ତତଲା ତାୱାରେ ରାଜଧାନୀ : ୨୪ ଘଣ୍ଟାରେ ବଢ଼ିଗଲା ୬.୧ ଡିଗ୍ରି

ଭୁବନେଶ୍ୱର : ଖରା ଓ ତାତିର ପ୍ରକୋପ ଏତେ ପ୍ରଚଣ୍ଡ ଯେ ରାଜ୍ୟର କି ଦେଶର ନୁ‌ହେଁ,‌ ଆଜି ଏସିଆ ମହାଦେଶର ୬ଷ୍ଠ ତତଲା ସହର ପାଲଟିଥିଲା ଭୁବନେଶ୍ୱର। ଦିନର ଡହଡହ ଖରା ସାଙ୍ଗକୁ ରାତିର ଉଷ୍ମତାତିରେ ସନ୍ତୁଳି ହେଉଛନ୍ତି ସହରବାସୀ। ଗୁରୁବାର ସହରର ତାପମାତ୍ରା ୩୭.୪ ଡିଗ୍ରି ଥିଲାବେଳେ ଆଜି ପାରଦ ୪୩.୫ ଡିଗ୍ରିରେ ପହଞ୍ଚିଥିଲା। ୨୪ ଘଣ୍ଟା ମଧ୍ୟରେ ପାରଦ ୬.୧ ଡିଗ୍ରି ବଢ଼ିବା ପରେ ସହ ସବୁ କିଛି ବଦଳି ଯାଇଥିଲା। ପୂର୍ବାହ୍ନ ବେଳକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନରେ ଅପେକ୍ଷାରତ ଯାତ୍ରୀମାନେ ତତଲା ପରିବେଶରେ ଭାଜି ହୋଇଥିଲେ। ସକାଳ ସାଢ଼େ ୮ଟା ବେଳକୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇଯାଇଥିଲା। ଘରୁ ବାହାରିଲା ବେଳକୁ ଦେହ, ହାତ, ମୁହଁ ଜଳିଗଲା ପରି ଲାଗୁଥିଲା। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ପାରଦ ୩୯.୮ ଡିଗ୍ରି ଛୁଇଁଥିଲା ଯେ ଆଉ ତଳକୁ ଖସି ନ ଥିଲା। ରାସ୍ତାରେ ଯିଏ ଯାଉଥିଲେ ଆକାଶରୁ ନିଆଁହୁଳା ଖସିବା ଭଳି ଲାଗୁଥିଲା। ପବନରେ ନିଆଁଧାସ ବାଜିବା ଭଳି ମୁହଁ ସିଝି ଯାଉଥିଲା। ଦେହ ହାତ ଜଳିଗଲା ଭଳି ଲାଗୁଥିଲା। ଲୋକ ଟାଣଖରାରେ ସିଝୁଥିଲେ, ଗମ୍‌ଗମ୍‌ ଝାଳ ବହୁଥିଲା। ଫଗୁଣ ସରୁସରୁ ଏମିତି ତାତି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଏମିତି ଟାଣ ଖରା ଥିଲା ଯେ ସବୁଦିନ ଯେଉଁ ଗଛ ଛାଇ ଥଣ୍ଡା ଲାଗୁଥିଲା, ଆଜି ସେଠାରେ ବି ଅସହ୍ୟ ଗୁଳୁଗୁଳି ହେଉଥିଲା। ଦୋକାନ ଦୁଆରମୁହଁରେ ବି ଲୋକ ଛିଡ଼ା ହୋଇପାରୁନଥିଲେ। ପାଣିପାଗ ହଠାତ୍ କାହିଁକି ଏମିତି ବଦଳିଗଲା ଭାବୁଭାବୁ ପାରଦ ୪୩ଡିଗ୍ରି ଟପି ଯାଇଥିଲା। ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ସର୍ବୋଚ୍ଚ ପାରଦ ଛୁଇଁ ଯାଇଥିଲା। ଦିନର ତାପମାତ୍ରାରେ ଏମିତି ପରିବର୍ତ୍ତନ ହେବା ନେଇ ପାଣିପାଗ ବିଭାଗ ମଧ୍ୟ ଆକଳନ କରିପାରି ନ ଥିଲା। ଗୁରୁବାର ବିଭାଗ କହିଥିଲା ଯେ ସହରର ତାପମାତ୍ରା ୩୯ ଡିଗ୍ରି ମଧ୍ୟରେ ରହିବ।
୪୦ ଡିଗ୍ରିରେ ସ୍କୁଲ୍‌ରୁ ଫେରିଲେ ପିଲା
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହୋଇଛି। ପିଲାଙ୍କ ପାଠପଢ଼ା ସହ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ରଖାଯାଇଛି। ମାତ୍ର ତିନିଦିନ ହେଲା ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପିଲାଙ୍କ କ୍ଲାସ୍‌ ସମୟରେ ପରିବର୍ତ୍ତନ କରିବାକୁ ଅଭିଭାବକ ଦାବି କରୁଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କିମ୍ବା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରି ନ ଥିଲା। ପରିଣାମ ସ୍ୱରୂପ ଆଜି ୪୦ ଡିଗ୍ରି ଖରାରେ ସିଝିଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ଛୁଟି ବେଳକୁ ସହରର ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା ଏବଂ ଅଭିଭାବକମାନେ ତାତିରେ ଆଉଟୁପାଉଟୁ ହୋଇ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଯାଇଥିଲେ। ଘରୋଇ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ବସ୍‌ ନ ହେଲେ ଅଭିଭାବକଙ୍କ ସହ ଗାଡ଼ିରେ ଘରକୁ ଫେରିଥିଲେ। ହେଲେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ତାତିରେ ଚାଲିଚାଲି ଫେରିବାର ଦୃଶ୍ୟ ହୃଦୟବିଦାରକ ଥିଲା।
ଆଜିଠୁ ସାଢ଼େ ୬ରୁ ସ୍କୁଲ୍‌
ପ୍ରଚଣ୍ଡ ‌ରୌଦ୍ରତାପକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସାଢ଼େ ୬ଟାରେ ସ୍କୁଲ ଆରମ୍ଭ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱର ପକ୍ଷରୁ ଜାରି ଗ୍ରୀଷ୍ମ ପ୍ରବାହ ଜନିତ ବୁଲେଟିନ ଆଧାରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ, ଜିଲ୍ଲା ଲୋକସଂପର୍କ ଅଧିକାରୀ ପ୍ରମୁଖ ଏଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ପ୍ରଥମରୁ ଦ୍ୱାଦଶ ଯାଏ ସାଢ଼େ ୬ଟାରୁ ଆରମ୍ଭ ହୋଇ ସାଢ଼େ ୧୦ଟାରେ ସରିବ। ପୂର୍ବରୁ ବିଦ୍ୟାଳୟଗୁଡ଼ିକ ୭ଟାରେ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏ ଚାଲୁଥିଲା। ମାତ୍ର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ତ୍ୱରିତ ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ ଏ ନିୟମ ଅନ୍ତର୍ଭୁକ୍ତ ହେବେ। ଅଙ୍ଗନବାଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଶିକ୍ଷାଧିକାରୀମାନେ ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିୟମିତ ବ୍ୟବଧାନରେ ପିଲାମାନେ କିପରି ପାଣିପିଇବେ ସେ ବ୍ୟବସ୍ଥା କରିବାକୁ କହିଛନ୍ତି। ଜଳ ବିରତି ପାଇଁ ଘଣ୍ଟି ବଜାଇବାର ବ୍ୟବସ୍ଥା କରାଯାଇଛି। ସ୍କୁଲ ସମୟ ମଧ୍ୟରେ ନିୟମିତ ବ୍ୟବଧାନରେ ଅତି କମରେ ତିନିଥର ଜଳ ବିରତି କରାଯିବ। ଏଥିପାଇଁ ଘଣ୍ଟି ବାଜିଲା କ୍ଷଣି ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାମାନେ ପାଣି ପିଉଛନ୍ତି କି ନାହିଁ ତଦାରଖ କରିବେ। ଏହା ସହିତ ପିଲାମାନେ ଛତା ଓ ଟୋପି ବ୍ୟବହାର କରୁଛନ୍ତି କି ନାହିଁ ସେଥିପ୍ରତି ପ୍ରଧାନ ଶିକ୍ଷକମାନେ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

Share Now:

Kalinga News Beuro

Next Post

ମୋ ବସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ : ଶିଶୁ ଓ ମହିଳାଙ୍କ ସମେତ ୧୬ ଯାତ୍ରୀ ଆହତ

Sat Apr 6 , 2024
୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ସହରରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଥିବା ପରିବହନ ବ୍ୟବସ୍ଥାର ଅନ୍ୟତମ ମାଧ୍ୟମ ‘ମୋ ବସ୍‌’ ସେବାରେ ପୁଣି ତ୍ରୁଟି ଦେଖାଯାଇଛି। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ମୋ ବସ୍‌ ନାଳକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial