ମୋ ବସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ : ଶିଶୁ ଓ ମହିଳାଙ୍କ ସମେତ ୧୬ ଯାତ୍ରୀ ଆହତ

୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ସହରରେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଥିବା ପରିବହନ ବ୍ୟବସ୍ଥାର ଅନ୍ୟତମ ମାଧ୍ୟମ ‘ମୋ ବସ୍‌’ ସେବାରେ ପୁଣି ତ୍ରୁଟି ଦେଖାଯାଇଛି। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ମୋ ବସ୍‌ ନାଳକୁ ଖସିପଡ଼ିଛି। ସାମ୍ନାପାଟରୁ ଏକ ଅଟୋ ଅଚାନକ ଆସିଯିବାରୁ ବସ୍‌ଟି ନାଳକୁ ଅଚାନକ ବସ୍‌ଟି ଖସିବା କାରଣରୁ ଏଥିରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଆହତମାନେ ହେଲେ ଅବ ବକ୍କର ଖାନ, ବିଦ୍ୟାଧର ବିଶ୍ୱାଳ, ମଞ୍ଜୁଲତା ସାହୁ, ଜଗନ୍ନାଥ ସାମଲ, ଲକ୍ଷ୍ମୀପ୍ରିୟା, ରୀତାଞ୍ଜଳି ପଣ୍ଡା, ମନୋରଞ୍ଜନ ସାହୁ, ଅଶୋକ ମହାରାଣା, ପ୍ରସନ୍ନ ସାହୁ, କାଶୀନାଥ ପଣ୍ଡା, ଶୈଳବାଳା ସାହୁ, ଦାଶରଥୀ ସେଠୀ, କେ ରାମକୃଷ୍ଣ ଦୋରା, ସଂଯୁକ୍ତା ନାୟକ, ‌ଲୋକି ପ୍ରଧାନ ଓ ବଂଶୀଧର ବେହେରା।
ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଭାରସାମ୍ୟ ହରାଇ ବସଟି ପିତାପଲ୍ଲୀ ନିକଟରେ ନାଳକୁ ଖସିପଡ଼ିଥିଲା। ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହେବା କାରଣରୁ ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ ରାଜଧାନୀ ଚିକିତ୍ସାଳୟ ଓ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ମୋ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ସମୟରେ ଏଭିଳ ଅଘଟଣ ଘଟିଛି। ନିକଟରେ ଭୁବନେଶ୍ୱରରେ ‘ମୋ ବସ୍’ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା। ଅଟୋଟି ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡ଼ିଥିଲେ। ଗତ ଫେବୃଆରୀ ୪ ତାରିଖ ଦିନ ରାତି ୮ଟା ସମୟରେ ଶିଖରଚଣ୍ଡୀ ବିହାର ନିକଟରେ ଜଣେ ପଥଚାରୀଙ୍କୁ ମୋ ବସ୍‌ ଧକ୍କା ଦେଇଥିଲା। ସେହି ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ୍‌ ଭଙ୍ଗାରୁଜା କରିଥିଲେ। ଗତ ଜାନୁଆରି ୧୬ ତାରିଖ ଦିନ ଏକ କାର ସହିତ ‘ମୋ ବସ୍’ ଧକ୍କା ହୋଇଥିଲା। ବାରଙ୍ଗ ଥାନା ପୁଲିସ ଉଭୟ କାର୍ ସମେତ ବସ୍‌କୁ ଜବତ କରିଥିଲା।

Share Now:

Kalinga News Beuro

Next Post

ଟ୍ରେନ୍ ‌ବିଳମ୍ବ ହେଲେ ଯାତ୍ରୀ ଫେରି ପାଇବେ ସମ୍ପୂର୍ଣ୍ଣ ଟଙ୍କା

Sun Apr 7 , 2024
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ଯୋଗେ ସାରା ଦେଶରେ ଯାତ୍ରା କରିଥାନ୍ତି। ଯାତ୍ରୀମାନଙ୍କୁ ଭାରତୀୟ ରେଳବାଇ ଦ୍ୱାରା ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଅନେକ ଥର ଟ୍ରେନ୍ କୌଣସି କାରଣରୁ ବିଳମ୍ବ ହୁଏ, ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଟ୍ରେନ୍ ବିଳମ୍ବ ହେଲେ ଭାରତୀୟ ରେଳ ସମ୍ପୂର୍ଣ୍ଣ ଫେରସ୍ତ କରେ କିନ୍ତୁ ଏନେଇ କିଛି ସର୍ତ୍ତ ଅଛି। ଭାରତୀୟ ରେଳର ନିୟମ କ’ଣ ଜାଣନ୍ତି? […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial