କୋଟିଆ ମାମଲାର ଶୁଣାଣି ଘୁଞ୍ଚିଲା: ରାଜନୈତିକ ସମାଧାନ ପାଇଁ ନିର୍ଦ୍ଦେଶ

କୋଟିଆ ମାମଲାର ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା କୋଟିଆ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ରୁଜୁ ମୋକଦ୍ଦମାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ୬ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜନୈତିକ ସମାଧାନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ରାଜନୈତିକ ସମାଧାନର ରୂପରେଖ କ’ଣ ହେବ, ସେ ନେଇ ସୁପ୍ରିମକୋର୍ଟ କୌଣସି ସ୍ପଷ୍ଟ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଧ୍ରପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଥିବାରୁ ଏହାକୁନେଇ ଚଳିତବର୍ଷ ପୁଣି ସୁପ୍ରି‌ମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଓଡ଼ିଶା ସରକାର। ସର୍ବୋଚ୍ଚ ଆଦଲତଙ୍କ ନିର୍ଦେଶ କ୍ରମେ ସରକାରୀ ରେକର୍ଡ ଉଭୟ ରାଜ୍ୟ ଦାଖଲ କରି ସାରିଛନ୍ତି। କୋଭିଡ୍‌ କଟକଣା ଯୋଗୁ ତିନି ମାସ ଧରି ଶୁଣାଣି ହୋଇପାରି ନ ଥିବାବେଳେ ଆଜି ପରବର୍ତ୍ତୀ ତାରିଖକୁ ଶୁଣାଣି ଘୁଞ୍ଚିଛି। ଏହାରି ମଧ୍ୟରେ ଦୁଇ ରାଜ୍ୟ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟରେ ଆଜି ନଅ ଜଣ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଯୋଗୁ କୋଟିଆ ମାମଲା ଶୁଣାଣି ବିଳମ୍ବରେ ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ଶେଷ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ.ଭି. ରମଣା ଆଜି ନୂତନ ଭ‌ାବେ ଶପଥ ଗ୍ରହଣ କରିଥିବା ବିଚାରପତି ‌ଜେ.କେ. ମାହେଶ୍ବରୀଙ୍କୁ ବିଚାରପତି ଏ.ଏମ. ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ସାମିଲ୍‌ କରିଥିଲେ। ପରବର୍ତ୍ତୀ ତାରିଖ‌ରେ ମାମଲାର ବିସ୍ତୃତ ଶୁଣାଣି ହେବାର ସମ୍ଭାବନା ଥିବା ବେଳେ ଖଣ୍ଡପୀଠଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ। ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏବଂ ଆଡଭୋକେଟ୍‌ ଅନ ରେକର୍ଡ ଶିବ ଶଙ୍କର ମିଶ୍ର ତଥା ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଇନଜୀବୀ ମେହଫୁଜ ଏହେସାନ ନାଜକିର ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରିଥିଲେ। କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ବି‌ରୋଧରେ ଆଇନଗତ ଲଢ଼େଇକୁ ଜୋରଦାର କରିବା ପାଇଁ ଖୁବ୍‌ଶୀଘ୍ର ରାଜ୍ୟ ସରକାର ଅରିଜିନାଲ ସୁଟ୍‌ ଦାଖଲ କରିବେ ବୋଲି ଆଡଭୋକେଟ ଅନ ରେକର୍ଡ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, ପୂର୍ବରୁ ବି ସୁପ୍ରିମକୋର୍ଟ ତାରିଖ ଘୁଞ୍ଚାଇଥିଲେ। ଆଜି ପୁଣି ୬ ସପ୍ତାହ ଘୁଞ୍ଚାଇଛନ୍ତି। ଯଦି ଏମିତି ଶୁଣାଣି ନ ହୋଇ ଦିନ ଗଡ଼ିବ ତେବେ ପୂରା ମାମଲା ଆଇନର ଜାଲରେ ଫସିଯିବ। ଯଦି ଓଡ଼ିଶାର ସମସ୍ତ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିବେ ତେବେ ସମାଧାନ ହୋଇପାରିବ। ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଗୃହ କମିଟି ଗଠନ ହୋଇଛି। ଏହି କମିଟି କାହିଁକି ଓଡ଼ିଶା ଆସୁନି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି।

Share Now:

Kalinga News Beuro

Next Post

ଆଉ ନାହାନ୍ତି ଲୋକପ୍ରିୟ ଟେଲି-ଅଭିନେତା ସିଦ୍ଧାର୍ଥ ଶୁକ୍ଲା

Thu Sep 2 , 2021
ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି। ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର କୁପର ହସ୍ପିଟାଲକୁ ସିଦ୍ଧାର୍ଥଙ୍କୁ ଚିକିତ୍ସା ଲାଗି ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ। ରିୟଲିଟି ସୋ’ ବିଗବସ୍ ସିଜନ ୧୩ର ବିଜେତା ସିଦ୍ଧାର୍ଥ ଜଣେ ମଡେଲ୍ ଭାବେ କ୍ୟାରୟର ଆରମ୍ଭ କରିଥିଲେ। ଏହାପରେ […]
ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial