ଜୟଗୁରୁ କନଷ୍ଟ୍ରକ୍ସନ୍‌ର ପ୍ରବନ୍ଧ ନିର୍ଦ୍ଦେଶକ ଗିରଫ

ଜୟଗୁରୁ କନଷ୍ଟ୍ରକ୍ସନ୍‌ର ପ୍ରବନ୍ଧ ନିର୍ଦ୍ଦେଶକ ଗିରଫ

ଜମି ଦେବାକୁ କହି ୮ଜଣଙ୍କଠାରୁ ଲୁଟିନେଲା ୬୬ଲକ୍ଷ

ଭୁବନେଶ୍ବର : ଜମି କିଣୁଥିଲେ ସାବଧାନ। ଜମିର ପଟ୍ଟା, କାଗଜ ଓ ଅନ୍ୟାନ୍ୟ ତଥ୍ୟ ଦେଖି ତଥା ପ୍ରକୃତ ମାଲିକ ସହ ଯୋଗାଯୋଗ କରି ଜମି କିଣନ୍ତୁ। ନଚେତ୍ ଜମି ନିଜର ବୋଲି କହି କିଛି ବିଲ୍ଡର୍ ଲୋକଙ୍କୁ ଠକୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଲୀ ଅଞ୍ଚଳରେ। ନୂଆପଲ୍ଲୀ ଏକାମ୍ର ବିହାରର ଜୟଗୁରୁ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରବନ୍ଧ ନିର୍ଦ୍ଦେଶକ ଦୈତାରି ନାୟକ ଜମି କିଣାଇଦେବାକୁ କହି ୮ଜଣଙ୍କୁ ଚୂନ ଲଗାଇଛି। ଅରିଶଲ ମୌଜାରେ ଜାଗା ଦେଖାଇ କହି ୮ଜଣଙ୍କ ଠାରୁ ପ୍ରାୟ ୬୫ଲକ୍ଷ ୯୦ହଜାର ଟଙ୍କା ଚଳୁ କରିଥିବା ଅଭି‌ଯୋଗ ହୋଇଛି। ଠକେଇର ପରିମାଣ ବଢ଼ିପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ଦୈତାରି ନାଁରେ ଜମି ଦଲାଲି ଅଭିଯୋଗ ଥିବା ପୁଲିସ୍ କହିଛି।
ଦୀର୍ଘ ୯ ବର୍ଷ କାଳ ଜମି ଦେବ ବୋଲି କହିବା ଦୈତାରି ସହ ଡୁମୁଡୁମା ହାଉସିଂ ବୋର୍ଡର ସ୍ନେହଲତା ଉପାଧ୍ୟାୟ(୫୨)ଙ୍କଠାରୁ ୧୫ ଲକ୍ଷ ଲୁଟିଥିଲା। ଏନେଇ ସ୍ନେହଲତା ଗତ ମାର୍ଚ୍ଚ ୨୮ରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଦୈତାରିକୁ ଗିରଫ କରିବା ପରେ ଆହୁରି ଅନେକ ଠକେଇ ସାମ୍ନାକୁ ଆସିଥିଲା। ଦୈତାରି ୮ଜଣ ଲୋକଙ୍କୁ ଅରିଶଲ ମୌଜାରେ ୧୫ହଜାର ଶହେ ବର୍ଗ ଫୁଟ୍‌ର ଜମି ଦେବ କହି ୬୫ ଲକ୍ଷ ୯୦ହଜାର ଟଙ୍କା ଠକିଥିବା ପୁଲିସ୍ କହିଛି। ୨୦୧୨ରୁ ୨୦୧୪ ମଧ୍ୟରେ ସ୍ନେହଲତାଙ୍କ ବ୍ୟତୀତ ଦୈତାରି ଶିବ ପ୍ରସାଦ ନାୟକଙ୍କ ଠାରୁ ୮ଲକ୍ଷ, ଶୁଭ୍ରାଂଶୁ ନାୟକଙ୍କ ଠାରୁ ୬.୨ଲକ୍ଷ, ଲକ୍ଷ୍ମୀପ୍ରିୟା ସ୍ବାଇଁଙ୍କ ଠାରୁ ୬.୫ଲକ୍ଷ, ସ୍ବପ୍ନାରାଣୀ ଉପାଧ୍ୟାୟଙ୍କ ଠାରୁ ୬.୨ଲକ୍ଷ, ଦିଲ୍ଲୀପ କୁମାର ପଣ୍ଡାଙ୍କ ଠାରୁ ୧୨ଲକ୍ଷ, ସୌମ୍ୟରଂଜନ ପାଲଙ୍କ ଠାରୁ ୬ଲକ୍ଷ ଓ ସୁରଜିତ ସାହୁଙ୍କ ଠାରୁ ୫.୫ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ନେବାର ୧୫ଦିନ ମଧ୍ୟରେ ଜମି ରେଜିଷ୍ଟ୍ରି କରାଯିବ ଏବଂ ଏହା ସହ ଜମିର ସୀମା ନିର୍ଧାରଣ କରି ସମସ୍ତ କାଗଜପତ୍ର ହସ୍ତାନ୍ତର କରିବ ବୋଲି କହିଥିଲା। ମାତ୍ର ଇତିମଧ୍ୟରେ ଟଙ୍କା ନେବାକୁ ୯ବର୍ଷ ବିତିଥିଲେ ହେଁ ଦୈତାରି ଟଙ୍କା ଦେବା ଦୂରର କଥା, ଲୋକଙ୍କୁ ଧରାଛୁଆଁ ଦେଇନଥିଲା‌। ଥାନାରେ ମାମଲା ରୁଜୁ ହେବା ପରେ ଦୈତାରି ନିଜ ଅଫିସ୍ ଏକାମ୍ରବିହାରରୁ ବଦଳାଇ ଏନ୍-୪।୧୯୩କୁ ସ୍ଥାନାନ୍ତର କରିଥିଲା। ତେବେ ପୁଲିସ୍ ଖବର ପାଇ ତାକୁ ଗିରଫ କରିଛି। ପୁଲିସ କହିବା‌ ଅନୁସାରେ ଦୈତାରି ପ୍ରଥମେ ନିଜକୁ ନାମୀଦାମୀ ଘରର ବ୍ୟକ୍ତି ବୋଲି ଲୋକଙ୍କୁ କହିବା ସହ ଭୁବନେଶ୍ବରର ବିଭିନ୍ନ ଜାଗାରେ ଘର ଥିବା ଦର୍ଶାଉଥିଲା। ଲୋକଙ୍କ ମନରେ ବିଶ୍ବାସ ଜିତିବା ପରେ ଜମି ବାବଦକୁ ଲୋକଙ୍କ ଠାରୁ ଟଙ୍କା ନେଇ ଜମିର ମୂଳ ମାଲିକ ପାଖରେ ହାଜର ହେଉଥିଲା। ଜମି କ୍ରେତାଙ୍କ ଠାରୁ ଅଧିକ ଟଙ୍କା ନେଇ ମାଲିକକୁ ଅଳ୍ପ ଟଙ୍କା ଦେଇ ଦଲାଲି କରୁଥିଲା।

Share Now:

Kalinga News Beuro

Next Post

ଅବ୍ୟବହୃତ ମୋବାଇଲ ଫୋନ ଦାନ କରିବାକୁ ଅନୁରୋଧ କଲା ଝାଡ଼ଖଣ୍ଡ ପୁଲିସ

Fri Jul 2 , 2021
ରାଞ୍ଚି: କରୋନା ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଏବେ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି। ମୋବାଇଲ ବା ଲାପଟପ ମାଧ୍ୟମରେ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଦିଆଯାଉଥିବାବେଳେ ଏମିତି ଅନେକ ପିଲା ଅଛନ୍ତି ଯାହାଙ୍କ ପାଖରେ ମୋବାଇଲ ଫୋନ ଖଣ୍ଡେ ମଧ୍ୟ ନାହିଁ। ଆଉ ଏହି ପିଲାମାନେ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି। ଏଭଳି ପିଲାମାନଙ୍କୁ ଅନଲାଇନ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଝାଡ଼ଖଣ୍ଡ ପୁଲିସ ଏବେ ଏକ ଭିନ୍ନ […]
ଅବ୍ୟବହୃତ ମୋବାଇଲ ଫୋନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial