ଭୁବନେଶ୍ୱର : ଶୁଖିଗଲାଣି କଂକ୍ରିଟ୍ ସହର ଭୁବନେଶ୍ୱର। ରାଜଧାନୀ ମାଟିରେ କଂକ୍ରିଟ୍ ଚାଦର ଯେତେ ମାଡ଼ି ମାଡ଼ି ଚାଲିଛି, ଭୂତଳ ଜଳସ୍ତର ସେତିକି ଖସି ଖସି ଯାଉଛି। ସ୍ଥିତି ଏମିତି ଯେ, ୪ ବର୍ଷ ବ୍ୟବଧାନରେ ସହରର କିଛି ନିର୍ଦିଷ୍ଟ ସ୍ଥାନରେ ୩ ଫୁଟ ପର୍ଯ୍ୟନ୍ତ ଜଳସ୍ତର ଖସି ଯାଇଛି। ୭ ବର୍ଷ ତଳେ ଯୋଉଠି ୧୦ ଫୁଟ ଖୋଳୁଖୋଳୁ ପାଣି ବାହାରୁଥିଲା, ଆଜି ସେଠୁ ପଙ୍କ ବାହାରୁଛି। ୬୦ ଫୁଟ ନ ଖୋଳିଲେ ବୋରଓ୍ଵଲ୍ ସମ୍ଭବ ହେଉନି। ତେଣୁ ରାଜଧାନୀର ଅନେକ ପୁରୁଖା ବାସିନ୍ଦାମାନେ ନିଜ ଘରେ ୧୦ବର୍ଷ ତଳେ ଯେଉଁ ବୋରଓ୍ଵଲ୍ ଖୋଳାଇଥିଲେ, ତାହା ଅକାମିପ୍ରାୟ ହୋଇଯାଇଛି।
ନଦୀ, ନାଳ ଓ କୂଳର ସାଂପ୍ରତିକ ସ୍ଥିତି ବି ବାରମ୍ବାର ସ୍ମାର୍ଟ ସିଟିର ନାଗରିକଙ୍କୁ ସାବଧାନ ହେବାକୁ ଇସାରା ଦେଲାଣି। ମାତ୍ର ଛତୁ ଫୁଟିଲା ଭଳି ଗଢ଼ି ଉଠୁଥିବା ଆପାର୍ଟମେଣ୍ଟ୍ ଏବଂ କଂକ୍ରିଟ୍ ଚାଦର ବିଛେଇ ହେଉଥିବା କାରଣରୁ ସ୍ଥିତି ଅସମ୍ଭାଳ ହେଲାଣି।
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (ସିଜିଡବ୍ଲୁବି)ର ୨୦୧୭ ବର୍ଷା ପୂର୍ବର ପରୀକ୍ଷଣରୁ ମିଳିଥିବା ତଥ୍ୟ ମୁତାବକ, ୩ଟି ସ୍ଥାନରେ ଭୂତଳ ଜଳସ୍ତର ୧୦ ମିଟର ତଳକୁ ଖସି ଯାଇଛି। ନୟାପଲ୍ଲୀର ସ୍ଥିତି ସାଂଘାତିକ। ଏଠାରେ ଭୂତଳ ଜଳସ୍ତର ସଂପ୍ରତି ୧୧.୦୧ ମିଟର ତଳେ ରହିଛି। ୨୦୧୪ରେ ଏହି ସ୍ତର ୧୦ ମିଟର ଥିବା ବେଳେ ଏବେ ୧ ମିଟରରୁ ଅଧିକ ଖସି ଯାଇଛି। ସେହିପରି ଖଣ୍ଡଗିରିରେ ଜଳସ୍ତର ସଂପ୍ରତି ୧୦.୯୪ ମିଟର ତଳେ ଥିବା ବେଳେ ୨୦୧୪ରେ ଏହା ୯.୬ ମିଟରରେ ସୀମିତ ଥିଲା। ଯାଁଳାରେ ୨୦୧୪ରେ ଭୂତଳ ଜଳସ୍ତର ୬.୫ ମିଟର ତଳେ ଥିବା ବେଳେ ବର୍ତମାନର ତଥ୍ୟ ମୁତାବକ ଏହା ୧୦.୭୮ ମିଟର ତଳକୁ ଖସି ଯାଇଛି।
ଖାଲି ସେତିକି ନୁହେଁ, ୟୁନିଟ୍-୪ରେ ୨୦୧୪ରେ ଭୂତଳ ଜଳସ୍ତର ୫.୬ ମିଟର ଥିବା ବେଳେ ସଂପ୍ରତି ଏହା ୭.୩ ତଳକୁ ଖସି ଯାଇଛି। ୨୦୧୬ରେ ୟୁନିଟ୍ ୧ ଅଞ୍ଚଳର ଜଳସ୍ତର ୪.୭୫ ମିଟର ତଳେ ଥିବା ବେଳେ ବର୍ତମାନ ଏହା ୬.୭୭ ମିଟର ତଳେ ରହିଛି। ପଳାସୁଣୀରେ ୦.୯ ମିଟର ତଳେ ଭୂତଳ ଜଳସ୍ତର ଥିବା ବେଳେ ଏବେ ଏହା ୨.୫ ମିଟରରେ ପହଞ୍ଚିଛି। ୟୁନିଟ୍ ୨ରେ ୨୦୧୬ରେ ଜଳସ୍ତର ୫.୭ ମିଟର ଥିବା ବେଳେ ସଂପ୍ରତି ଏହା ୭.୨୩ ମିଟର ତଳକୁ ଖସି ଯାଇଛି। ମଞ୍ଚେଶ୍ୱରରେ ବି ୨୦୧୬ ବର୍ଷ ଭୂତଳ ଜଳସ୍ତର ୪.୫ ମିଟର ଥିବା ବେଳେ ତାହା ୫.୬୫ ମିଟର ତଳକୁ ଖସି ଯାଇଛି।
ଦିନେ ୪୦ହଜାର ଲୋକଙ୍କୁ ନେଇ ଭୁବନେଶ୍ୱରକୁ ରାଜଧାନୀ ଭାବେ ଗଢ଼ିବାକୁ ଯୋଜନା ହୋଇଥିବା ବେଳେ ଏବେ ଏଠାରେ ଜନସଂଖ୍ୟା ୧୩ଲକ୍ଷ ଟପିଲାଣି। ତେଣୁ ଗୋଟେ ପଟେ ଭୂତଳ ଜଳର ବ୍ୟବହାର ବଢ଼ିଥିବା ବେଳେ ଅନ୍ୟପଟେ ସୁଉଚ୍ଚ ବିଲ୍ଡିଂ, କଂକ୍ରିଟ୍ ଓ ପିଚୁ ରାସ୍ତା ଆଳରେ ବର୍ଷା ଜଳ ଭୂତଳକୁ ଯିବା ପାଇଁ ବାଟ ବନ୍ଦ କରି ଦିଆଯାଇଛି। ଫଳରେ ଆକ୍ୱିଫର୍ ଅର୍ଥାତ (ଜଳଭୂତ)ରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଯାହାକି ରାଜଧାନୀରେ ଭୂମିକମ୍ପର ପ୍ରଭାବ ଅଧିକ ଅନୁଭବ ହେବାର ସମ୍ଭାବନା ବି ସୃଷ୍ଟି କରିଛି। ତେଣୁ ବିଦ୍ୟୁତ ମିଟର ଭଳି ଘରେ ଘରେ ଜଳ ମିଟର ବସାଇବା ଆବଶ୍ୟକ ବୋଲି ବୈଜ୍ଞାନିକ ତଥା ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ବ୍ୟାପକ ଗଛକଟା ଏବଂ ଅସନ୍ତୁଳିତ ପରିବେଶ ଯୋଗୁଁ ବର୍ଷା ବି ଆଉ ଆବଶ୍ୟକ ମୁତାବକ ହେଉନାହିଁ। ପୂର୍ବରୁ ଅନେକେ ବିଡିଏଠାରୁ ପ୍ଲାନିଂ ନନେଇ ଘର ଓ ଆପାର୍ଟମେଣ୍ଟ୍ ତୋଳିଥିବା ବେଳେ ବର୍ଷା ଜଳ ଡିସଚାର୍ଜ ପାଇଁ କୌଣସି ସ୍ଥାନ ସଂରକ୍ଷିତ ରଖିନାହାନ୍ତି। ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ରେ ଆଉ ମାତ୍ର କିଛି ବର୍ଷ ପରେ ଜଳ ଉପଲବ୍ଧ ହେବ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇ ସାରିଥିବା ବେଳେ ଭୁବନେଶ୍ୱର ଯେ ଏଭଳି ସମସ୍ୟା ସାମ୍ନା ନ କରିବ, ତାହା କହିହେବ ନାହିଁ ବୋଲି ପରିବେଶବିତ୍ମାନେ ମତ ରଖିଛନ୍ତି।