ମୃତ୍ୟୁ ଫାଶ ସାଜିଛି ସ୍ବେରେଜ୍‌ ଖାଲ : ଖୋଳିଦେଇ ମୁକୁଳା ଛାଡ଼ିଦେଲେ

ମୃତ୍ୟୁ ଫାଶ ସାଜିଛି ସ୍ବେରେଜ୍‌ ଖାଲ

ଭୁବନେଶ୍ବର: ଜିଜିପି କଲୋନି ଜାପାନ ମାର୍କେଟ୍‌ କମ୍ପ୍ଲେକ୍ସ ରାସ୍ତାରେ ମୁକୁଳା ପଡ଼ିଥିବା ସ୍ବେରେଜ୍‌ ଚାମ୍ବର ଖାଲ ମୃତ୍ୟୁ ଫାଶ ସଦୃଶ ହୋଇଛି। ୩୦ ଫୁଟ୍ ଓସାରର ଏହି ରାସ୍ତାରେ ଗାତଟି ପ୍ରାୟ ୨୫ ଫୁଟ୍‌ ଜାଗା ମାଡ଼ିବସିଛି। ସୁରକ୍ଷା ପାଇଁ ଗାତ ଚାରିପଟେ ଅସ୍ଥାୟୀ ଗାର୍ଡ ୱାଲ୍‌ କରାଯାଇନାହିଁ। ତେଣୁ ବଳକା ୫ଫୁଟ୍ ଓସାର ରାସ୍ତାରେ ହଜାର ହଜାର ଲୋକ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି। ତୁରନ୍ତ କାମ ସାରିବାକୁ ବାରମ୍ବାର ଅଭିଯୋଗ କରିବା ପରେ ବି ଠିକାସଂସ୍ଥା କି ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାନୁସାରେ, ବିଏମ୍‌ସି ୧୮ନମ୍ବର ୱାର୍ଡ ଅନ୍ତର୍ଗତ ଜିଜିପି କଲୋନି ମୁଖ୍ୟ ରାସ୍ତାରେ ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ହେଲା ସ୍ବରେଜ୍ ଲାଇନ୍‌ କାମ ଚାଲୁଛି। ଚାମ୍ବର ତିଆରି ପାଇଁ ରାସ୍ତାରେ ଗଭୀର ଗାତ ଖୋଳାଯାଇଛି। ଗଭୀର ଗାତରେ ବର୍ଷା ପାଣି ପଶିଯିବାରୁ କଡ଼ରୁ ମାଟି ଧସେଇଗଲାଣି। ତେଣୁ ଚଳପ୍ରଚଳ ପାଇଁ ବଳକା ଥିବା ୫ ଫୁଟ୍‌ ରାସ୍ତା ଧସିଯାଇ ଗାତ ସହ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଭୟଙ୍କର କଥା ହେଉଛି, ଉକ୍ତ ଗାତ କଡ଼ରେ ଅସ୍ଥାୟୀ ଗାର୍ଡ ୱାଲ୍‌ ଅଧପନ୍ତରିଆ ଅବସ୍ଥାରେ ରହିଛି। ମଝିରେ ମଝିରେ ଓସାରିଆ ଫାଙ୍କା ସ୍ଥାନ ଥିବାରୁ ସାମାନ୍ୟ ଭାରସାମ୍ୟ ଏପଟସେପଟ ହେଲେ ଗାତ ଭିତରକୁ ଗଳି ପଡ଼ିବା ନିଶ୍ଚିତ। ଗାତ ଭିତରେ ଯେତିକି ଗଭୀରର ପାଣି ରହିଛି, ସେଥି‌ରେ ଛୋଟ ପିଲା ବୁଡ଼ି ଯିବା ଭୟ ରହିଛି। ତେଣୁ ସେହି ବାଟ ଦେଇ ଯାଉଥିବା ସ୍କୁଲ ପିଲାଙ୍କ ପ୍ରତି ଗୋଡ଼େ ଗୋଡ଼େ ବିପଦ ରହିଛି। ତେଣୁ ନିକଟସ୍ଥ ଗୋପୀନାଥ ଦେବ ବିଦ୍ୟାଳୟର ପିଲାମାନେ ସୁବଦିନ ବିପଦ ମୁଣ୍ଡେଇ ଯାତାୟାତ କରୁଛନ୍ତି ବୋଲି ସ୍ଥାନୀୟ ଅଭିଭାବକମାନେ କ୍ଷୋଭର ସହ କହିଛନ୍ତି।
ଜିଜିପି କଲୋନି, ସୃଷ୍ଟି ଭିଲ୍ଲା, ବ୍ୟାଙ୍କର୍ସ କଲୋନି, ଜଗନ୍ନାଥନଗର, ପାଣ୍ଡରା, ସାଇବିହାର ଆଦି ଅଞ୍ଚଳ ପାଇଁ ଏହା ମୁଖ୍ୟ ରାସ୍ତା। ତେଣୁ ଲୋକମାନେ ବଡ଼ କଲବଲ ଅବସ୍ଥାରେ ଏହି ରାସ୍ତାରେ ଯା’ଆସ କରୁଛନ୍ତି। କେବଳ ବାଇକ୍ ଯିବା ଭଳି ରାସ୍ତାରେ ବେଳେବେଳେ ଅଟୋ ଏବଂ ଅନ୍ୟ ଗାଡ଼ି ପଶି ଆସୁଥିବାରୁ ଟ୍ରାଫିକ୍ ଜାମ୍ ହେଉଛି ଓ ଲୋକମାନେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇରହୁଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ ବିଶ୍ବାଳଙ୍କ କହିବା କଥା ବର୍ଷା ଦିନରେ କାମ କରି‌ବା ଓ ଠିକା ସଂସ୍ଥା ମନମାନୀ କରି କାମ ବିଳମ୍ବ କରିବା ଯୋଗୁଁ ଲୋକଙ୍କ ଜୀବନ ବାଜିରେ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏ ସଂପର୍କରେ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଭରତଚନ୍ଦ୍ର ଦଳେଇ କହିଛନ୍ତି ଯେ ସ୍ମାର୍ଟ ସିଟି ପକ୍ଷରୁ କେବୁଲ୍ ବିଛାଇବା କାମ ଚାଲିଥିବାରୁ ସ୍ବେରେଜ୍‌ କାମ ବିଳମ୍ବ ହେଉଛି। ଆଉ ୧୫ଦିନ ଭିତରେ କାମ ସାରିବାକୁ ଚେଷ୍ଟା କରାଯାଉଛି।

Share Now:

Kalinga News Beuro

Next Post

ରାଜ୍ୟରେ ସାମ୍ବାଦିକଙ୍କ ସଂଖ୍ୟା କେତେ ଓ ସେମାନଙ୍କୁ ରାଜ୍ୟ ସରକାର କ’ଣ ସୁବିଧା ଦେଇଥାନ୍ତି ?

Tue Jul 26 , 2022
ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି। ଓଡିଶା ପ୍ରେସ ଆର୍କିଡେସନ ୧୯୯୪ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ସାମ୍ବାଦିକମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୩୭ ଜଣ ରାଜ୍ୟ ସ୍ତରୀୟ, ୪୪ ଜଣ ମୁକ୍ତ ବୃତ୍ତି ଓ ୨୫ ଜଣ ଜିଲ୍ଲା ସ୍ତରୀୟ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି। ବିଧାନସଭାରେ ବିଧାୟକ […]
ରାଜ୍ୟରେ ସାମ୍ବାଦିକଙ୍କ ସଂଖ୍ୟା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial