ସଞ୍ଜୟ ସିଂହ ନୂଆ ବିଏମ୍‌ସି କମିସନର: କୋଭିଡ୍‌ ମୁକାବିଲା ବଡ଼ ଚାଲେଞ୍ଜ

ସଞ୍ଜୟ ସିଂହ ନୂଆ ବିଏମ୍‌ସି କମିସନର

ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଞ୍ଜୟ କୁମାର ସିଂହ ଆଜି ବିଏମ୍‌ସି କମିସନର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହାସହ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି ବିଏମ୍‌ସି କମିସନରଙ୍କର ହଠାତ୍ ବଦଳି ନେଇ ନିର୍ଦ୍ଦେଶନାମା ବାହାରିଥିବାବେଳେ ନୂଆ କମିସନର ଅପରାହ୍ନ ୩ଟା ବେଳକୁ ବିଏମ୍‌ସିରେ, ସାଢେ ୩ଟାରେ ବିଡିଏରେ ଏବଂ ରାତି ପ୍ରାୟ ୮ଟାବେଳେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ବିଏମ୍‌ସି କାର୍ଯ୍ୟାଳୟରେ ନୂଆ କମିସନର ବିଦାୟୀ କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚୌଧରୀ ବୁଧବାର ସକାଳୁ ଭବାନୀ ମଲ୍‌ରେ ଡ୍ରାଇଭ୍ ଇନ୍ ଟେଷ୍ଟିଂ ବ୍ୟବସ୍ଥା ଦେଖିବା ପରେ ବିଡିଏ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇଥିଲେ। ପୂର୍ବାହ୍ନ ୧୧ଟା ୪୦ବେଳେ ବୈଠକ ମଝିରେ ଉପାଧ୍ୟକ୍ଷଙ୍କୁ ଏକ ଫୋନ୍‌ ଆସିଥିଲା। ଏହାପରେ ଉପାଧ୍ୟକ୍ଷ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ। କର୍ମଚାରୀମାନେ କିଛି ବୁଝିପାରିନଥିଲେ। ମାତ୍ର ୫/୧୦ମିନିଟ ଭିତରେ ଉପାଧ୍ୟକ୍ଷ ଡ୍ରାଇଭରକୁ ଡାକି ବିଡିଏ ଅଫିସ ଛାଡ଼ିଥିଲେ।
ରାଜଧାନୀରେ କରୋନା ଶୀର୍ଷରେ ଥିବାବେଳେ ହଠାତ୍ ବିଏମ୍‌ସି କମିସନରଙ୍କ ବଦଳି ନେଇ ନିର୍ଦ୍ଦେଶମାନା ବାହାରିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏପରିକି କରୋନାର ପ୍ରଥମ ପର୍ଯ୍ୟାୟରେ ଭଲ ପରିଚାଳନା କରିଥିବା ବିଦାୟୀ କମିସନରଙ୍କୁ ରାଜଧାନୀବାସୀ ପ୍ରଶଂସା କରୁଥିଲେ। ଦ୍ବିତୀୟ ଲହରରେ ବି କମିସନର ଜୋରଦାର ଉଦ୍ୟମ ଚଳାଇଥିଲେ। କିନ୍ତୁ ହଠାତ୍ କାହିଁକି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବଦଳି ହେଲା ତାହା ସମସ୍ତଙ୍କୁ ଚକିତ କରିଛି। ଗତକାଲି ସକାଳେ ନିର୍ଦ୍ଦେଶନାମା ବାହାରୁ ବାହାରୁ ତୁରନ୍ତ ଅବ୍ୟାହତି ଦେଇଦିଆଗଲା। ଜୁନ୍‌,୨୦୧୯ରେ ବିଏମ୍‌ସି କମିସନର ଭାବେ ଯୋଗ ଦେଇଥିବା ୨୦୧୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ମାତ୍ର ଦୁଇ ବର୍ଷ ବି ପଦବିରେ ରହିପାରିଲେନି। ତାଙ୍କ ପୂର୍ବରୁ ଦୁଇ ଜଣ କମିସନର ଶୁଭମ୍‌ ସାକ୍‌ସେନା ଓ ସମର୍ଥ ବର୍ମାଙ୍କର ଅଳ୍ପ ଦିନରେ ବଦଳି ହୋଇଥିବାବେଳେ ପ୍ରେମଚନ୍ଦ୍ରଙ୍କର ଦୁଇ ବର୍ଷ ବି ପୂରିଲାନି। ଶୁଭମ୍‌ ସାକ୍‌ସେନାଙ୍କ ପୂର୍ବରୁ ବର୍ତ୍ତମାନର ପୂର୍ତ୍ତ ସଚିବ କ୍ରିଷନ କୁମାର ବିଏମ୍‌ସି କମିସନର ଭାବେ ଦୀର୍ଘ ୪ବର୍ଷ ୧୦ମାସ କାମ କରିଥିଲେ। ତେଣୁ ଏବେ ପ୍ରେମଚନ୍ଦ୍ର ସେହିଭଳି ଦୀର୍ଘ ସମୟ ଦାୟିତ୍ବରେ ରହିବେ ବୋଲି ଆଶା କରାଯାଉଥିଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଭୁବନେଶ୍ବରରେ କରୋନା ଏବେ ଶୀର୍ଷରେ ଥିବାବେଳେ ପ୍ରତିଦିନ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ଠିକ୍‌ ଏହି ସମୟରେ ବିଏମ୍‌ସି କମିସନରଙ୍କ ବଦଳି ହୋଇଛି। ଅପରପକ୍ଷେ ୧୯୯୭ ବ୍ୟାଚ୍‌ର ଆଇଏଏସ୍ ସଞ୍ଜୟ କୁମାର ସିଂହ ଜଣେ ବରିଷ୍ଠ ଅଧିକାରୀ ହୋଇଥିବାବେଳେ ତାଙ୍କ ନେତୃତ୍ବରେ ରାଜଧାନୀରେ କରୋନା ମୁକାବିଲା ଅଧିକ ସକ୍ରିୟ ହେବ ବୋଲି କୁହାଯାଉଛି। ପୂର୍ବରୁ କେବେ ଏହିଭଳି ଜଣେ ବରିଷ୍ଠ ଅଧିକାରୀଙ୍କୁ ବିଏମ୍‌ସି କମିସନର ଭାବେ ଦାୟିତ୍ବ ଦିଆଯାଇନଥିଲା।

Share Now:

Kalinga News Beuro

Next Post

ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ

Thu May 13 , 2021
ବାଲିପାଟଣା: ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ। ଅଠାନ୍ତର ବନମାଳୀପୁର ରାସ୍ତା ଅବରୋଧ କଲେ ଲୋକେ। ବାଲିପାଟଣା ଧାନହରା ସାପ୍ତାହିକ ହାଟରେ କିଛି ବ୍ୟବସାୟୀ ସାମାଜିକ ନିୟମ ଉଲ୍ଲଘଂନ କରିଥିଲେ। ବାଲିପାଟଣା ଥାନା ପୁଲିସ ସେମାନଙ୍କୁ ତାଗିଦ କରିବା ସହ ପନିପରିବା ଫୋପଡ଼ା ଫିଙ୍ଗା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ପ୍ରତିବାଦ କରି ଚାଷୀମାନେ ଅଠାନ୍ତର-ବନମାଳିପୁର ରାସ୍ତା ଧାନହରା ଛକରେ ପନିପରିବା ରଖି ରାସ୍ତାରୋକ କରିଛନ୍ତି। […]
ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial