ସ୍ୱେ‌ରେଜ୍‌ ପାଇଁ ଖୋଳିଦେଲେ ରାସ୍ତା: ବାହାରି ପାରୁ ନାହାନ୍ତି ୧୫ ପରିବାର

ସ୍ୱେ‌ରେଜ୍‌ ପାଇଁ ରାସ୍ତା ଖୋଳିଦେଲେ

ଚନ୍ଦ୍ରଶେଖରପୁର : ସ୍ୱେରେଜ କାମ ପାଇଁ କଲୋନିର ଦୁଇ ପାର୍ଶ୍ବ ରାସ୍ତାକୁ ଖୋଳା ଯାଇଛି। ଗୋଟିଏ ପାର୍ଶ୍ବରେ ୧୦ ଫୁଟ୍‌ର ଗାତ ତ ଆଉ ଗୋଟିଏ ପାର୍ଶ୍ବରେ ୬ ଫୁଟ୍‌ର। କଲୋନିବାସୀ ଘର ବାହାରକୁ ବାହାରି ପାରୁ ନାହାନ୍ତି। ଯଦି ବି କଷ୍ଟେମଷ୍ଟେ ବାହାରୁଛନ୍ତି, ତେବେ ସାଙ୍ଗରେ କାର୍‌ ଆଣି ପାରୁନାହାନ୍ତି। ଜରୁରୀ କାମ ପଡ଼ିଲେ ବି ଲୋକଙ୍କ ଘର ନିକଟକୁ ଆମ୍ବୁଲାନ୍ସ ଯିବାକୁ ବାଟ ନାହିଁ। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୧୦ ଦିନ ହେଲା ଡମଣା ଅଞ୍ଚ‌ଳରେ କାମ ଚାଲିଛି ଯେ ସରୁନି। କେବେ ସରିବ, ସେନେଇ ବି କାହା ପାଖରେ ଉତ୍ତର ନାହିଁ। ଯାହାକୁ ପଚାରିଲେ ଗୋଟିଏ ଉତ୍ତର ମିଳୁଛି, କାମ ଜୋରଦାର ଚାଲିଛି। ଖୁବ୍‌ଶୀଘ୍ର ରାସ୍ତା ଫିଟିଯିବ। ଏଭଳି ସମସ୍ୟା ଲାଗି ଡମଣା ସ୍କୁଲ୍ ନିକଟରେ ଥିବା ଏକ କଲୋନିର ପାଖାପାଖି ୧୫ରୁ ଅଧିକ ପରିବାର ବନ୍ଦୀ ଜୀବନ କାଟୁଛନ୍ତି। ପରିବାରଲୋକ ଘରୁ ବାହାରି ପାରୁ ନାହାନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲୋନିର ଦୁଇ ପାର୍ଶ୍ବ ରାସ୍ତା ଏକା ସମୟରେ କାମ ହେଉଥିବାରୁ ରାସ୍ତା ଖୋଳାଯାଇଛି। ଫଳରେ ଏଠାରେ ବାସ କରୁଥିବା‌ ପରିବାରର ଛୋଟ ପିଲା ଓ ବୟସ୍କ ଲୋକେ ବହୁ ହଇରାଣ ହେଉଛନ୍ତି। ଯିବା ଆସିବା ଲାଗି ଛୋଟିଆ ରାସ୍ତାଟିଏ ରହିଛି। ତେବେ ସେଥିରେ ବିପଦପୂର୍ଣ୍ଣ ଭାବେ ଯିବା ଲାଗି ଲୋକେ ଭୟ କରୁଛନ୍ତି। ୧୦ ଫୁଟ୍‌ରୁ ଅଧିକ ଗଭୀର ଏହି ଗାତ କଡ଼ରେ ଲୁହା ବାଡ଼ ଦିଆଯାଇ ନଥିବାରୁ ୧୦ ଦିନ ମଧ୍ୟରେ ୪ଥର ଗାଈ ଓ ଷଣ୍ଢ ଗଳି ପଡ଼ି ଆହତ ହୋଇଛନ୍ତି। କଲୋନିବାସୀ ଘରୁ ବାଇକ୍ ବାହାର କରିବା କଷ୍ଟକର ହୋଇପଡ଼ିଥିବା ବେଳେ ୪ଚକିଆ କଥା ନ କହିଲେ ଭଲ। ଏକକାଳୀନ ଦୁଇ ପାଖ ରାସ୍ତା ଖୋଳି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଡମଣା ଛକରୁ କେଳୁଚରଣ ପାର୍କ ଦିଗକୁ ଆସୁଥିବା ରାସ୍ତାର ପାଖାପାଖି ୯୦ ଭାଗ କାର୍ଯ୍ୟ ଶେଷ ହୋଇଯାଇଛି। ତେବେ ଉକ୍ତ ରାସ୍ତାର ବାମ ପାର୍ଶ୍ବରେ ଥିବା‌ ଏକ ଗ୍ୟାସ୍ ଗୋଦାମ ବାଧକ ସାଜିଛି। କେଉଁ କାରଣ ଲାଗି ଗ୍ୟାସ୍‌ ଗୋଦାମ ହଟାଯାଉ ନାହିଁ, ସେନେଇ କାହା ପାଖରେ ଉତ୍ତର ନାହିଁ। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ହୋଇଛି ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା : ଥଣ୍ଡା କମିବ, ତାପମାତ୍ରା ବଢ଼ିବ

Wed Nov 11 , 2020
ସୋନପୁର ସବୁଠୁ ଥଣ୍ଡା ସହର ଭୁବନେଶ୍ୱର: ରାଜ୍ୟରେ ଲଗାତାର ୫ ଦିନ ଧରି ତାପମାତ୍ରା ଖସିବାରେ ଲାଗିଥିବା ବେଳେ ଫେବ୍ରୁଆରିର ଶୀତ ଏବେଠାରୁ ଅନୁଭୂତ ହେଉଥିଲା। କିଛି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ଓ କେତେକ ସ୍ଥାନର ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଏବେଠାରୁ ଶୀତ ଡରାଉଥିଲା। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ବାଭାବିକ ସ୍ତରକୁ ଆସିଯିବ ରାଜ୍ୟର ତାପମାତ୍ରା। ରାଜ୍ୟକୁ ପୂର୍ବ ତରଙ୍ଗାୟିତ […]
୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial