ଜୁଆ ଆଡ଼ାରେ ଚଢ଼ଉ, ୧୦ ଗିରଫ: ମାସିକିଆ ଭଡ଼ାରେ ଲାଗିଥିଲା କଲ୍ୟାଣମଣ୍ଡପ

ଜୁଆ ଆଡ଼ାରେ ଚଢ଼ଉ

ଜମୁଥିଲା ମଦ ମାଂସର ଆସର, ୩ ଲକ୍ଷ ଟଙ୍କା ଜବତ

ବାଲିଅନ୍ତା: ଜୁଆ ଆଡ଼ା ପାଇଁ ମାସିକିଆ ଭଡ଼ାରେ ଲାଗିଥିଲା କଲ୍ୟାଣମଣ୍ଡପ। ମାସିକ ୩୦ ହଜାର ଟଙ୍କା ଭଡ଼ା ଦିଆଯାଉଥିଲା। ମଦ ମାଂସର ଆସର ସାଙ୍ଗକୁ ରାତି ସାରା ଚାଲୁଥିଲା ଜୁଆ ଖେଳ। ଜୁଆଡ଼ିଙ୍କ ମନୋରଞ୍ଜନ ପାଇଁ ବଡ଼ ଟିଭି ପରଦାରେ ସିନେମା ଦେଖିବା ଭଳି ବ୍ୟବସ୍ଥା ବି ଥିଲା। କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାନ୍ତା ଜୁଆ ଆଡ଼ା। କିନ୍ତୁ ବାଲିଅନ୍ତା ଥାନା ପୁଲିସ ସବୁ ବିଗାଡ଼ି ଦେଲା। ଗତକାଲି ବିଳମ୍ବିତ ରାତି‌ରେ ପୁଲିସ ଅତର୍କିତ ଚଢ଼ଉ କଲା। ଚଢ଼ଉ ବେଳେ କୌଶଳକ୍ରମେ ଜୁଆଡ଼ି ଗ୍ୟାଙ୍ଗ୍‌ କାର୍ପଟଦାର୍‌ ଖସି ପଳାଇଥିଲେ ବି ପୁଲିସ ୧୦ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା। ଏହି ସହିତ ଆଡ଼ାରୁ ୨ ଲକ୍ଷ ୯୮ ହଜାର ଟଙ୍କା, ବାଇକ୍‌, ଅଟୋ, ମୋବାଇଲ୍‌ ଫୋନ୍‌, ତାସ ମୁଠା ଓ ବିପୁଳ ମଦ ଜବତ କରାଯାଇଛି। ଆଜି କଲ୍ୟାଣମଣ୍ଡପ ମାଲିକଙ୍କ ସମେତ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବାଳକାଟି ନୂଆପାଟଣା ଗ୍ରାମର ସିଲିପ ସାହୁ(୩୩), ଦୀପକ ସାହୁ(୩୧), ସ୍ଥାନୀୟ ନାଗପୁର ଗ୍ରାମର ରାମଚନ୍ଦ୍ର ମହାରଣା (୫୧), ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା, ଗୋପାଳଚନ୍ଦ୍ର ପରିଡ଼ା (୩୯), ପୁରୀ ଜିଲ୍ଲା କାକଟପୁର ଥାନା ଅଧୀନ ନୀଳକଣ୍ଠପୁର ଗ୍ରାମର ସୁବାସ ରାଉତ (୩୮), ଯାଜପୁର ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବାଙ୍କବିହାରୀ ରାୟ (୪୦), ବାଲିପାଟଣା ଥାନା ଅଧୀନ ଝିଣ୍ଟିଶାସନ ଗ୍ରାମର ମନୋଜ କୁମାର ପ୍ରଧାନ(୩୯), ଓଡ଼ଖଣ୍ଡ ଗ୍ରାମର ଅଭିଜିତ ଯୋଶୀ(୨୯), ରାଜସ ଗ୍ରାମର ଅମିତ ସ୍ବାଇଁ(୩୩) ଓ କବିନ୍ଦ୍ର ସ୍ବାଇଁ (୨୪)। ପୁଲିସ ସୂଚନାନୁସାରେ ଭୁବନେଶ୍ବର-ବାଲିପାଟଣା ମୁଖ୍ୟ ରାସ୍ତାରେ ବାଳକାଟି ଦୁଲ୍ଲାଦେବୀ ମନ୍ଦିର ନିକଟରେ ଥିବା ‘ଅନନ୍ୟା’ କଲ୍ୟାଣ ମଣ୍ଡପରେ ଏହି ଜୁଆ ଆଡ଼ା ଚାଲିଥିଲା। କରୋନା ପାଇଁ ବିବାହ, ବ୍ରତ ଆଦି ସାମଜିକ ତଥା ମାଙ୍ଗଳିକ କାର୍ଯ୍ୟ ବନ୍ଦ ଥିବାରୁ ଜୁଆଡ଼ି ଗ୍ୟାଙ୍ଗ୍‌ ଏହାକୁ ଭଡ଼ାରେ ନେବାକୁ ସ୍ଥିର କରିଥିଲେ। ଭଡ଼ା ବାବଦରେ ମାସିକ ୩୦ ହଜାର ଟଙ୍କା ଦେବାକୁ କହିଥିଲେ ଓ ମାଲିକ ସିଲିପ ସାହୁ ରାଜି ହୋଇଥିଲେ। ତେଣୁ ଦୀର୍ଘ ୩ ମାସ ହେବ ଏଠାରେ ଜୁଆ ଆଡ଼ା ଚାଲିଥିଲା। କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆଖେଳ ଚାଲିବାକୁ ଥିବାରୁ ଜୁଆଡ଼ି ଗ୍ୟାଙ୍ଗ୍‌ ସେହି ଦିନ ପର୍ଯ୍ୟନ୍ତ ଭଡ଼ା ନେଇଥିଲେ। ଏନେଇ ପୁଲିସ ନିକଟରେ ଖବର ପହଞ୍ଚିବା ପରେ ଗତକାଲି ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଅତର୍କିତ ଭାବେ ଫାଣ୍ଡି ଅଧିକାରୀ ମମ୍‌ତାଜ ଅଲ୍ଲୀଙ୍କୁ ଧରି ସଦଳବଳେ କଲ୍ୟାଣମଣ୍ଡପରେ ଚଢ଼ଉ କରିଥିଲେ। ଚଢ଼ଉ ବାବଦରେ ପ୍ରାକ୍ ସୂଚନା ପାଇବା ପାଇଁ ଜୁଆଡ଼ି ଗ୍ୟାଙ୍ଗ୍‌କୁ କୌଣସି ସୁଯୋଗ ଦେଇନଥିଲେ ଆଇଆଇସି ଶ୍ରୀ ସ୍ବାଇଁ। ତଥାପି ଜୁଆଡ଼ି ଗ୍ୟାଙ୍ଗ୍‌ର ଧୂର୍ତ୍ତ ମୁଖିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

Share Now:

Kalinga News Beuro

Next Post

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା : ସ୍କାଏମେଟ୍

Thu Sep 2 , 2021
ଭୁବନେଶ୍ବର : ସେପ୍ଟେମ୍ବର ୫-୬ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ବାରା ପୂର୍ବ, ମଧ୍ୟ ଓ ଉତ୍ତର ଭାରତରେ ବର୍ଷା ପରିମାଣ ବଢିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ମାସରେ ଭଲ ବର୍ଷାର ସମ୍ଭାବନା ରହିଛି। ଏହି ମାସରେ ୩-୪ଟି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରି […]
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial