ରାମଦେବଙ୍କ ଉପରେ କଟକଣା ଲାଗୁ ହେବନି: ଦିଲ୍ଲୀ ହାଇକୋର୍ଟ

ରାମଦେବଙ୍କ ଉପରେ କଟକଣା ଲାଗୁ ହେବନି

ନୂଆଦିଲ୍ଲୀ: ରାମ ଦେବଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ। ବାକ୍‌ ସ୍ବାଧୀନତା ଆଇନ ଅନୁଯାୟୀ ସେ ତାଙ୍କର ମତବ୍ୟକ୍ତ କରିପାରିବେ ବୋଲି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏଲୋପାଥି ଚିକିତ୍ସା ବିପକ୍ଷରେ ଏବଂ ପତଞ୍ଜଳିର କରୋନିଲ୍‌ କିଟ୍‌ ସପକ୍ଷରେ ବିବୃତି ଦେବାରୁ ଯୋଗ ଗୁରୁ ରାମଦେବଙ୍କୁ କ୍ଷାନ୍ତ କରାଯାଉ ବୋଲି ‘ଦିଲ୍ଲୀ ମେଡିକାଲ୍‌ ଆସୋସିଏସନ୍‌’ ଦାଏର କରିଥିବା ପିଟିସନ୍‌ର ଶୁଣାଣି କରି ବିଚାରପତି ସି. ହରିଶଙ୍କରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏକଥା କହିଛନ୍ତି। ଆଧୁନିକ ଔଷଧ ବା ‘ଏଲୋପାଥି’ ବିରୁଦ୍ଧରେ ବିଭ୍ରାନ୍ତିକର ବିବୃତି ଦେବା ସହ ‘କରୋନିଲ୍‌’ କୋଭିଡ୍-୧୯ର ଆରୋଗ୍ୟକାରୀ ବୋଲି ରାମଦେବ ମିଥ୍ୟାଚାର କରୁଥିବା କଥା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। ରାମଦେବଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ରାଜୀବ ନାୟର ଅଦାଲତଙ୍କୁ କହିଲେ ଯେ, ରାମଦେବ ଡାକ୍ତରମାନଙ୍କ ବିରୋଧରେ ଦେଇଥିବା ବିବୃତି ମେ ୨୨ ତାରିଖ ପ୍ରତ୍ୟାହାର କରି ନେଇଛନ୍ତି। ଅଦାଲତ କହିଲେ, ଏଥର ଆଉ ଡାକ୍ତରଙ୍କ ବିରୋଧରେ ବିବୃତି ନ ଦେବାକୁ ତାଙ୍କୁ କୁହନ୍ତୁ। କିନ୍ତୁ, ସେ ‘କରୋନିଲ୍‌’ ସପକ୍ଷରେ ମନ୍ତବ୍ୟ ଦେଲେ ମୋର କୌଣସି ଆପତ୍ତି ନାହିଁ।

ଅଦାଲତ ଆହୁରି ମଧ୍ୟ କହିଲେ ଯେ, ମାମଲା ରୁଜୁ ନ କରି ‘ଦିଲ୍ଲୀ ମେଡିକାଲ୍ ଆସୋସିଏନ୍’ ଜନସ୍ବାର୍ଥ ମାମଲା ଦାଏର କରିବା ଉଚିତ ଥିଲା। ମୋର ମନେହୁଏ କେତେକ ବିଜ୍ଞାନ ମିଥ୍ୟା। ଆସନ୍ତାକାଲି ମୋର ମନେ ହେବ ହୋମିଓପାଥି ବି ମିଥ୍ୟା। ଏଥିପାଇଁ କ’ଣ ହୋମିଓପାଥି ଡାକ୍ତର ମୋ ବିରୋଧରେ ମାମଲା କରିବେ? ଏଇଟା ସାଧାରଣ ଜନମତ। ଆପଣମାନଙ୍କ ଏଲୋପାଥି ବୃତ୍ତି ଏତେ ଅସୁରକ୍ଷିତ ବୋଲି ମୋର ମନେହୁଏ ନାହିଁ। ଏହା ବ୍ୟତିରେକେ, ଯୋଗ ଗୁରୁଙ୍କ ବିବୃତି ବାକ୍‌ ସ୍ବାଧୀନତା ଏବଂ ଭାବନା ବ୍ୟକ୍ତ କରିବା ଆଇନ ଅନ୍ତର୍ଗତ ହୋଇଥିବାରୁ ତାଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ।

Share Now:

Kalinga News Beuro

Next Post

ମହାରାଷ୍ଟ୍ରର ବଦଲାପୁର କାରଖାନାରୁ ଗ୍ୟାସ୍‌ ଲିକ୍‌ : ଲୋକେ ଆତଙ୍କିତ

Fri Jun 4 , 2021
ମୁମ୍ବାଇ: ଗତରାତିରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଯାଇଛନ୍ତି। ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ ‘ନୋବେଲ୍‌ ଇଣ୍ଟର୍‌ମିଡିଏଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏହି କାରଖାନା ଠାରୁ ତିନି କିଲୋମିଟର୍ ବ୍ୟାସାର୍ଦ୍ଧବ୍ୟାପୀ ବସବାସ କରୁଥିବା କେତେକ ଲୋକ ନିଶ୍ବାସପ୍ରଶ୍ବାସ ଏବଂ ଆଖି ପୋଡ଼ାଜନିତ କଷ୍ଟ ହୋଇଥିବା ଅଭିଯୋଗ କରିଥିଲେ। ଗୁରୁବାର ରାତି ପ୍ରାୟ ୧୦.୨୨ରେ ଅଘଟଣ ଘଟିଥିବା ଏବଂ ଘଣ୍ଟାକ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣକୁ […]
ବଦଲାପୁର କାରଖାନାରୁ ଗ୍ୟାସ୍‌ ଲିକ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial