ଫୁଟପାଥ୍‌ରୁ ଉଚ୍ଛେଦ ଭେଳିକି

ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ଚାନ୍ଦା ନେଇ ପଙ୍ଗୁ

ଭୁବନେଶ୍ୱର: ରାଜଧାନୀର ସମସ୍ତ ଫୁଟପାଥ୍‌ କେବଳ ପଥଚାରୀ ଏବଂ ସାଇକେଲ୍‌ ଚାଳକଙ୍କ ପାଇଁ ସଂରକ୍ଷିତ ରହିବ। କୌଣସି ପରିସ୍ଥିତିରେ ବି ଫୁଟପାଥ୍‌ ଉପରେ ଜବରଦଖଲକୁ ସହ୍ୟ କରାଯିବନି। ଏହା କେବଳ ବିଡିଏ/ବିଏମ୍‌ସି କାର୍ଯ୍ୟାଳୟରେ ବସି ନିଆଯାଇଥିବା ନିଷ୍ପତ୍ତି। ଏହା କେତେଦୂର କାର୍ଯ୍ୟକାରୀ ହେଉଛି, କେଉଁ ଅଞ୍ଚଳରେ ଫୁଟପାଥ୍‌ ସ୍ଥିତି କିପରି ଅଛି ତାହା କାହାକୁ ଜଣାନାହିଁ। କେବଳ ସାବାସି ନେବା ପାଇଁ ଗୋଟିଏ ଯୋଜନା ଆରମ୍ଭ କରିଦେଉଛନ୍ତି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହାକୁ ତଦାରଖ କରିପାରୁନାହାନ୍ତି। ଯାହା ଏବେ ରାଜଧାନୀର ଯେ କୌଣସି ସ୍ଥାନର ଫୁଟ୍‌ପାଥ୍‌ ଉପରେ ଆଖି ବୁଲାଇ ଆଣିଲେ ଜଣାପଡ଼ୁଛି। ଜୟଦେବ ବିହାର ଛକ ଉପରେ ଥିବା ଫୁଟ୍‌ପାଥ୍‌ ଏବେ ଅଟୋ ଷ୍ଟାଣ୍ଡ୍‌ରେ ପରିଣତ ହୋଇଯାଇଛି। ରାସ୍ତାର ଗୋଟିଏ ପଟେ ଅଟୋ ଷ୍ଟାଣ୍ଡ୍‌ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଗ୍ୟାରେଜ୍‌ ଚାଲିଛି। ଫର୍ଚ୍ୟୁନ୍‌ ଟାଓ୍ଵାର ସାମ୍ନାରେ ପାନ ଦୋକାନ, ବାଇକ୍‌ ଷ୍ଟାଣ୍ଡ୍‌। ୟୁନିଟ-୧ ହାଟ ନିକଟରେ ଫଳ ଦୋକାନୀଙ୍କ କବ୍‌ଜାରେ ଅଧା ଫୁଟ୍‌ପାଥ୍‌ ଥିବାବେଳେ ଆଉ ଅଧାରେ ବାଇକ୍‌ ପାର୍କିଂ ହେଉଛି। ମେୟରଙ୍କ ଘର ସମ୍ମୁଖରେ ତ ଫୁଟ୍‌ପାଥ୍‌ ଅବସ୍ଥା ନକହିବା ଭଲ। ଏଠାରେ ଫୁଟପାଥ୍‌ ଓ ରାସ୍ତା ସବୁ ଜବରଦଖଲ। ୟୁନିଟ-୧ରେ ନର୍ସରି ଏବଂ ବେଡ୍‌ସିଟ୍‌ ବ୍ୟବସାୟୀଙ୍କ କବ୍‌ଜାରେ ଫୁଟପାଥ୍‌ ରହିଛି। କେତେକ ସ୍ଥାନରେ ଡ୍ରେନ୍‌ ସଫା କରି ମାଟି ଗଦାଇ ଦିଆଯାଇଛି। ଆଉ ଅଧିକାଂଶ ସ୍ଥାନରେ ଆଳୁ ଦମ୍‌ ଦହିବରା, ପରିବା ବ୍ୟବସାୟୀ, ଟିଫିନ୍‌ ଦୋକାନୀ ଫୁଟପାଥ୍‌କୁ ମାଡ଼ି ବସିଛନ୍ତି।
ଫୁଟପାଥ୍‌ ଯେପରି ଦଖଲ ନହେବ ସେଥିପାଇଁ ପ୍ରାୟ ବର୍ଷକ ତଳେ ବିଏମ୍‌ସି-ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଥିଲା। ଏହା ଯେପରି ପୁଣି ଜବରଦଖଲ ନହେବ ସେଥିପାଇଁ ନନ୍ଦନକାନନରୁ ବିମାନବନ୍ଦର ଛକ ଉପରେ ନଜର ରଖିବା ପାଇଁ ସ୍ପେସାଲ ଜଏଣ୍ଟ ସ୍କ୍ଵାଡ୍‌ ଗଠନ ହୋଇଥିବାବେଳେ ଶିଶୁ ଭବନରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଫୁଟପାଥ୍‌ ଉପରେ ନଜର ରଖିବା ପାଇଁ ସ୍ମାର୍ଟ ସିଟି ସ୍କ୍ଵାଡ୍‌ ଗଠନ ହୋଇଛି। କିନ୍ତୁ ଏହି ଦୁଇଟି ସ୍କ୍ଵାଡ୍‌ର ସଦସ୍ୟମାନେ ଉଠାଦୋକାନୀଙ୍କଠାରୁ ଚାନ୍ଦା ନେଇ ପଙ୍ଗୁ ପାଲଟି ଯାଇଥିବା ଅଭିଯୋଗ ହେଉଛି। ଏହି ଦୁଇଟି ସ୍କ୍ଵାଡ୍‌ ଅଫିସରୁ ଗାଡି ରିକ୍ୟୁଜିସନ୍‌ ଆଣି ଗୋଟିଏ ଛକରେ ବସି ଯାଉଛନ୍ତି ଆଉ କିଛି ଦିନ ବ୍ୟବଧାନରେ ରାଉଣ୍ଡ ମାରି ଚାନ୍ଦା ଆଦାୟ କରୁଥିବାରୁ ଜବରଦଖଲ ଉଚ୍ଛେଦ ହୋଇପାରୁନି ବୋଲି ଅଭିଯୋଗ ହେଉଛି।

Share Now:

Kalinga News Beuro

Leave a Reply

Next Post

ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ଫ୍ରାନ୍‌ସ: ବେଲ୍‌ଜିୟମ-୦,ଫ୍ରାନ୍‌ସ-୧

Wed Jul 11 , 2018
ସେଣ୍ଟ୍‌ ପିଟର୍ସବର୍ଗ: ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପ୍ରଥମେ ପାଦ ଥାପିଛି ୧୯୯୮ ବିଜେତା ଫ୍ରାନ୍‌ସ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଫରାସୀ ଦଳ ୧-୦ ଗୋଲ୍‌ରେ ନିଜ ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ବେଲ୍‌ଜିୟମ୍‌କୁ ପରାସ୍ତ କରି ଦ୍ୱିତୀୟ ଥର ବିଶ୍ୱ ମୁକୁଟ ଜିତିବାର ସୁଯୋଗ ସୃଷ୍ଟି କରିଛି। ପ୍ରଥମାର୍ଧ ଗୋଲଶୂନ୍ୟ ବିତିବା ପରେ ୫୧ତମ ମିନିଟ୍‌ରେ ତାରକା ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial