ବିଏମ୍‌ସିକୁ ଘାରିଲାଣି ସଂକ୍ରମଣ ଭୟ : ଏବେ ସାମାଜିକ ଉତ୍ସବରେ କେବଳ ୫୦ ଲୋକ

ବିଏମ୍‌ସିକୁ ଘାରିଲାଣି ସଂକ୍ରମଣ ଭୟ

ଭୁବନେଶ୍ୱର : ବିଏମ୍‌ସିକୁ ପୁଣି କରୋନା ସଂକ୍ରମଣ ଭୟ ଘାରିଲାଣି। ଆଗକୁ ଶୀତ ଦିନ ଆସୁଥିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏଣୁ ଶୀତ ଋତୁରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମାତ୍ର ୫୦ଜଣ ଲୋକ ଭାଗନେବାକୁ ଅନୁମତି ଦିଆଯିବାକୁ ଘୋଷଣା କରିଛି ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧକ୍ରିୟା ପ୍ରଭୃତି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ବୋଲି ଆଜି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶାବଳି (ଏସ୍‌ଓପି) ଜାରି ହୋଇଛି। କୌଣସି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକଙ୍କ ସମାଗମ ପରିଲକ୍ଷିତ ହେଲେ, ଆୟୋଜକଙ୍କ ଉପରେ ମହାମାରୀ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଓପିରେ ସ୍ପଷ୍ଟ କରାଯାଇଛି।
ଏସ୍‌ଓପି ମୁତାବକ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏଭଳି ଉତ୍ସବ ଆୟୋଜନ କରିବାକୁ ହେ‌ଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ସ୍ବୀକୃତି ନେବାକୁ ପଡ଼ିବ। ସ୍ବୀକୃତି ନେବା ସମୟରେ ଉତ୍ସବରେ ୫୦ ଲୋକ ଯୋଗ ଦେବେ ବୋଲି ସ୍ପଷ୍ଟ କରିବାକୁ ହେବ। ଉତ୍ସବ ହେଉଥିବା ଜାଗାର ୫୦ପ୍ରତିଶତ ବ୍ୟବହାର ହେବ, ବାକି ୫୦ପ୍ରତିଶତ ଚଳପ୍ରଚଳ ପାଇଁ ଫାଙ୍କା ରହିବ। ପ୍ରତ୍ୟେକଙ୍କ ଭିତରେ ଯେଭଳି ୬ଫୁଟ୍‌ର ବ୍ୟବଧାନ ରହିବ, ସେ ନେଇ ଆୟୋଜକ ନିଶ୍ଚିତ କରିବେ। ବୟସ୍କ, ଗର୍ଭବତୀ, ଶିଶୁ ତଥା ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏଭଳି ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ଉତ୍ସବର କୌଣସି ସ୍ଥାନରେ ପାନଛେପ ପକାଇବେ ନାହିଁ। କେବଳ ଖାଇବା ସମୟ ଛଡ଼ା ଅତିଥିମାନେ ସବୁବେଳେ ମାସ୍କ ପିନ୍ଧିବେ। ଆୟୋଜକ ପ୍ରବେଶ ସ୍ଥାନରେ ଯଥେଷ୍ଟ ପରିମାଣରେ ସାନିଟାଇଜର୍‌ ଓ ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା କରିବେ। ଏହି ସବୁ ଉତ୍ସବସ୍ଥଳକୁ ନିୟମିତ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଏନ୍‌‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ପରିଦର୍ଶନ କରିବେ। ଚଢ଼ଉ ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେବା ନଜରକୁ ଆସିଲେ, ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Wed Oct 6 , 2021
ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬ଜଣ ଥିବା […]
ଭୁବନେଶ୍ବରରୁ ୧୧୧ଜଣ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial