ଗୁଗୁଲ୍‌ ମାନଚିତ୍ରରେ ତ୍ରୁଟିପୂର୍ଣ୍ଣ ତଥ୍ୟ: ଆନ୍ଧ୍ରରେ ଗଞ୍ଜାମ ଜିଲ୍ଲାର ପାତି ସୁନପୁର

ଗୁଗୁଲ୍‌ ମାନଚିତ୍ରରେ ତ୍ରୁଟିପୂର୍ଣ୍ଣ ତଥ୍ୟ

ଉତ୍କଳ ସମ୍ମିଳନୀ ବୈଠକରେ ବିରୋଧ

ବ୍ରହ୍ମପୁର : ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମକୁ ଆନ୍ଧ୍ରପ୍ରଦେଶ କିଭଳି ନିଜ କବ୍‌ଜାକୁ ଆଣିବା ପାଇଁ ଉଦ୍ୟମ ଚଳାଇଛି। କିଛିମାସ ତଳେ ସେହି ରାଜ୍ୟର ପଞ୍ଚାୟତ ନିର୍ବାଚନରେ ଏହା ଜଣାପଡ଼ିଥିଲା ଏବଂ ଏହାକୁ ନେଇ ସାରାରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏବେ ଗୁଗୁଲ୍‌ ମାନଚିତ୍ରରେ ଏହିଭଳି ଏକ ବିବାଦୀୟ ଘଟଣା ସାମ୍‌ନାକୁ ଆସିଛି। ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତି ସୁନପୁରକୁ ଗୁଗୁଲ୍‌ ମାନଚିତ୍ର ଆନ୍ଧ୍ରପ୍ରଦେଶର ବୋଲି ଦର୍ଶାଇଛି। ଗୁଗୁଲ୍‌ ମାନଚିତ୍ରର ଏହିଭଳି ଭୁଲ୍‌ ଚିତ୍ରଣକୁ ଉତ୍କଳ ସମ୍ମିଳନୀର ଗଞ୍ଜାମ ଜିଲ୍ଲା ଶାଖା ତୀବ୍ର ବିରୋଧ କରିଛି। ଏଭଳି ବିଭ୍ରାନ୍ତିକର ତଥ୍ୟକୁ ତୁରନ୍ତ ହଟାଇବା ପାଇଁ ଦାବି କରିଛି। ଉତ୍କଳ ସମ୍ମିଳନୀର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପାଣିଗ୍ରାହୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଶାଖା ପକ୍ଷରୁ ଏକ ଅନ୍‌ଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାତି ସୁନାପୁରର ଅବସ୍ଥିତିକୁ ନେଇ ଗୁଗୁଲ୍‌ର ଭୁଲ ଚିତ୍ରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ଆନ୍ଧ୍ରର ବାଲି ମାଫିଆ ଓ ଚୋରା ମାଛ ବେପାରୀମାନେ ଚିଲିକା ହ୍ରଦର ସୀମା ସରହଦ ପର୍ଯ୍ୟନ୍ତ କବ୍‌ଜା କରି କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ମାଛ ଏବଂ ବାଲି ଲୁଟି ନେଉଥିବା ନେଇ କେତେକ ସଦସ୍ୟ ଅଭିଯୋଗ କରିଥିଲେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଦି ଦୃଢ଼ ପ୍ରତିକାର ନକରନ୍ତି, ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ମଧ୍ୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏସମସ୍ତ ବିଷୟରେ ଉତ୍କଳ ସମ୍ମିଳନୀର ରାଜ୍ୟ କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ର ରାଜ୍ୟପାଳଙ୍କୁ ପତ୍ର ଲେଖି ଅବଗତ କରାଯିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ସମ୍ମିଳନୀର ଗଞ୍ଜାମ ଜିଲ୍ଲା ସଭାପତି ଡ.ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ପ୍ରଫେସର ଅଦ୍ବୈତ କୁମାର ପାତ୍ର, ପୁରୀ ଜିଲ୍ଲାର ଶାଖା ସଭାପତି ଭୀମସେନ ମହାପାତ୍ର ପ୍ରମୁଖ ଯୋଡ଼ି ହୋଇଥିଲେ। ଗଞ୍ଜାମ ଜିଲ୍ଲା ଶାଖା ଉପସଭାପତି ଡା.ନକୁଳ ସାହୁ, ବରିଷ୍ଠ ଶିକ୍ଷାବିତ୍ ବନମାଳୀ ପାଣିଗ୍ରାହୀ, ରାଜ୍ୟପରିଷଦ ସଦସ୍ୟ କାହ୍ନୁ ବାଳକୃଷ୍ଣ ବିହାରୀ ପ୍ରମୁଖ ବକ୍ତାଭାବେ ଯୋଗ ଦେଇଥିଲେ। ଶାଖା ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏହାର ସଂଯୋଜନା କରିଥିବା ବେଳେ ବହୁ ସଂଖ୍ୟାରେ କର୍ମକର୍ତ୍ତା ଅନ୍‌ଲାଇନ୍‌ରେ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଭୌଗଳିକ ପଥ ବଦଳାଉଛି ଦେବୀ ନଦୀ : ହଜାର ହଜାର ଏକର ଚାଷ ଜମିକୁ ଗିଳିଗଲାଣି

Mon Jun 14 , 2021
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ପ୍ରତି ବର୍ଷ ବନ୍ୟା, ବାତ୍ୟାରେ ପ୍ରଭାବିତ। କେବେ ବନ୍ୟାର ବିଭୀଷିକା ତ ଅନ୍ୟ କେବେ ଅଶାନ୍ତ ସମୁଦ୍ରର ଜୁଆର ଭୟ। ପ୍ରତିବର୍ଷ ପୁଣି ବାତ୍ୟା ପାଇଁ ଚିନ୍ତା ଘାରିଲାଣି। ବନ୍ୟା, ଜୁଆର ଭଟ୍ଟା ଯୋଗୁ ନଦୀକୂଳ ଖାଇବାରୁ ଏବେ ଦେବୀ ନଦୀର ଗତିପଥ ବଦଳୁଛି। ଦୁଇ ଦଶନ୍ଧି ମଧ୍ୟରେ ଏକର ଏକର ଚାଷ ଜମି ନଦୀଗର୍ଭରେ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ବହୁ ଲୋକ […]
ଗତିପଥ ବଦଳାଉଛି ଦେବୀ ନଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial