ଭୁବନେଶ୍ବର : ହାଇସ୍କୁଲ ପରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍ରେ ପଢ଼ାଇବା ଲାଗି ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୨୧ରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୟୁଟ୍ୟୁବ୍ରେ ହେବ। ପ୍ରଥମ ପର୍ଯ୍ୟାୟ ୟୁଟ୍ୟୁବ୍ କ୍ଲାସ ପାଇଁ ୮ଟି ଜିଲ୍ଲା ଯଥା ଖୋର୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼କୁ ଚୟନ କରାଯାଇଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୩୦ ମିନିଟ୍ର ୩ଟି ଲେଖାଏଁ ପିରିୟଡ୍ ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଏହି କ୍ଲାସ ଚାଲିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି। ଏଥିସହ କ୍ଲାସଗୁଡ଼ିକ ଯେପରି ନିୟମିତ ଭାବେ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଯାଇଛି।
ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ଶନିବାର ଓ ରବିବାର କୌଣସି କ୍ଲାସ ହେବନି। ୟୁଟ୍ୟୁବ ପାଠପଢ଼ା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କ୍ଲାସରୁମ୍ ପ୍ରସ୍ତୁତ କରିବେ। ଏହି ପାଠପଢ଼ା ତଦାରଖ ଲାଗି ଡିଇଓମାନେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବେ, ଯେଉଁଥିରେ ବରିଷ୍ଠ ବିଷୟ ବିଶେଷଜ୍ଞ ମୁଖ୍ୟ ରହିବେ। ଏହି ଟିମ୍ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ଗାଇଡ୍ କରିବା ସହ ଲାଇଭ୍ କ୍ଲାସ ପୂର୍ବରୁ କଣ୍ଟେଣ୍ଟ ଦେଖିବେ, ଠିକ୍ ଭାବେ କିଭଳି କ୍ଲାସ ହୋଇପାରିବ ସେ ବିଷୟରେ ଅନୁଧ୍ୟାନ କରିବେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହା ଦାୟିତ୍ବରେ ରହିବେ। ଲାଇଭ୍ କ୍ଲାସ ସମୟରେ ଯେପରି କୌଣସି ପ୍ରକାର ବିଭ୍ରାଟ ନ ହୁଏ ଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବେ। ବିଶେଷଜ୍ଞ ଟିମ୍ ପ୍ରତି ୟୁଟ୍ୟୁବ୍ କ୍ଲାସର ସମୀକ୍ଷା କରି ପରାମର୍ଶ ଦେଇପାରିବେ। ପ୍ରତିଦିନ କେତେ ଛାତ୍ରଛାତ୍ରୀ ୟୁଟ୍ୟୁବ୍ରେ ପଢ଼ିଲେ ସ୍କୁଲଗୁଡ଼ିକ ତାହାର ତଥ୍ୟ ସଂଗ୍ରହ କରିବେ। ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ଵନ୍ଦକୁ ହ୍ବାଟସ୍ଆପ୍ ଚାଟ୍ ଓ ଭଏସ୍ କଲ୍ ମାଧ୍ୟମରେ ଦୂର କରିବେ। ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ବାଟସ୍ଆପ୍ରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ। ସେଗୁଡ଼ିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ। ସ୍କୁଲଗୁଡ଼ିକ ନିଜସ୍ତରରେ ଅନ୍ଲାଇନ୍ କ୍ଲାସ କରି ପିଲାଙ୍କ ଦ୍ଵନ୍ଦ ଦୂର କରିପାରିବେ। କେଉଁ ଦିନ କେଉଁ ବିଷୟରେ ଶିକ୍ଷା ଦିଆଯିବ ତାହାର ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ପାଖକୁ ପଠାଇ ଦିଆଯାଇଛି।
ୟୁଟ୍ୟୁବ୍ରୁ ପଢ଼ିବେ ପ୍ରାଥମିକ ପିଲା ଜୁନ୍ ୨୧ରୁ ଜୁଲାଇ ୭ ଯାଏ କାର୍ଯ୍ୟସୂଚୀ ପ୍ରସ୍ତୁତ

Share Now: