କାଶ୍ମୀର ହିଂସା ନେଇ ୫ ଘଣ୍ଟା ଆଲୋଚନା କଲେ ଗୃହମନ୍ତ୍ରୀ

କାଶ୍ମୀର ହିଂସାକୁ ଗମ୍ଭୀରତାର ସହ ‌ନେଲା କେନ୍ଦ୍ର

ଆତଙ୍କବାଦ ନିରୋଧୀ ବିଶେଷଜ୍ଞ ଶ୍ରୀନଗର ଗଲେ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ନିରୀହ ଲୋକ ଏବଂ ସଂଖ୍ୟାଲଘୁ ମାନଙ୍କୁ ହତ୍ୟା କରିବା ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ତୁରନ୍ତ ଏହି ଆତଙ୍କବାଦୀ କାର୍ଯ୍ୟକ୍ରମ ଉପରେ ଲଗାମ ଲଗାଇବା ପାଇଁ କାଶ୍ମୀରକୁ ଆତଙ୍କବାଦ ନିରୋଧୀ ବିଶେଷଜ୍ଞଙ୍କୁ ପଠାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଏହି ପ୍ରସଙ୍ଗରେ ପ୍ରାୟ ୫ ଘଣ୍ଟା ଧରି ବୈଠକ କରିଥିଲେ। ଏହାପରେ ତୁରନ୍ତ ଆତଙ୍କବାଦ ନିରୋଧୀ ବିଶେଷଜ୍ଞଙ୍କୁ କାଶ୍ମୀରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୋଷୀଙ୍କୁ ଧରିବା ପାଇଁ ଗୃହମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶାହଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବ୍ୟୁରୋ (ଆଇବି)ର ଆତଙ୍କବାଦ ନିରୋଧୀ ପରିଚାଳନା ମୁଖ୍ୟ ତପନ ଡେକା ବ୍ୟକ୍ତିଗତ ଭାବେ କାଶ୍ମୀର ଉପତ୍ୟକାକୁ ଯାଇଛନ୍ତି। ଏହାବ୍ୟତୀତ ଅନ୍ୟ ଜାତୀୟ ସୁରକ୍ଷା ଏଜେନ୍ସଗୁଡ଼ିକର ଆତଙ୍କବାଦ ନିରୋଧୀ ଦଳ ମଧ୍ୟ କାଶ୍ମୀରକୁ ଯାଇ ସ୍ଥାନୀୟ ପୁଲିସକୁ ସହାୟତା ପ୍ରଦାନ କରୁଛନ୍ତି। କାଶ୍ମୀରରେ ଏବେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଛି। ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଯାଉଛନ୍ତି। ଏଥିଯୋଗୁ ସେଠାରେ ହୋଟେଲ ଗୁଡ଼ିକରେ ଅକ୍ୟୁପାନ୍ସି ୧୦୦ ପ୍ରତିଶତ ରହିଛି। ଆଫଗାନିସ୍ତାନରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ସେମାନଙ୍କ ମିସନରେ ସଫଳ ହୋଇଛନ୍ତି। ଏଥିସହିତ ପାକିସ୍ତାନ ଆଇଏସଆଇ ମୁଖ୍ୟଭାବେ ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମଙ୍କୁ ନିଯୁକ୍ତି ଦେଇଛି। ଏସବୁରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଗୁଡ଼ିକ ଉତ୍ସାହିତ ହୋଇ ପଡ଼ି କାଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଚଳାଇଛନ୍ତି। କାଶ୍ମୀରକୁ ଯେଭଳି ସଂଖ୍ୟାଲଘୁମାନେ ଆସି ନପାରିବେ ତାହା ବର୍ତ୍ତମାନ ଏହି ବିଦେଶୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଲକ୍ଷ୍ୟ ପାଲଟି ଯାଇଛି। ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଯେଉଁ ହତ୍ୟା କରିଛନ୍ତି ସେଥିରେ ପିସ୍ତଲ ବ୍ୟବହାର ହୋଇଛି। ସେଗୁଡ଼ିକ ପାକିସ୍ତାନ ପଟୁ ଡ୍ରୋନ ମାଧ୍ୟମରେ ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଆଗାମୀ ଦିନରେ ଯଦି ଏହି ଆତଙ୍କବାଦୀମାନଙ୍କ ହାତରେ ଆମେରିକା ଆଫଗାନିସ୍ତାନରେ ଛାଡ଼ି ଯାଇଥିବା ସ୍ନିପର ରାଇଫଲ ପଡ଼େ ତା’ହେଲେ ସ୍ଥିତି ଅଧିକ ଖରାପ ହୋଇପାରେ। ବିଶେଷତଃ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଏବଂ ୩୫ଏ କୁ ପୁନର୍ବାର ଲାଗୁ କରିବା ସହିତ ରାଜ୍ୟ ମାନ୍ୟତା ଫେରାଇ ଦେବା ପାଇଁ ମୋଦୀ ସରକାର ଉପରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଚାପ ପକାଇପାରେ। କିନ୍ତୁ ମୋଦୀ ସରକାର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ଗୋଷ୍ଠୀଙ୍କ ନିକଟରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ବଦ୍ଧ ପରିକର ଅଛନ୍ତି। ଏଥିପାଇଁ ଦୋଷୀଙ୍କୁ ତୁରନ୍ତ ଧରିବା ସହିତ କାଶ୍ମୀରରେ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଗୃହମନ୍ତ୍ରୀ ସୁରକ୍ଷା ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Next Post

କ୍ଷମା ମାଗିଲେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌

Sat Oct 9 , 2021
ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦ୍ୱିତୀୟ ବାର ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ହେତୁ ଗତରାତିରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ କ୍ଷମାଯାଚନା କରିଛନ୍ତି। ରାତି ୧୨:୫୨ରେ ‘ଫେସ୍‌ବୁକ୍‌’ ଟୁଇଟ୍‌ କରି କହିଥିଲା, କେତେକ ବ୍ୟକ୍ତି ଆମର ‘ଆପ୍‌’ ଏବଂ ‘ପ୍ରଡକ୍ଟ୍‌’ଗୁଡ଼ିକୁ ‘ଆକ୍‌ସେସ୍‌’ କରିବାରେ ଅସୁବିଧାରେ ସମୁଖୀନ ହୋଇଥିବା କଥା ଜାଣିବାକୁ ପାଇଛୁ। ଯେତେ ଶୀଘ୍ର ସମ୍ଭବ ସେବା ଯୋଗାଣ ସ୍ୱାଭାବିକ କରିବା ଲାଗି ଆମେ କାମ ଚଳାଇଛୁ। ଅସୁବିଧା ପାଇଁ […]
କ୍ଷମା ମାଗିଲେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial