୧୧ରୁ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ : କେବଳ ଶେଷବର୍ଷ ଛାତ୍ରଛାତ୍ରୀ ଆସିବେ

୧୧ରୁ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆସନ୍ତା ୧୧ ତାରିଖରେ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ (ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ)। ପ୍ରଥମ ପର୍ଯ୍ୟାୟରେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଓ ପରୀକ୍ଷା ଅନୁଷ୍ଠିତ ହେବ। ସେମିଷ୍ଟର ପରୀକ୍ଷା ବ୍ୟବସ୍ଥାରେ ୟୁଜିର ୫ମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଜାନୁଆରି ୧୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ଉଭୟ ସେମିଷ୍ଟରର ପରୀକ୍ଷା କରାଯିବ ଏବଂ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜିର ଷଷ୍ଠ ଓ ପିଜିର ୪ର୍ଥ ସେମିଷ୍ଟର କ୍ଲାସରୁମ୍‌ ପାଠପଢ଼ା‌ ଏପ୍ରିଲ ୨ରୁ ଜୁନ ୧୫ ପର୍ଯ୍ୟନ୍ତ ଚାଲିବ। ଜୁନ ୧୬ରୁ ୩୦ ତାରିଖ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ଜାନୁଆରି ୧୧ରୁ ଜୁନ୍‌ ୧୦ ମଧ୍ୟରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ଜୁନ୍‌ ୧୧ରୁ ୩୦ ମଧ୍ୟରେ ପରୀକ୍ଷା ହେବା ସହ ଜୁଲାଇ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। କ୍ଲାସରୁମ୍‌ ପାଠପଢ଼ା ରେଗୁଲାର ଭାବେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇଥିଲେ ମଧ୍ୟ ପାଠ୍ୟକ୍ରମର ସମସ୍ତ ଚାପ୍ଟରକୁ ଏହି ପାଠପଢ଼ା ମଧ୍ୟରେ କଭର୍‌ କରାଯିବ। ଯେତେଦୂର ସମ୍ଭବ କ୍ଲାସରୁମ୍‌ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ସମେତ ପିଏଚ୍‌ଡି, ଏମ୍‌ ଫିଲ୍‌, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ୧୧ରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠପଢ଼ା ହେବାକୁ ଥିବାରୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜା‌ନୁଆରି ୧୦ରୁ କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ/କର୍ମଚାରୀ/ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଫେସ୍‌ ମାସ୍କ/ଫେସ୍‌ କଭର ବାଧ୍ୟତାମୂଳକ କରାଯାଇଛି। ନିୟମିତ ଭାବେ ହ୍ୟାଣ୍ଡୱାସ୍‌/ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରି ଆଦି ସ୍ଥାନରେ ୬ ଫୁଟ୍‌ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି ତେବେ ବ୍ୟାଚ୍‌ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି।
କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ- ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ବାରା ଅବଦ୍ଧ ରୁ‌ହେ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ଜୁନ୍‌ ୧୯ ତାରିଖରେ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ୨୫% ସିଲାବସ୍‌ ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି ମାଧ୍ୟମରେ କଭର୍‌ କରିବେ। ପରୀକ୍ଷା ସମୟ, ରବିବାର, ଜାନୁଆରି ୨୬(ସାଧାରଣତନ୍ତ୍ର ଦିବସ), ଫେବୃୟାରୀ ୧୬(ସରସ୍ବତୀ ପୂଜା), ଏପ୍ରିଲ ୧(ଉତ୍କଳ ଦିବସ) ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ କ୍ଲାସରୁମ୍‌ ପାଠପଢ଼ା ହେବ। ତେବେ ଗତ ଡିସେମ୍ବର ୨୩ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକା ବାତିଲ୍‌ ହୋଇଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ୟୁଜି/ପିଜି ବ୍ୟତୀତ ଜାନୁଆରି ୧୧ରୁ ପିଏଚ୍‌ଡି, ଏମ୍‌.ଫିଲ୍‌ ଓ ରିସର୍ଚ୍ଚ ସ୍କଲାରଙ୍କ ପାଠପଢ଼ା ଫିଜିକାଲ ମୋଡ୍‌ରେ ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶାବଳୀକୁ ପାଳନ କରି ଶିକ୍ଷାନୁଷ୍ଠାନ ଖୋଲିବାକୁ କୁହାଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବ। ଖୋଲିବା ପୂର୍ବରୁ କ୍ୟାମ୍ପସକୁ ଭଲ ଭାବେ ବିଶୋଧନ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୟୁଜି, ପିଜିର ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ପରବର୍ତୀ ସମୟରେ ଅନ୍ୟ ଶ୍ରେଣୀ କଥା ବିଚାରକୁ ନିଆଯିବ। କ୍ଲାସ୍‌ରୁମ୍‌ରେ ପାଠପଢ଼ାର ରେକର୍ଡ ଭର୍ସନ ରହିବ। ଫଳରେ କୌଣସି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ, ପରବର୍ତୀ ସମୟରେ ସେମାନେ ସେଥିରୁ ଶିକ୍ଷା ଲାଭ କରିପାରିବେ।

Share Now:

Kalinga News Beuro

Next Post

ଦୀର୍ଘ ୯ ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର: ମା’ଙ୍କୁ ଦର୍ଶନ କରି ଭକ୍ତ ବିଭୋର

Mon Jan 4 , 2021
ଭଦ୍ରକ: ଦୀର୍ଘ ୯ ମାସର ବ୍ୟବଧାନ ପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରର ତାଲା ଖୋଲିଛି। ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ଆରାଧ୍ୟଦେବୀ ଭଦ୍ରକାଳୀଙ୍କ ମନ୍ଦିର ଖୋଲିଛି। ମାସ ମାସ ଧରି ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଗତକାଲି ମା’ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଛୁଟି ଆସିଛନ୍ତି। କୋଭିଡ କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି। ଦୀର୍ଘ ଦିନ ପରେ ମନ୍ଦିର […]
୯ ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial