ଖୋଲିବ ରତ୍ନଭଣ୍ଡାର:ସର୍ତ୍ତ ରଖିଲେ ସରକାର

ପୁରୀ: ଆସନ୍ତା ମାସ ପ୍ରଥମ ସପ୍ତାହ ଶେଷ ବେଳକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଆଜି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଆଜି ସନ୍ଧ୍ୟାରେ ଆଇନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ଏକ ଚିଠି ଫାକ୍ସ୍‌ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଫଳରେ ରତ୍ନଭଣ୍ଡାର ଯାଞ୍ଚ ନେଇ ଗତ କିଛିଦିନ ହେଲା ଲାଗି ରହିଥିବା ଅନିଶ୍ଚିତତାର ବସ୍ତୁତଃ ଅନ୍ତ ଘଟିଛି। ରତ୍ନ ଭଣ୍ଡାର ଖୋଲିବା ନେଇ ସରକାର କେତେକ ସର୍ତ୍ତ ରଖିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୧୯୭୮ ଓ ୧୯୮୪ ମସିହାରେ ଯେଉଁ ବ୍ୟବସ୍ଥାରେ ରତ୍ନଭଣ୍ଡାର ଖୋଲାଯାଇଥିଲା, ଏଥର ବି ସେହିଭଳି ଭାବେ ରତ୍ନଭଣ୍ଡାର ଖୋଲାଯିବ। ତେବେ ନିର୍ଦିଷ୍ଟ କି ସର୍ତ୍ତ ଆଇନ ବିଭାଗ ରଖିଛି, ଏ ସଂପର୍କରେ ଆସନ୍ତାକାଲି କୁହାଯାଇପାରିବ ବୋଲି ସେ କହିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଯଦିଓ ପୂର୍ବରୁ ପରିଚାଳନା କମିଟି ଏହାକୁ ଅନୁମୋଦନ ଦେଇଛନ୍ତି, ତଥାପି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ। ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ମଧ୍ୟ ବିସ୍ତତ ଆଲୋଚନା କରାଯିବା ସହ ଏକ କମିଟି ଗଠନ କରାଯିବ। ରତ୍ନଭଣ୍ଡାର ଭିତରକୁ କିଏ ଯିବେ, କଣ ବ୍ୟବସ୍ଥା ରହିବ ସେ ସଂପର୍କରେ ମଧ୍ୟ ଆଲୋଚନା କରାଯିବ। ରତ୍ନଭଣ୍ଡାରରେ ପ୍ରବେଶ କରିବା ପାଇଁ ଲାଗୁ ହେବାକୁ ଥିବା ଏସ୍‌ଓପି ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ। ରତ୍ନଭଣ୍ଡାର କେବେ ଖୋଲିବ, ସେ ନେଇ ସମ୍ଭବତଃ ୨୯ ତାରିଖରେ ତାରିଖ ଧାର୍ଯ୍ୟ ହୋଇପାରେ। କାରଣ, ଆସନ୍ତାକାଲିଠାରୁ ପୁରୀ ଜିଲ୍ଲାପାଳ ଓ ଆସନ୍ତା ସପ୍ତାହରେ ତିନି ଦିନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଛୁଟିରେ ଯାଉଛନ୍ତି। ଏଣୁ ସେମାନେ ଫେରି କାର୍ଯ୍ୟରେ ଯୋଗଦେବା ପରେ ହିଁ ସମୁଦାୟ ପ୍ରସ୍ତୁତିର ନିରୀକ୍ଷଣ କରିବେ ଓ ତା ପରେ ଖୋଲାଯିବ। ଗତକାଲି ରତ୍ନଭଣ୍ଡାର ସବ୍‌ କମିଟି ବୈଠକ ପରେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ନେଇ ମନ୍ଦିର ପ୍ରଶାସନ ହାତ ଟେକି ଦେଇଥିଲା। ସରକାରଙ୍କ ଅନୁମତି ମିଳିବା ପରେ ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ତେବେ ଏ ନେଇ ଆଜି ଚିଠି ଆସିବା ପରେ ମନ୍ଦିର ପ୍ରଶାସନ ଆଶ୍ୱସ୍ତ ହୋଇଛି। ପ୍ରକାଶ ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗତ ୨୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠ ଆଧାରରେ ହାଇକୋର୍ଟ ୨୬ ଓ ୨୭ ତାରିଖରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଆସିବା ପରେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ଧାର୍ଯ୍ୟ ଦୁଇ ଦିନରେ ରତ୍ନଭଣ୍ଡାର ଯାଞ୍ଚ୍‌ ହୋଇ ପାରିନଥିଲା।

Share Now:

Kalinga News Beuro

Leave a Reply

Next Post

ଆରମ୍ଭରୁ ବିବାଦ ଘେରରେ କର୍ଣ୍ଣାଟକ ନିର୍ବାଚନ: କହୁ କହୁ କହିଦେଲେ ଅମିତ

Wed Mar 28 , 2018
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’ ୧୨ ତାରିଖରେ ନିର୍ବାଚନ ହେବ। ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ମେ’ ୧୫ ତାରିଖରେ ଭୋଟ ଗଣତି ହେବ। ଆଜି ମୁଖ୍ୟ ନିର୍ବାଚନ କମିସନର ଓ ପି ରାଓ୍ଵତ୍‌ ଏହି ଘୋଷଣା କରିଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌(ଇଭିଏମ୍‌) ସହିତ ଭୋଟର ଭେରିଫାଏଡ୍‌ ପେପର ଅଡ଼ିଟ୍‌ ଟ୍ରେଲ୍‌(ଭିଭିପିଏଟି) ମେସିନ୍‌ ମଧ୍ୟ ବ୍ୟବହୃତ ହେବ ବୋଲି ରାଓ୍ଵତ୍‌ ସ୍ପଷ୍ଟ କରିଛନ୍ତି। ରାଜ୍ୟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial