ଚାଷ ମାରିଦେଲା ସହରୀ ଡ୍ରେନ୍‌ : ଆବର୍ଜନା ପାଣିରେ ବର୍ଷସାରା ବୁଡ଼ି ରହୁଛି ଧାନବିଲ

ଚାଷ ମାରିଦେଲା ସହର ଡ୍ରେନ୍‌

ଖଣ୍ଡଗିରି: ସରକାର ଜମି, ଘର ବିକିଦେଲେ। କିନ୍ତୁ ଡ୍ରେନ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କଲେ ନାହିଁ। ଡ୍ରେନ୍‌କୁ ନେଇ ଚାଷ ଜମିରେ ପକାଇଦେଲେ। ଫଳରେ ସରକାରୀ ଘର କିଣି ଲୋକମାନେ ସୁବିଧାରେ ରହିଲେ ସିନା, ଆମ ଚାଷ ମରିଗଲା। ଧାନଜମିରୁ ମିଳୁଥିବା ବର୍ଷକ ଭାତ ହରାଇଲୁ। ସହରୀ ଡ୍ରେନ୍‌ ଆମ ଭାତହାଣ୍ଡି ଭାଙ୍ଗିଦେଲା। ଗତ ପ୍ରାୟ ୫ ବର୍ଷ ହେଲା ପ୍ରାୟ ୫୦ ଏକର ଜମି ପଡ଼ିଆ ପଡ଼ିଛି। ମୁଠାଏ ଧାନ ଅମଳ କରିହେଉନାହିଁ। ବର୍ଷସାରା ଡ୍ରେନ୍‌ ପାଣି‌ରେ ଗହୀର ବୁଡ଼ି ରହୁଥିବାରୁ ଖରାଦିନିଆ ଫସଲ ବି କରିହେଉନାହିଁ। ତେଣୁ ସରକାର ତାଙ୍କ ଲାଭ ପାଇଲେ, ଲୋକେ ସହରରେ ରହି ସହରୀ ହେଲେ, ମାତ୍ର ଆମ ଭାତହାଣ୍ଡି ଉଜୁଡ଼ିଗଲା। ସରକାରୀ ଜମି ପଡ଼ିଛି। ଗହୀର ଭିତରେ ମାତ୍ର ୩ କିମି ଦୈର୍ଘ୍ୟର ଡ୍ରେନ୍‌ଟିଏ ନିର୍ମାଣ ହୋଇପାରିଲେ, ସହରର ଆବର୍ଜନା ସିଧାସଳଖ ନାଳକୁ ଯାଇପାରନ୍ତା ଓ ଧାନ ଜମି ବଞ୍ଚିଯାଆନ୍ତା। କିନ୍ତୁ ବିଏମ୍‌ସି ଅଧିକାରୀମାନଙ୍କ ଉଦାସୀନତା କାରଣରୁ ଏତିକି ହୋଇପାରୁନାହିଁ। ଏହା ହେଉଛି ବିଏମ୍‌ସି ୬୪ ନମ୍ବର ୱାର୍ଡ ଅଧୀନ ବେଗୁନିଆ, ଯଦୁପୁରର କିଛି ଚାଷୀଙ୍କ ବ୍ୟଥା ବେଦନାର କଥା। ରାଜଧାନୀର ସର୍ବବୃହତ୍ କଲୋନି କହିଲେ ଡୁମୁଡୁମା ହାଉସିଂବୋର୍ଡ କଲୋନିକୁ ବୁଝାଏ। ଡୁମୁଡୁମା, ଯଦୁପୁର, ବେଗୁନିଆ ଭଳି ପୁରୁଣା ଗାଁ ସହିତ ହାଉସିଂବୋର୍ଡ କଲୋନିର ଫେଜ୍‌-୧ରୁ ଫେଜ୍-୭ ପର୍ଯ୍ୟନ୍ତ ବିଶାଳ ଅଞ୍ଚଳକୁ ନେଇ ବିଏମ୍‌ସିର ୬୪, ୬୫ ଓ ୬୬ ନମ୍ବର ୱାର୍ଡ ଏହି ଅଞ୍ଚଳରେ ରହିଛି। ଦିନକୁ ଦିନ ଏହି ସବୁ ଅଞ୍ଚଳରେ ରାସ୍ତାଘାଟ, ଡ୍ରେନ୍ ସମସ୍ୟା ସୁଧୁରିବାରେ ଲାଗିଛି। ନୂଆ ନୂଆ ଡ୍ରେନ୍‌ ତିଆରି ହେଉଛି। ମାତ୍ର ପରିତାପର କଥା ଏହି ତିନି ୱାର୍ଡର ଶତକଡ଼ା ୭୦ ଭାଗ ଡ୍ରେନ୍‌ ଜଳ ଯଦୁପୁର, ବେଗୁନିଆ ଗହୀରକୁ ଯାଉଛି। ଯଦୁପୁର ଗାଁ ପାର୍ ହେବା ପରେ ପୋଖରୀ କଡ଼ ଦେଇ ଏସବୁ ଅଞ୍ଚଳର ମଇଳା ପାଣି ସିଧାସଳଖ ଧାନଜମିକୁ ବୁଡ଼ାଇରଖୁଛି। ସୂଚନାଯୋଗ୍ୟ ଯେ, ଘାଟିକିଆ ଅଞ୍ଚଳରୁ ବାହାରିଥିବା ବିଏମ୍‌ସିର ୯ ନମ୍ବର ନାଳଟି ଆଇଗିଣିଆ, କସ୍‌ମୋପଲିସ୍, ପଞ୍ଚସଖାନଗର, ପୋଖରୀପୁଟ, ସୁନ୍ଦରପଦା ଦେଇ ଗଙ୍ଗୁଆରେ ପଡ଼ିଛି। ଯଦୁପୁର ଦେଇ ଗହୀରକୁ ପଡ଼ିଥିବା ଡ୍ରେନ୍‌ ଗହୀର ପାର୍‌ ହୋଇ ପୋଖରୀପୁଟ ପାଖରେ ୯ ନମ୍ବର ନାଳରେ ମିଶିବା କଥା। ଏଥିପାଇଁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ। ସରକାରୀ ଜାଗା ଅଛି। ମାତ୍ର ୩ କିମି ଲମ୍ବର ଡ୍ରେନ୍‌ ହୋଇଗଲେ, ଗହୀର ପ୍ରଭାବିତ ହେବ ନାହିଁ। ମାତ୍ର ଏନେଇ ବହୁ ଥର ଆଲୋଚନା ହେଉଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ।

ବେଗୁନିଆର ବିଲ ମାଲିକ ‌ସୟଦ୍‌ ଜାପାନ ଅଲ୍ଲିଙ୍କ କହିବା କଥା ବିଏମ୍‌ସି ହାଉସିଂବୋର୍ଡର ଡ୍ରେନ୍ ପାଣି ଆଣି ବିଲ ପାଖରେ ଛାଡ଼ିବା ପରେ ଆଉ ଚାଷ କରିବା ସମ୍ଭବ ହେଲାନି। ୫ ବର୍ଷ ହେଲା ଜମି ପଡ଼ିଆ ପଡ଼ିଲାଣି। ୫ ବର୍ଷ ତଳେ କର୍ପୋରେଟର ଛବିରାଣୀ ଦାସ, ଜ୍ୟୋସ୍ନାରାଣୀ ଜେନା ଓ ମୁଜାହିଦ୍‌ ହୁସେନଙ୍କ ଉପସ୍ଥିତିରେ ନାଳ ତିଆରି ହେବା ନେଇ ନିଷ୍ପତ୍ତି ହୋଇଥିଲା। ଚକ ରାସ୍ତାରେ ସାଢ଼େ ୪ ଫୁଟ୍‌ ଓସାରର ଡ୍ରେନ୍ ତିଆରି କରିବାକୁ ସ୍ଥିର କରାଯାଇଥିଲା। ହେଲେ ଆଜି ଯାଏ ଇଟା ଖଣ୍ଡେ ପଡ଼ିପାରିଲାନି। ଫଳରେ ‌ତାଙ୍କ ଗାଁର ଚାଷୀମାନଙ୍କର ୧୫ ଏକରରୁ ଅଧିକ ଧାନ ବିଲ ସେହିକାଳରୁ ପଡ଼ିଆ ପଡ଼ିଛି। ସେହିପରି ଯଦୁପୁରର ସେକ୍‌ ଜିକ୍ର ମହମ୍ମଦଙ୍କ କହିବା କଥା ତାଙ୍କ ବାପା ନସିମ୍‌ ମହମ୍ମଦଙ୍କ ଅମଳରୁ ଅଢ଼େଇ ଏକର ଧାନଜମି ଅଛି। ହେଲେ ଡ୍ରେନ୍‌ ପାଣିରେ ବର୍ଷସାରା ବୁଡ଼ି ରହୁଛି। ଗତ ୫ ବର୍ଷ ହେଲା ଏମିତି ଅବସ୍ଥା। ବିଏମ୍‌ସିକୁ ଅଭିଯୋଗ କରୁଛୁ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର କହୁଛୁ। କିନ୍ତୁ କେବଳ ପ୍ରତିଶ୍ରୁତି ଛଡ଼ା କିଛି ମିଳିନି। ପୂର୍ବରୁ ଯାହା ଯେମିତି ହେଉଥିଲା, ଗତ ୫ ବର୍ଷ ହେଲା କିଛି ଲୋକ ଡ୍ରେନ୍‌କୁ ନିଜ ସ୍ୱରେଜ ଲାଇନ୍‌ ସହ ଯୋଡ଼ିଦେବାରୁ ସ୍ଥିତି ବଡ଼ କଦର୍ଯ୍ୟ।
୬୪ ନମ୍ବର ୱାର୍ଡ କର୍ପୋରେଟର୍ ସକିବା ମୁସ୍‌ରତ ମଧ୍ୟ ଚାଷୀମାନଙ୍କ ଏଭଳି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ୯ ନମ୍ବର ନାଳ ସହ ଏହି ଅଞ୍ଚଳର ଡ୍ରେନ୍‌କୁ ସଂଯୋଗ କରିବା ପାଇଁ ସରକାରୀ ଜାଗା ରହିଛି। ଡ୍ରେନ୍ ତିଆରି ହୋଇଗଲେ ୩୦ ରୁ ଅଧିକ ଚାଷୀଙ୍କ ୫୦ ଏକର ପାଖାପାଖି ଚାଷ ଜମି ବଞ୍ଚିପାରିବ। କେବଳ ସେତିକି ନୁହେଁ, ବେଗୁନିଆରେ ୬୦ ଲକ୍ଷ ବ୍ୟୟରେ ଓ ଯଦୁପୁରରେ ୫୦ ଲକ୍ଷ ବ୍ୟୟରେ ପୁନରୁଦ୍ଧାର ହୋଇଥିବା ଦୁଇ ପୋଖରୀ ମଧ୍ୟ ଏଥିପାଇଁ ନଷ୍ଟ ହେବାକୁ ବସିଛି। ଏନେଇ ବିଏମ୍‌ସି କର୍ପୋରେସନ ବୈଠକରେ ମଧ୍ୟ ବାରମ୍ବାର ଆଲୋଚନା କରାଯାଇଛି। ଏମିତିକି ଡ୍ରେନ୍ ପାଇଁ ସର୍ଭେ ହୋଇଛି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

Share Now:

Kalinga News Beuro

Next Post

ନେତାଙ୍କ ପାଇଁ ସମର୍ଥକ : ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି

Thu Jul 20 , 2023
ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି। ଆଜି ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ। କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ କହିଛନ୍ତି ଯେ ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି। ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ […]
ନେତାଙ୍କ ପାଇଁ ବାହାରିଲେ ସମର୍ଥକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial