ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍କୋର୍ଟର ବିଚାରପତି ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଆଜି ୨୧ତମ ଶୁଣାଣି କରିବେ। ଏଥିପୂର୍ବରୁ କରୋନାର ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ୍ ୧୦ ଓ ମେ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଏବେ ବି କରୋନା କଟକଣା ଜାରି ରହିଥିବାରୁ ଟ୍ରିବ୍ୟୁନାଲ୍ ଆସନ୍ତାକାଲିର ଶୁଣାଣି ଭର୍ଚୁଆଲ୍ରେ କରିବେ। ଶୁଣାଣି ପୂର୍ବରୁ ଜୁନ୍ ୨୪ରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପୁଣିଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ ଲୋଡ଼ାଯାଇଛି। ସୂତ୍ର ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲିର ଶୁଣାଣି ପରେ ଛତିଶଗଡ଼ ଦ୍ବାରା ଲେଖାଯାଇଥିବା ପତ୍ରର ଉତ୍ତର ଦିଆଯିବ। ଅପରପକ୍ଷେ ଚଳିତ ୨୦୨୦-୨୧ ଅଣମୌସୁମୀ (ନଭେମ୍ବରରୁ ମେ) ରତୁରେ ଓଡିଶାକୁ ୧.୧୮ଏମ୍ଏଏଫ୍ (ନିୟୁତ ଏକର ଫୁଟ) ମହାନଦୀ ଜଳ ମିଳିଥିବାର ଜଣାପଡିଛି। ପୂର୍ବ ବର୍ଷ ତୁଳନାରେ ଏଥର ଏହାର ପରିମାଣ ହ୍ରାସ ପାଇଛି। ଗତବର୍ଷ ଉକ୍ତ ଋତୁରେ ଦାବି ମୁତାବକ ୧.୭୪ ଏମ୍ଏଏଫ୍ରୁ ଅଧିକ ପାଣି ମିଳିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହାନଦୀ ଜଳବିବାଦର ମୂଳ ମାମଲାରେ ରାଜ୍ୟ ସରକାରଙ୍କର ଦ୍ବାରା ଦାଖଲ ଆବେଦନରେ ହୀରାକୁଦ ଜଳଭଣ୍ଡାରକୁ ୨ଏମ୍ଏଏଫ୍ ଜଳପ୍ରବାହ ତଥା ମଧ୍ୟବର୍ତ୍ତିକାଳୀନ ଆବେଦନରେ ଅଣମୌସୁମୀ ଋତୁରେ ୧.୭୪ ଏମ୍ଏଏଫ୍ ଜଳ ଉପଲବ୍ଧ କରାଯିବା ପାଇଁ ପ୍ରାର୍ଥନା ରହିଛି। ସଦ୍ୟ ତଥ୍ୟ ସଂପର୍କରେ ରାଜ୍ୟ ଟ୍ରିବ୍ୟୁନାଲ୍ଙ୍କୁ ଅବଗତ କରାଇବାର ସୂଚନା ରହିଛି।
ସୂଚନାଯୋଗ୍ୟ, ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି। ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲ୍ର ପ୍ରଥମ ୩ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇ ଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି। ଟ୍ରିବ୍ୟୁନାଲ୍ଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କମନ୍ ଇନଫର୍ମେଶନ ଫର୍ମାଟ୍କୁ ମୂଳ ମାମଲାରେ ଚୂଡ଼ାନ୍ତ ହୋଇ ସାରିଥିବା ୪୭ଟି ପ୍ରସଙ୍ଗ ସହିତ ଲିଙ୍କ୍ କରାଯାଇଛି। ଆସନ୍ତାକାଲି ଏହାକୁ ଟ୍ରିବ୍ୟୁନାଲ୍ଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇପାରେ। ଅନୁମୋଦନ ପାଇଲା ପରେ ପକ୍ଷଭୁକ୍ତ ରାଜ୍ୟମାନେ ଏଥିରେ ମହାନଦୀ ଜଳ ସଂପର୍କିତ ସମସ୍ତ ତଥ୍ୟ, ନଥିପତ୍ର ଓ ଦସ୍ତାବେଜକୁ ସାମିଲ କରିବେ।
ଆଜି ମହାନଦୀ ଜଳବିବାଦ ଶୁଣାଣି : ପୁଣି ଛତିଶଗଡ଼ ମାଗିଲା ଜଳପ୍ରବାହ ତଥ୍ୟ

Share Now: