କୋରାପୁଟ : ମାସକ ତଳେ ଓଡ଼ିଶାର ଗାଁରେ ତେଲୁଗୁ ଭାଷାରେ ଫଳକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଓଡ଼ିଶାର କଡ଼ା ଆଭିମୁଖ୍ୟ ଯୋଗୁ ଶେଷ ମୁହୂର୍ତ୍ତରେ ଫଳକ ବିବାଦରୁ ଦୂରେଇ ଯାଇଥିଲେ ଆନ୍ଧ୍ରର ସାଲୁର ବିଧାୟକ। କିଛିଦିନର ନିରବତା ପରେ ପୁଣି ଫଳକ ଲଗାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଯାହାର ଉଦାହରଣ ସୋମବାର ଦିନ ପଟାଙ୍ଗି ବ୍ଲକ୍ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଦେଖିବାକୁ ମିଳିଛି। ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପୂରା ବ୍ୟସ୍ତରେ ରହିଥିଲା। ଧନଜୀବନର ସୁରକ୍ଷା ପାଇଁ ଗତ ୪୮ଘଣ୍ଟା ଧରି ପୂରା ପ୍ରଶାସନ ଲାଗିଥିବା ବେଳେ ଏଭଳି ବିଷମ ପରିସ୍ଥିତିକୁ କିନ୍ତୁ ଆନ୍ଧ୍ର ସୁଯୋଗରେ ପରିଣତ କରିବାକୁ ଯୋଜନା କରିଥିଲା। ବାତ୍ୟା ସମୟରେ ସାଲୁର ବିଧାୟକ ନିଜ ସମର୍ଥକଙ୍କୁ ନେଇ କୋଟିଆ ଗ୍ରାମପୁଞ୍ଜରେ ପହଞ୍ଚିଥିଲେ। ଫାଟୁସେନେରୀ, ସଲପଗୁଡା, ଡୋଳିଆମ୍ବ ଓ କୋଟିଆରେ ତେଲୁଗୁ ଫଳକ ଲଗାଇ ଚୁପ୍ଚାପ୍ ଚାଲି ଯାଇଥିଲେ। ଏପରିକି କୋଟିଆବାସୀଙ୍କୁ ଆଗାମୀ ଦିନରେ ଫଗୁଣସିନେରୀ, ଫାଟୁସିନେରୀ ଅଞ୍ଚଳରେ ଏକାଧିକ କାର୍ଯ୍ୟକ୍ରମ କରିବେ ବୋଲି କହିଥିବା ଜଣାପଡ଼ିଛି। କୋଟିଆବାସୀ ବାତ୍ୟାର ସମୁଖୀନ ହୋଇଥିବାବେଳେ ଏମିତି ସମୟରେ ବିବାଦ ବଢ଼ାଇ ସାଲୁର ବିଧାୟକ କ’ଣ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି। ଜାଣିଶୁଣି ଏମିତି ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ମତପ୍ରକାଶ ପାଇଛି।
ଗତକାଲି ରାତିରେ ପ୍ରବଳ ବର୍ଷା ସହ ପବନର ପ୍ରଭାବରେ କୋଟିଆର କିଛି ଅଂଶ ପ୍ରଭାବିତ ହୋଇଛି। ମାଡ଼କାର ପୋଲ ଉପରେ ବନ୍ୟାଜଳ ପ୍ରଭାବିତ ହୋଉଛି। ଓଡ଼ିଶା ପଟୁ ଏହି ଅଞ୍ଚଳକୁ ଯିବା ସମ୍ଭବ ନ ଥିବା ବେଳେ ସୁଳିଆମାରି ପୋଲ ଉପରେ ବି ପାଣି ଚାଲୁଥିବାରୁ ସେପଟୁ ମଧ୍ୟ ଏହି ଅଞ୍ଚଳକୁ ପହଞ୍ଚିବା ସମ୍ଭବ ହୋଇପାରୁନି। ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇ ରହିଥିବା ଏହି ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏ ନେଇ ପଟାଙ୍ଗି ବିଧାୟକ ପୀତମ ପାଢ଼ୀ କହିଛନ୍ତି ଯେ ମଙ୍ଗଳବାର ଓଡ଼ିଶା ପକ୍ଷରୁ ଗୋଟିଏ ଟିମ୍ କୋଟିଆ ଯିବ। ଓଡ଼ିଶା ପକ୍ଷରୁ ବି ଅନେକ ସ୍ଥାନରେ ଓଡ଼ିଆ ଫଳକ ଲଗାଇବା ପାଇଁ ଯୋଜନା ହୋଇଛି। ଲୋକଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି। ସେହିପରି ଜିଲ୍ଲାପାଳ ଅମଦଲ୍ ଏମ୍. ଅଖତର କହିଛନ୍ତି ଯେ, କୋଟିଆବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଓଡ଼ିଶା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଯଦି କେହି ବିବାଦ କରିବାକୁ ଉଦ୍ୟମ କରୁଛନ୍ତି, ସେଥିରେ ଆଦୌ ସଫଳ ହେବେନାହିଁ।
କୋଟିଆରେ ଜାଣିଶୁଣି ବିବାଦ କରୁଛି ଆନ୍ଧ୍ର : ଓଡ଼ିଶା ଗାଁରେ ତେଲୁଗୁ ଫଳକ

Share Now: