀଷଣ ପରିସ୍ଥିତିରେ ଥିବା ବେଳେ କେନ୍ଦ୍ରର ଅସହଯୋଗ ମନୋବୃତ୍ତିକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଗତକାଲି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସଂକଳ୍ପ ଗୃହୀତ ହୋଇଛି ଯେ ରାଜ୍ୟବାସୀ ଯେପରି ସୁବିଧାରେ ଟିକା ପାଇପାରିବେ, ସେଥିପାଇଁ ବିଶ୍ବର ପ୍ରମୁଖ ଟିକା କଂପାନିରୁ ଓଡ଼ିଶା ଟିକା ଆଣିବ। ଏଥିପାଇଁ ଏକ ଗ୍ଲୋବାଲ୍ ଟେଣ୍ଡର ଜାରି କରିବାକୁ କ୍ୟାବିନେଟ୍‌ ବୈଠକରେ ସହମତି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିପଦରେ ଥିବା ଜନସାଧାରଣଙ୍କ ଶୀଘ୍ର ଟିକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ପୁନଃସ୍ଥାପନରେ ଏହା ବିଶେଷ ସହାୟକ ହେବ। ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟି ସମୁଦାୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବ। କ୍ୟାବିନେଟ୍‌ରେ ମୁଖ୍ୟମନ୍ତ୍ରୀ କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ। ଏଥିସହିତ କୋଭିଡ୍ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ ସେ ପୁଣି ଥରେ ନିବେଦନ କରିଥିଲେ। କେବଳ ସେତିକି ନୁହେଁ, ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଃଘୋଷଣା କରିଥିଲେ। କ୍ୟାବିନେଟ୍‌ରେ ସଂକଳ୍ପ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ଼-୧୯ ମହାମାରୀ ବିରୋଧରେ ଆମର ଲଢ଼େଇ ଜାରି ରହିଛି। ଏଥିରେ କୋଭିଡ଼ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟ ତାର ଉଚ୍ଚ ପ୍ରଶଂସା କରୁଛି। ରାଜ୍ୟ ସରକାର ଏ ମଧ୍ୟରେ ଯେତେ ପଦକ୍ଷେପ ନେଇଛନ୍ତି, ଯେମିତିକି ଟେଷ୍ଟିଂ, ଟ୍ରେସିଂ, ଟିକାକରଣ, ଲକ୍‌ଡାଉନ ସବୁଥିରେ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ। ମୁଖ୍ୟମନ୍ତ୍ରୀ କହିଥିଲେ, ଭବିଷ୍ୟତରେ କୋଭିଡ଼ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ସହିତ ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଟିକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଇସ୍ରାଏଲ ପରି ଦେଶ ଯେଉଁମାନେ କି ତାଙ୍କ ଜନସଂଖ୍ୟାର ବୃହତର ଭାଗର ଟିକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି। ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଏହି ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି। ବିପଦପୂର୍ଣ୍ଣ ପରିବେଶରେ କାର୍ଯ୍ୟ ସତ୍ତ୍ବେ କୋଭିଡ଼ ଯୁଦ୍ଧରେ ନିୟୋଜିତ ରାଜ୍ୟର ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଯାଇଛି। ଲକ୍ଷ୍ୟ କରାଯାଉଛି ଯେ ଟିକା ନେଇଥିବା ବ୍ୟକ୍ତିମାନଙ୍କର ସଂକ୍ରମଣ ହେଲେ ବି ତାହା ବହୁତ କମ୍ ଲଷଣ ଯୁକ୍ତ। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଲ୍ପବଦ୍ଧ ଅଟନ୍ତି।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ। ଯେହେତୁ କୋଭିଡ଼ ବିରୋଧରେ ଚାଲିଥିବା ଏ ଲଢ଼େଇ ଏକ ଲମ୍ବା ଲଢ଼େଇ, ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି।
ଏହି ଅବସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ଭଲ ଭାବେ ହାତ ଧୋଇବା, ସାମାଜିକ ଦୂରତା ରଷା କରିବା, ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦିକୁ କଡ଼ାକଡ଼ି ପାଳନ ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଟିକା କିଣିବାକୁ ରାଜ୍ୟ ସରକାର ଗ୍ଲୋବାଲ୍‌ ଇ-ଟେଣ୍ଡର୍‌ ଡାକିବା ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିବା ସହ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ମେଡିକାଲ କର୍ପୋରେସନ୍ ପକ୍ଷରୁ ଏହି ଟେଣ୍ଡର୍‌ ଡକଯିବ। ଏହି କାର୍ଯ୍ୟକୁ ଦୁଇଟି କମିଟି ତଦାରଖ କରିବେ। ଗୋଟିଏ ବୈଷୟିକ କମିଟି ଓ ଅନ୍ୟଟି ପରିଚାଳନା କମିଟି। ଉଭୟ କମିଟିରେ କେଉଁ କେଉଁମାନେ ସଦସ୍ୟ ରହିବେ, ତାହା ମଧ୍ୟ ସ୍ଥିର ହୋଇଛି। ବୈଷୟକ କମିଟିର ସଦସ୍ୟ ଅଛନ୍ତି ଡିଏମ୍‌ଇଟି, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା, ଡିଏଚ୍‌ଏସ୍‌(ଓ), ଡିଏଫ୍‌ଡବ୍ଲ୍ୟୁ(ଓ), ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌, ଏସ୍‌ଇପିଆଇଓ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ପ୍ରତିନିଧି, ମେଡିକାଲ କ‌ର୍ପୋରେସନ୍‌ର ଜିଏମ୍‌(ଅପରେସନ୍, ଜିଏମ୍‌(କ୍ୟୁଏ) ଓ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌(ଡି ଆଣ୍ଡ୍‌ ଏସ୍)। ପରିଚାଳନା କମିଟିର ସଦସ୍ୟ ଅଛନ୍ତି ମେଡିକାଲ କର୍ପୋରେସନ୍ ପରିଚାଳନା ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, ଅର୍ଥ ବିଭାଗର ପ୍ରତିନିଧି, ଡିଏଫ୍‌ଡବ୍ଲ୍ୟୁ(ଓ), ମେଡିକାଲ କର୍ପୋରେସନ୍‌ର ଜିଏମ୍‌(ଅର୍ଥ), ଆସିଷ୍ଟାଣ୍ଟ୍‌ ଜିଏମ୍‌(ଅର୍ଥ), ଜିଏମ୍‌(ଅପରେସନ୍) ଓ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌(ଡି ଆଣ୍ଡ୍‌ ଏସ୍‌) ଏବଂ ଏନ୍‌ଏଚ୍‌ଏମ୍‌ର ସିନିୟର୍‌ କନ୍ସଲ୍‌ଟାଣ୍ଟ୍‌।

Share Now:

Kalinga News Beuro

Next Post

ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ

Tue May 11 , 2021
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହୋଇଛି ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ୪ ହଜାର ୨୫୯। ଖୋର୍ଦ୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନରେ ରହିଛି। ଜିଲ୍ଲାରେ ୧୦୧୮ ମାମଲା ଚିହ୍ନଟ ହୋଇଛି। ସେହିଭଳି ଅନୁଗୁଳରେ ୫୨୬, କଟକରେ ୬୪୧, ଝାରୁସୁଗୁଡାରେ […]
ରାଜ୍ୟରେ କମିଲା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial