ରାଜଧାନୀରେ କୋଭିଡ୍‌ ଚିକିତ୍ସାର ବିକଳ ଚିତ୍ର: ଅଧାବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ରାଜଧାନୀରେ କୋଭିଡ୍‌ ଚିକିତ୍ସାର ବିକଳ ଚିତ୍ର

୫ ଘଣ୍ଟା ରାସ୍ତାରେ ପଡ଼ି ରହିଲେ,ରୋଗକଷ୍ଟ ସହ ଖରା ଓ ଭୋକରେ ଛଟପଟ ହେଲେ

ଭୁବନେଶ୍ବର : ଅଣନିଶ୍ବାସୀ ହୋଇ ପଡ଼ୁଥିଲେ, ଚାଲିବାକୁ ବି ବଳ ନଥିଲା। ଏଭଳି ସ୍ଥିତିରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବା ବଦଳରେ ଅଧା ବାଟରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ। ରୋଗୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଭୋକ, ଶୋଷରେ ରାସ୍ତା ଉପରେ ୫ ଘଣ୍ଟା ଧରି ପଡ଼ି ରହିଲେ। ସେହି ବାଟ ଦେଇ ଯାଉଥିବା ଏକାଧିକ ଆମ୍ବୁଲାନ୍ସକୁ ସହାୟତା ପାଇଁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ କେହି ଅଟକି ନଥି‌ଲେ। ଏହା କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ, ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ ୫ ନିକଟରେ ରବିବାର ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ସ୍ବାସ୍ଥ୍ୟସେବା ଓ କୋଭିଡ୍‌ ପରିଚାଳନା‌ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ କଷ୍ଟ ସହିବା ପରେ ଶେଷ‌ରେ କିଛି ସାମ୍ବାଦିକଙ୍କ ସହାୟତାରେ ରୋଗୀଙ୍କୁ ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶନିବାର ସକାଳ ପ୍ରାୟ ୧୦ଟାରେ ନୂଆପଲ୍ଲୀର ଅଶୋକ ସ୍ବାଇଁ (୩୫) ଅସୁସ୍ଥ ହୋଇପଡ଼ିବାରୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ତାଙ୍କୁ ଏକ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ରବିବାର ସକାଳ ପ୍ରାୟ ୮ଟାରୁ ସାଢ଼େ ୮ଟା ମଧ୍ୟରେ ଏକ ଆମ୍ବୁଲାନ୍ସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ନେଇଥିଲା ସତ, କିନ୍ତୁ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଇବା ପରିବର୍ତ୍ତେ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନମ୍ବର-୫ ନିକଟରେ ଛାଡ଼ି ଚାଲି ଯାଇଥିଲା। ଅଶୋକ ସେଠାରୁ କିଛି ବାଟ ଚାଲି ଚାଲି ହସ୍ପିଟାଲ ଯିବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଅଧା ବାଟରେ ରହି ଯାଇଥିଲେ। ସେଠାରୁ ସେ ନିଜ ଘରମାଲିକ ତଥା ସାମାଜିକ କର୍ମୀ ପୁଷ୍ପା ପଣ୍ଡାଙ୍କୁ ଫୋନ କରି ସହାୟତା ମାଗିଥିଲେ। ପୁଷ୍ପା ଅନ୍ୟ ଜଣେ ମହିଳାଙ୍କ ସହିତ ଅଶୋକଙ୍କ ପାଖରେ ପହଞ୍ଚିଥିଲେ। ପୁଷ୍ପାଙ୍କ କହିବା ଅନୁଯାୟୀ, ସେ ସମୟରେ ଅଶୋକଙ୍କ ଅବସ୍ଥା ଜଟିଳ ଥିଲା। ଅଣନିଶ୍ବାସୀ ହେବା ସହିତ ଖରା, ଭୋକ ଓ ଶୋଷରେ ବିକଳ ହୋଇ ପଡ଼ିଥିଲେ। ଏଭଳି ଦୁର୍ବଳ ହୋଇ ପଡ଼ିଥିଲେ ଯେ ସେ ରାସ୍ତା ଉପରେ ଶୋଇ ଯାଇଥିଲେ। ଏହା ଦେଖି ଜୟଦେବବିହାର ଛକରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ସହାୟତାରେ କିଛି ଖାଦ୍ୟ ପ୍ୟାକେଟ୍‌, ପାଣି ଅଶୋକଙ୍କୁ ଦିଆଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିବାରୁ ଆମ୍ବୁଲାନ୍ସ ପାଇଁ ପୁଷ୍ପା ବାରମ୍ବାର ବିଏମ୍‌ସିକୁ ଫୋନ୍‌ କରିଥିଲେ। ମାତ୍ର ବିଏମ୍‌ସିର ଫୋନ ବ୍ୟସ୍ତ ରହିଥିଲା। ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିବାରୁ ଏହା କୋଭିଡ୍‌ ଆକ୍ରାନ୍ତଙ୍କୁ ନିଏ ନାହିଁ ବୋଲି କହିଥିଲା। ଏହି ସମୟରେ ଅନେକ ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯାତାୟାତ କରୁଥିଲେ। ପୁଷ୍ପା ସମସ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି କେହି ଅଟକି ନଥିଲେ। ଶେଷରେ କିଛି ସାମ୍ବାଦିକଙ୍କ ସହାୟତାରେ ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା। ସେମାନେ ପିପିଇ କିଟ୍‌ ପିନ୍ଧି ମଧ୍ୟାହ୍ନ ପ୍ରାୟ ୧ଟାରେ ଅଶୋକଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

Share Now:

Kalinga News Beuro

Next Post

ଡ୍ରେନ୍‌ରେ ମୋ ସାଇକେଲ୍‌

Mon May 24 , 2021
ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି କର୍ତ୍ତୃପକ୍ଷ ମୋ ସାଇକେଲ୍‌ ପ୍ରତି କେତେ ତତ୍ପର ଓ ଦାୟିତ୍ବବାନ, ତାହା ରାସ୍ତା‌କଡ଼ରେ ଗଡ଼ୁଥିବା ମୋ ସାଇକେଲ୍‌କୁ ଦେଖିଲେ ଜଣାପଡ଼ୁଛି। ହେଲେ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀମାନେ କେ‌ତେ ଦାୟିତ୍ବହୀନ, ତାହା ଆଜି ଜାଣିବାକୁ ମିଳିଛି। ଚିନ୍ତାମଣିଶ୍ବର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍ ୬ରୁ ଜାଲି ଗଳି ନିକଟରେ ରବିବାର ଦିନ ଗୋଟିଏ ମୋ ସାଇକେଲ୍‌ କଢ଼ାଯାଇଛି। […]
ଡ୍ରେନ୍‌ରେ ମୋ ସାଇକେଲ୍‌

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial