ଖୋଲିବ ଆତ୍ମଘୋଷିତ ବାବା ମାନସଙ୍କ ଗୁମର

ଆତ୍ମଘୋଷିତ ଗୁରୁଜୀଙ୍କ ଗୁମର ଫିଟିବ

ଭୁବନେଶ୍ବର : ଆଇନଜୀବୀ ହୋଇ ବେଆଇନ କାମରେ ଲିପ୍ତ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଶେଷରେ ଆଇନ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ମାନବବାଦ ସଂଗଠନ(ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ) ନାଁରେ ବହୁ ବର୍ଷ ଧରି ଅମାନବୀୟ କାର୍ଯ୍ୟ ଘଟାଇ ଚାଲିଥିବା ମାନସଙ୍କୁ ଗୁରୁବାର ଦିନ ଖୋର୍ଦ୍ଧା ପୁଲିସ ଭୁବନେଶ୍ବର ସହିଦନଗର ସ୍ଥିତ ଘରୁ ଉଠାଇ ନେଇ ପେସାଦାର ଅପରାଧୀ ଭଳି ରାସ୍ତାରେ ଚଲାଇ ଚଲାଇ ନେଇଛି। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏବେ ଏଭଳି ଜଣେ ଆତ୍ମଘୋଷିତ ଗୁରୁଜୀଙ୍କ କଳା କାରନାମାର ଗୁମର ଫିଟିବ ଏବଂ ତାଙ୍କର ପ୍ରକୃତ ସ୍ବରୂପ ପଦାକୁ ଆସିବ ବୋଲି ସାଧାରଣରେ ଆଶାର ସଞ୍ଚାର ହୋଇଛି।
ବସାଉଥିଲେ କଙ୍ଗାରୁକୋର୍ଟ, ସାଙ୍ଗରେ ଥିଲା ପୁଅ
ଖୋର୍ଦ୍ଧା ବେଗୁନିଆ ଅଭିମାନପୁରର ସତ୍ୟବ୍ରତ ନାୟକଙ୍କୁ ହତ୍ୟା ହେଉ କି କଡ଼ବ ଗାଁରେ ବାପା ମାଗୁଣି ନାୟକ ଓ ଆନନ୍ଦ ନାୟକଙ୍କୁ ନୃଶଂସ ଭାବେ ପିଟିପିଟି ହତ୍ୟା ଉଦ୍ୟମ ହେଉ ସବୁ ଷଡ୍‌ଯନ୍ତ୍ରରେ ମାନସ ଓ ତାଙ୍କ ପୁଅ ମନୋରଞ୍ଜନ ସାମିଲ ଥିବା ଅଭିଯୋଗ ରହିଛି। ସତ୍ୟବ୍ରତଙ୍କ ଶଳା କାହିଁକି ବୈଠକକୁ ଆସିଲା ନାହିଁ ବୋଲି ଅଗଷ୍ଟ ୧ ତାରିଖରେ ସେମାନେ ତାଙ୍କୁ ଡକାଇ କଙ୍ଗାରୁକୋର୍ଟରେ ନିସ୍ତୁକ ମାଡ଼ ମାରିଥିଲେ। ସତ୍ୟବ୍ରତ ଘରକୁ ଫେରି ଆସିଥିଲେ ମଧ୍ୟ ସେତିକିରେ ରାଗ ଶାନ୍ତ ହୋଇ ନ ଥିଲା। ସଂଗଠନର ପ୍ରମୁଖ ସଦସ୍ୟ ସ୍ବପ୍ନେଶ୍ବର ନାୟକ ଓ ଅନ୍ୟମାନେ ସତ୍ୟବ୍ରତଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲେ। ଏହି ମାମଲାରେ ମାନସ ଅନ୍ୟତମ ଅଭିଯୁକ୍ତ ଥିଲେ। ସେହିପରି ବାପା, ପୁଅଙ୍କୁ ମଧ୍ୟ ସେମାନେ କଙ୍ଗାରୁକୋର୍ଟରେ ବସାଇଥିଲେ। କାହିଁକି ବୈଠକକୁ ଆସୁନ ବୋଲି କହି ମାଡ଼ ମାରିଥିଲେ ସଂଗଠନର ସଦସ୍ୟମାନେ। ଏହି ଭିଡିଓ ଭାଇରାଲ୍ ହେବା ପରେ ମାନସଙ୍କ ଅଡ଼ୁଆ ବଢ଼ିଥିଲା।
ସଦସ୍ୟଙ୍କୁ ଏମିତି କରାଉଥିଲା ଶପଥ ପାଠ, ‘ମୋ ସମାଜର ପରମ ଶତ୍ରୁ ଆର୍ଯ୍ୟ’
‘ମୁଁ ସିନ୍ଧୁ ସଭ୍ୟତାର ରାଜ ପରିବାରର ସଦସ୍ୟ ଅଟେ। ମୋର ଜାତି, ଧର୍ମ, ବର୍ଣ୍ଣ, ସମାଜ ଏବଂ ସଂସ୍କୃତି ଦ୍ରାବିଡ଼ ଅଟେ। ମୋ ସମାଜ ହିଁ ମୋ ପରିବାର, ପରିଚୟ ଓ ଅସ୍ତିତ୍ବ ଅଟେ। ମୋ ସମାଜର ପରମ ଶତ୍ରୁ ଆର୍ଯ୍ୟ ଏବଂ ତାଙ୍କୁ ସମର୍ଥନ କରୁଥିବା ସମାଜ ବା ବ୍ୟକ୍ତି ବି ମୋ ଶତ୍ରୁ ଅଟେ। ମୋର ସମସ୍ତ ପ୍ରତିଭା, କଳା ଏବଂ କୌଶଳ ମୋ ସମାଜ ମଙ୍ଗଳରେ ଲଗାଇବି। ମୁଁ ମୋ ଆଗାମୀ ପିଢ଼ିକୁ ମୋ ସମାଜର ପ୍ରକୃତ ପରିଚୟ ଦେଇ ଚାଲିବି। ମୁଁ କେବେବି କୌଣସି ପରିସ୍ଥିତି ବା ଅବସ୍ଥାରେ ମୋ ସମାଜର କ୍ଷୟକ୍ଷତି କରିବି ନାହିଁ।’ ମାନବବାଦ ସଂଗଠନ(ରାଷ୍ଟ୍ରୀୟ ସାମାଜିକ ନ୍ୟାମ ମଞ୍ଚ) ପକ୍ଷରୁ ଏମିତି ଲିଫଲେଟ୍ ଛପା ଯାଉଥିଲା। ସଂଗଠନର ଯେଉଁଠି ସଭା ବସୁଥିଲା ସେଠାରେ ଏହି ଲିଫଲେଟକୁ ବଣ୍ଟା ଯାଉଥିଲା। ଏହାକୁ ଶପଥ ପାଠ ମଧ୍ୟ କରାଯାଉଥିଲା।
ଗଣମାଧ୍ୟମକୁ ପଢ଼ାଉଥିଲେ ଆଇନ ପାଠ
ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ପେସାରେ ଜଣେ ଆଇନଜୀବୀ। ଗତ ୩୧ ତାରିଖରେ ଖୋର୍ଦ୍ଧା କୋର୍ଟକୁ ଆସିଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତା’ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ଉପରେ ପ୍ରଶ୍ନ ପଚାରିଥିଲେ। ସେତେବେଳେ ସେ ଚିହିଁକି ଉଠିଥିଲା। ଉତ୍ତରରେ କହିଥିଲେ, ଅଭିଯୋଗ ଯାହା ବିରୋଧରେ ଯିଏ ବି ଆଣିପାରିବ। ଇନଭେଷ୍ଟିଗେସନ୍ ଅଛି, କୋର୍ଟ ଅଛି, ଲ’ ଅଛି। ମୋ ବିରୋଧରେ ଆସିଥିବା ଅଭିଯୋଗର ଇନଭେଷ୍ଟିଗେସନ୍ ଚାଲିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲା, ଆପଣ ଏହାକୁ ବୁଝିପାରିବେନି। ଇଏ ଜର୍ଣ୍ଣାଲିଜିମ୍ ନୁହେଁ। ଏଲ୍‌ଏଲ୍‌ବି କରନ୍ତୁ; ଆଇନ ବିଷୟରେ ବୁଝିପାରିବେ। ତା’ର ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
୧୯୯୯ରୁ ସଂଗଠନ, ଆସାମ ଯାଏ ଲମ୍ବିଛି
ଦଳିତ, ଆଦିବାସୀଙ୍କୁ ନେଇ ମାନସ ୧୯୯୯ ମସିହାରେ ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ(ମାନବବାଦ ସଂଗଠନ) ତିଆରି କରିଥିଲେ। ଏ କଥା ସେ ନିଜେ ଗଣମାଧ୍ୟମକୁ କହିଥିଲେ। କେବଳ ଓଡ଼ିଶା ନୁହେଁ; ଆସାମ ପର୍ଯ୍ୟନ୍ତ ସଂଗଠନ ଲମ୍ବିଛି ବୋଲି ସେ କହିଥିଲେ। ସବୁଆଡ଼େ ସଂଗଠନର ସଦସ୍ୟ ଅଛନ୍ତି। କିନ୍ତୁ ସଂଗଠନ ଓ ମାନସଙ୍କ ବିରୋଧରେ ଅଭିଯୋଗ ପରେ ଅଭିଯୋଗର ସୁଅ ଛୁଟିଛି। ବେଗୁନିଆ ଅଞ୍ଚଳରେ ସଂଗଠନ ପାଇଁ ଜୋର ଜବରଦସ୍ତ ସଦସ୍ୟତା ଗ୍ରହଣ କରିବା ପାଇଁ ବାଧ୍ୟ କରୁଥିଲେ। ଯିଏ ରାଜି ହେଉ ନ ଥିଲା ତାକୁ କଙ୍ଗାରୁ କୋର୍ଟରେ ଶାସ୍ତି ଦିଆ ଯାଉଥିଲା। ଯିଏ ସଂଗଠନ ଛାଡ଼ୁଥିଲା ତାକୁ ସାଂଘାତିକ ନିର୍ଯାତନା ଦିଆଯାଉଥିଲା। ଏପରିକି କିଛି ପରିବାର ଗାଁ ଛାଡ଼ି ଅନ୍ୟତ୍ର ରହୁଥିଲେ ବୋଲି ଅଭିଯୋଗ ଆସୁଥିଲା।

Share Now:

Kalinga News Beuro

Next Post

ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

Sat Sep 4 , 2021
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି। ଡାନିଏଲଙ୍କୁ ସେ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି। ବିଶ୍ବର ନଂ୧ ମାନ୍ୟତା ପ୍ରାପ୍ତ […]
ପ୍ରମୋଦ ଭଗତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial