ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚିକିତ୍ସାଧୀନ ଧଳାରଙ୍ଗର ବାଘୁଣୀ ସ୍ନେହାର ଆଜି ସକାଳେ ମୃତ୍ୟୁ ଘଟିଛି। ଗତକାଲି ଅସୁସ୍ଥ ହେବାରୁ ତା’କୁ ଚିଡ଼ିଆଖାନା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସାଲାଇନ ଲଗାଇ ଚିକିତ୍ସା କରାଯାଉଥିଲ। ସ୍ନେହାକୁ ୧୪ ବର୍ଷ ବୟସ ହୋଇଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ଓୟୁଏଟି ପ୍ରାଣୀ ଅସ୍ଥି ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଓ ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଶବ ବ୍ୟବଚ୍ଛେଦ କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ତା’ ପାକସ୍ଥଳୀ ଓ ଅନ୍ତଃନଳୀ ଫାଟିବା କାରଣରୁ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ଏହା ଗ୍ୟାଷ୍ଟ୍ରୋ ଏନ୍ଟ୍ରାଇଟିସ୍ କାରଣରୁ ହୋଇଥିବା ପ୍ରଫେସର ଦ୍ୱୟ ଅନୁମାନ କରୁଛନ୍ତି। ସ୍ନେ ହା ୨୦୧୦ ମାର୍ଚ୍ଚ ୧ ତାରିଖରେ ସାଧାରଣ ନାଲିରଙ୍ଗର ମହାବଳ ବାଘ ନିଶାନ ଓ ଧଳା ବାଘୁଣୀ କୁସୁମଙ୍କ ମିଳନରୁ ଜନ୍ମଲାଭ କରିଥିଲା। ସେ ୩ଥର ଗର୍ଭ ଧାରଣ କରି ମୋଟ୍ ୮ ଶାବକର ଜନନୀ ହୋଇଥିଲା। ୨୦୧୬ ଅଗଷ୍ଟ ମାସ ୫ ତାରିଖରେ ସାଧାରଣ ନାଲିରଙ୍ଗର ମହାବଳ ସହ ମିଳନରୁ ୩ଟି ଶାବକ (ଧଳାରଙ୍ଗ ମାଈ ମୌସୁମୀ ଓ ଅଣ୍ଡିରା ଚିନୁ ତଥା ବିରଳ କଳାରଙ୍ଗର ଅଣ୍ଡିରା ଭିକି)ଙ୍କୁ ଜନ୍ମ ଦେଇଥିଲା। ଦ୍ୱିତୀୟ ଗର୍ଭରୁ ସାଧାରଣ ନାଲିରଙ୍ଗର ସେଫ୍ ସହ ମିଳନରୁ ୨ ସାଧାରଣ ଲବ ଓ କୁଶଙ୍କୁ ଜନ୍ମ ଦେଇଥିଲା। ସେହିପରି ତୃତୀୟ ଗର୍ଭରୁ ୨୦୨୧ ମାର୍ଚ୍ଚ ୨୮ ତାରିଖରେ ସେଫ୍ ସହ ମିଳନରୁ ୩ଟି ସାଧାରଣ ନାଲିରଙ୍ଗର ଅଣ୍ଡିରା ରାକେଶ, ରକି ଓ ବଂଶୀଙ୍କୁ ଜନ୍ମ ଦେଇଥିଲା।
ନନ୍ଦନକାନନର ୩୬(ଖ) ଖୁଆଡ ମଧ୍ୟରେ ରହୁଥିବା ଏକମାତ୍ର ଅଣ୍ତିରା ୱାଲାବି ମଧ୍ୟ ଅସୁସ୍ଥ ହୋଇଛି। ଖୁଆଡ ଭିତରେ ଶୋଇରହୁଛି। କାରଣ ଜାଣିବା ପାଇଁ ଓୟୁଏଟିରୁ ଆସିଥିବା ପ୍ରଫେସର ଦ୍ୱୟ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ପରୀକ୍ଷାର ହାଡ଼ ଭାଙ୍ଗି ନଥିବା ଦେଖିବାକୁ ମିଳିଛି। କ୍ଷତ କାରଣରୁ ଓ ପ୍ରଚଣ୍ଡ ଖରା ଭୟରେ ଚାଲୁନଥିବା ଅନୁମାନ କରାଯାଉଛି। ସୂଚ଼ନାଯୋଗ୍ୟ, ଗତ ଡିସେମ୍ବର ୨୩ ତାରିଖରେ ହାଇଦ୍ରାବାଦରୁ ଏକ ହଳ ୱାଲାବିଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ମାଈଟିର ଗତ ମାର୍ଚ୍ଚ ୧୧ ତାରିଖରେ ମୃତ୍ୟୁ ହୋଇଥିଲା।
ଆଖି ବୁଜିଲା ଧଳାବାଘୁଣୀ ସ୍ନେହା : ଏକମାତ୍ର ୱାଲାବି ବି ଗୁରୁତର

Share Now: