ନୂଆଦିଲ୍ଲୀ: ଶ୍ରାବଣ ମାସରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ଆଇଏମଏର ସୁପାରିଶ। କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ- ଆଇଏମଏ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସଂଘ କହିଛି ଯେ, ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ଜରୁରୀ। ଦେଶରେ କରୋନାର ପ୍ରଥମ ଲହର ପରେ ସତର୍କତା ଗ୍ରହଣ କରା ନଯିବାରୁ ଦ୍ୱିତୀୟ ଲହର ଅଧିକ ଭୟାବହ ହୋଇପଡିଲା। ଏବେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି କହିଛି ଆଇଏମଏ। ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ। ଦିନଦିନ ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି। ଦେଶର ବିଭିନ୍ନ ଭାଗରୁ ଏଭଳି ଚିତ୍ର ସାମ୍ନାକୁ ଆସୁଥିବାବେଳେ ଦିଲ୍ଲୀ ଓ ଉତ୍ତରାଖଣ୍ଡରେ କାଉଡିଆଙ୍କ ଲମ୍ବା ଧାଡି ରାସ୍ତାରେ ଦେଖିବାକୁ ମିଳେ। ତେଣୁ ଭାରତୀୟ ଡାକ୍ତର ସଂଘର ଏହି ଚେତାବନୀ ସାରାଦେଶରେ ଶିବ ଭକ୍ତଙ୍କ ଚିନ୍ତା ବଢାଇ ଦେଇଛି। ଗତବର୍ଷ ମଧ୍ୟ କରୋନାର ପ୍ରଥମ ଲହର ସମୟରେ ରାଜ୍ୟ ସରକାରଗୁଡିକ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଥିଲେ।
କାଉଡିଆଙ୍କ ବୋଲବମ୍ ଯାତ୍ରା ବନ୍ଦ କରିବାକୁ ଆଇଏମଏର ସୁପାରିଶ

Share Now: