ଭାରତରେ ଟିକା ନେଇଥିବା ବ୍ୟକ୍ତି ଟିକା ନେଇନାହାନ୍ତି ବୋଲି ଧରାଯିବ: ବ୍ରିଟେନ

ବ୍ରିଟେନର ନୀତିକୁ ବିରୋଧ

ଭାରତର ସମେତ ଅନେକ ଦେଶର ତୀବ୍ର ପ୍ରତିବାଦ, ଇଂଲଣ୍ଡ ଗସ୍ତରୁ ଓହରିଗଲେ ଶଶୀ ଥରୁର୍‌

ନୂଆଦିଲ୍ଲୀ : ବ୍ରିଟେନର ଯାତ୍ରା ନିୟମାବଳୀକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକଟ କରିଛି। କେବଳ ସରକାର ନୁହେଁ, ବିରୋଧୀ ଦଳର ନେତାମାନେ ମଧ୍ୟ ବ୍ରିଟେନର ଏହି ନୀତିକୁ ବିରୋଧ କରିଛନ୍ତି। ଗତ ଶୁକ୍ରବାର ବ୍ରିଟେନ ନିଜର କରୋନା କଟକଣାକୁ ଟିକିଏ କୋହଳ କରିବା ସହ କାନାଡା଼ ଓ ଆଉ କେତେକ ବିକଶିତ ଦେଶର ଯାତ୍ରୀମାନଙ୍କୁ ବ୍ରିଟେନ ଆସିବାକୁ ଅନୁମତି ଦେଇଥିଲା। ତେବେ ଭାରତ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରାଜିଲ ପ୍ରଭୃତି ବିଭିନ୍ନ ବିକାଶଶୀଳ ଦେଶର ଲୋକମାନେ ଦୁଇଟି ମାତ୍ରା ଟିକା ନେଇଥିଲେ ବି ସେମାନଙ୍କୁ ବ୍ରିଟେନ ପ୍ରବେଶ ଉପରେ ନିଷେଧାଜ୍ଞା ଲଗାଯାଇଥିଲା। ଏପରିକି ଭାରତରେ ଦୁଇଟି ମାତ୍ରା କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ମଧ୍ୟ ଟିକା ନେଇନାହାନ୍ତି ବୋଲି ଧରାଯିବ ବୋଲି ବ୍ରିଟେନ ସ୍ପଷ୍ଟ କରିଥିଲା।
ଏହାକୁ ଭାରତ ସମେତ ଏହି ଦେଶମାନେ ବର୍ଣ୍ଣବୈଷମ୍ୟବାଦ ବୋଲି କହି ବିରୋଧ କରୁଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ବ୍ରିଟିଶ ସରକାରଙ୍କ ନିକଟରେ ପ୍ରତିବାଦ କରାଯାଇଛି। ଭାରତର ବୈଦେଶିକ ସଚିବ ହର୍ଷ ସିଂଗଲା କହିଛନ୍ତି ଯେ ବ୍ରିଟେନର ଏହା ଏକ ପକ୍ଷପାତପୂର୍ଣ୍ଣ ବ୍ୟବହାର। ବ୍ରିଟେନ ଦ୍ୱାରା ଲାଇସେନ୍ସ ଦିଆଯାଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଭାରତରେ କୋଭିସିଲଡ ନାଁରେ ଉତ୍ପାଦନ କରାଯାଉଛି। ଭାରତ ପକ୍ଷରୁ ମଧ୍ୟ ୫୦ ଲକ୍ଷ ମାତ୍ରା ଟିକା ବ୍ରିଟେନକୁ ଦିଆଯାଇଛି ଓ ତାହାକୁ ବ୍ରିଟେନରେ ବ୍ୟବହାର କରାଯାଇଛି। ସେହି ଟିକାକୁ ଭାରତରେ ନେଇଥିବା ଲୋକ କିପରି ଗ୍ରହଣୀୟ ହେବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନର ଏହି ନୀତି ପ୍ରତିବାଦରେ କଂଗ୍ରେସ ନେତା ଶଶୀ ଥରୁର ଇଂଲଣ୍ଡର କେମ୍ବ୍ରିଜ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରୁ ଓହରିଯାଇଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହାକୁ ବିରୋଧ କରିଛନ୍ତି।

Share Now:

Kalinga News Beuro

Next Post

କ୍ଷମତାକୁ ଫେରୁ ଫେରୁ ତାଲିବାନର ଡ୍ରଗ୍ସ ଚୋରା ଚାଲାଣ ଆରମ୍ଭ

Tue Sep 21 , 2021
ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରୁ ଫେରୁ ତାଲିବାନ ନିଜର ପୁରୁଣା ବ୍ୟବସାୟ ଆରମ୍ଭ କରିଦେଲାଣି। ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି। ପୂର୍ବର ଅସରଫ ଗନି ସରକାରରେ ଡ୍ରଗ୍ସ ଚୋରାଚାଲାଣ ଉପରେ ନିଷେଧାଜ୍ଞା ଲଗାଯାଇଥିଲା। କିନ୍ତୁ […]
ଡ୍ରଗ୍ସ ଚୋରା ଚାଲାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial