ବ୍ରିଟେନ୍‌ରେ ଭୟଙ୍କର ତୈଳ ସଙ୍କଟ: ଡ୍ରାଇଭରଙ୍କ ଘୋର ଅଭାବ

ବ୍ରିଟେନ୍‌ରେ ଭୟଙ୍କର ତୈଳ ସଙ୍କଟ

ସ୍ଥିତି ମୁକାବିଲା ଲାଗି ସେନା ମୂତୟନ, ଲୋକଙ୍କ ରାସ୍ତା ଅବରୋଧ, ୩୮ ଗିରଫ

ଲଣ୍ଡନ: ବ୍ରିଟେନ୍‌‌ରେ ତେଲକୁ ନେଇ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ସପ୍ତାହରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ସ୍ଥିତିରେ ବିଶେଷ ସୁଧାର ହେଉଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ବିଭ୍ରାଟ ସୃଷ୍ଟି କରୁଥିବା ୩୮ ଜଣ ଲୋକଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଛି। ବ୍ରିଟେନ୍‌ରେ ଥିବା ଅନେକ ପେଟ୍ରୋଲ୍ ପମ୍ପ୍ ଏବେବି ବନ୍ଦ ରହିଛି। ଯେଉଁ କେତୋଟି ପେଟ୍ରୋଲ୍‌ ପମ୍ପ୍ ଖୋଲୁଛି ସେଠାରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦେଶର ଡ୍ରାଇଭର୍‌ଙ୍କ ଘୋର ଅଭାବ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଟ୍ୟାଙ୍କର୍‌ଗୁଡ଼ିକ ଠିକ୍ ସମୟରେ ପେଟ୍ରୋଲ୍ ପମ୍ପ୍‌ରେ ପହଞ୍ଚିପାରୁନାହିଁ ବୋଲି ବୋରିସ୍ ଜନ୍‌ସନ୍‌ଙ୍କ ସରକାର କହିଛନ୍ତି। କେତେକ ପେ‌ଟ୍ରୋଲ୍‌ ପମ୍ପ୍‌ରେ ଡ୍ରାଇଭର୍‌ମାନେ ଗଣ୍ଡଗୋଳ କରୁଥିବା ବେଳେ ଆଉ କିଛି ସ୍ଥାନରେ ପୁରୁଣା ବୋତଲରେ ଲୋକମାନେ ତେଲ ମହଜୁଦ ରଖୁଥିବା ଖବର ମିଳିଛି। ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ରିଷି ‌ସୁନକ୍ କହିଛନ୍ତି ଯେ ପ୍ରତିକାର ପଦକ୍ଷେପ ସ୍ବରୂପ ଅତିରିକ୍ତ ଡ୍ରାଇଭରଙ୍କୁ ସାମିଲ କରାଯାଇଛି। ସ୍ଥିତିରେ ସୁଧାର ଆଣିବା ଲାଗି ସେନା ବାହିନୀର ଜବାନଙ୍କୁ ମୂତୟନ କରାଯାଇଛି।
ରଏଟର୍‌ରେ ପ୍ରକାଶିତ ଖବର ଅନୁଯାୟୀ ଏବେବି ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ ୨୪ରୁ ଅଧିକ ଗ୍ୟାସ୍‌ ଷ୍ଟେସନ ବନ୍ଦ ରହିଛି। ଏହି ଦୁଇ ସ୍ଥାନରେ ୨୨% ପେ‌ଟ୍ରୋଲ୍ ପମ୍ପ୍‌ରେ ତେଲ ନାହିଁ ବୋଲି ପେଟ୍ରୋଲ୍ ରିଟେଲର୍‌ ସଂଘ ପକ୍ଷରୁ କୁହାଯାଇଛି। ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ୧୦ ଦିନ ସମୟ ଲାଗିବ ବୋଲି ସଂଘର ଇଡି ଗର୍ଡନ୍ ବାଲ୍‌ମର୍‌ କହିଛନ୍ତି। ତୈଳ ସଙ୍କଟ ଲାଗି ରହିଥିବାରୁ ବ୍ରିଟେନ୍‌ର ଘୁଷୁରି ଚାଷୀମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କଂସେଇ ଓ କଂସେଇଖାନାର ଅଭାବ ଥିବାରୁ ଫାର୍ମଗୁଡ଼ିକରେ ଥିବା ୧୦ ହଜାର ଘୁଷୁରିଙ୍କୁ ହତ୍ୟା କରିବାକୁ ସେମାନେ ଧମକ ଦେଇଛନ୍ତି। ବ୍ରିଟେନ୍‌ର ସ୍ଥିତି ଆହୁରି ଗମ୍ଭୀର କରିଛି ଜନ ଅସନ୍ତୋଷ। ସୋମବାର ପରିବେଶ କର୍ମୀମାନେ ଲଣ୍ଡନର ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରିଥିଲେ। ବହୁ ସଂଖ୍ୟକ ପରିବେଶ କର୍ମୀ ଏଥିରେ ଅଂଶଗ୍ରହଣ କରି ସରକାରୀ ବିରୋଧୀ ନାରା ଦେଇଥିଲେ।

Share Now:

Kalinga News Beuro

Next Post

ବିଏମ୍‌ସିକୁ ଘାରିଲାଣି ସଂକ୍ରମଣ ଭୟ : ଏବେ ସାମାଜିକ ଉତ୍ସବରେ କେବଳ ୫୦ ଲୋକ

Tue Oct 5 , 2021
ଭୁବନେଶ୍ୱର : ବିଏମ୍‌ସିକୁ ପୁଣି କରୋନା ସଂକ୍ରମଣ ଭୟ ଘାରିଲାଣି। ଆଗକୁ ଶୀତ ଦିନ ଆସୁଥିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏଣୁ ଶୀତ ଋତୁରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମାତ୍ର ୫୦ଜଣ ଲୋକ ଭାଗନେବାକୁ ଅନୁମତି ଦିଆଯିବାକୁ ଘୋଷଣା କରିଛି ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧକ୍ରିୟା ପ୍ରଭୃତି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ବୋଲି ଆଜି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶାବଳି (ଏସ୍‌ଓପି) […]
ବିଏମ୍‌ସିକୁ ଘାରିଲାଣି ସଂକ୍ରମଣ ଭୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial