ଅନ୍ଧ ପ୍ରେମର କରୁଣ ପରିଣତି : ଜେଲରୁ ଫେରିବା ପରେ ଧରାଛୁଆଁ ଦେଉନି ପ୍ରେମିକ

ଅନ୍ଧ ପ୍ରେମର କରୁଣ ପରିଣତି

ସୁନ୍ଦରଗଡ଼: ମାତ୍ର ୧୩ ବର୍ଷ ବୟସରେ ସୁଷମାଙ୍କ ବିବାହ ହୋଇଥିଲା। କୋଳକୁ ଦୁଇଟି ଛୁଆ ମଧ୍ୟ ଆସିଲେ। ତଥାପି ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଗଲେ ସେ। ଆଉ ଏହି ପ୍ରେମ ତାଙ୍କ ସ୍ବାମୀଙ୍କ ଜୀବନ ନେଇଗଲା। ହତ୍ୟା ଅଭିଯୋଗରେ ଜେଲ୍ ଗଲେ ସୁଷମା। ହେଲେ ତାଙ୍କୁ ବିବାହ କରିବାର ଶପଥ ନେଇଥିବା ପ୍ରେମିକ ପ୍ରବର ସୁଷମା ଜେଲରୁ ଜାମିନରେ ଫେରିବା ପରେ ଆଉ ଧରାଛୁଆଁ ଦେଉ ନାହିଁ। ମିଛ ପ୍ରେମ ପାଇଁ ବହୁ ମୂଲ୍ୟ ଦେଇଥିବା ସୁଷମା ଏବେ ନା ଶ୍ବଶୁର ଘରେ ନା ବାପ ଘରେ କେଉଁଠି ବି ଜାଗା ନପାଇ ଦାଣ୍ଡକୁ ଚାଲି ଆସିଛନ୍ତି।
ତେବେ ପ୍ରତାରଣା ପରେ ସୁଷମା ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି, ତାହା ଯଦି ସତ ହୋଇଥାଏ, ତାହେଲେ ସାଂଘାତିକ ନିଶ୍ଚୟ। ଯୁବକଙ୍କ ପ୍ରେମରେ ଫସିଥିଲେ ବି ସେ ସ୍ବାମୀଙ୍କୁ ହତ୍ୟା କରି ନଥିବା ଓ ପ୍ରକୃତରେ ତାଙ୍କ ଅଜଣାତରେ ପ୍ରେମିକ ହିଁ ହତ୍ୟା କରି ତାଙ୍କୁ ଫସାଇ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ହତ୍ୟାର ଦୋଷ ସେ ମୁଣ୍ଡେଇ ଜେଲ୍ ଗଲେ, ତାଙ୍କୁ ଜାମିନରେ ଆଣି ବିବାହ କରିବ ବୋଲି ପ୍ରେମିକ ଭୁଲାଇ ଦେଇଥିବା କହିଛନ୍ତି ସୁଷମା। ଏ ଅଭିଯୋଗ ନେଇ ସେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ଅନ୍ଧ ପ୍ରେମର ଏ ଚାଞ୍ଚଲ୍ୟକର କାହାଣୀଟି ଆସିଛି ତଳସରା ଥାନା ବାଲିଶଙ୍କରାରୁ। ବାଲିଶଙ୍କରା ଭାଟିପଡ଼ାର ସୁଷମା କୁଜୁର ୨୦୦୪ରେ ଅଷ୍ଟମ ପଢ଼ୁଥିବା ବେଳେ ସେହି ଗାଁର ପ୍ରକାଶ କୁଜୁରଙ୍କୁ ବିବାହ କରିଥିଲେ। ପ୍ରକାଶ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ବହୁ ସମୟରେ ସେ ମୁମ୍ବାଇରେ ରହୁଥିଲେ ଓ କେବଳ ବିଭିନ୍ନ ପୂଜାପର୍ବରେ ଘରକୁ ଆସୁଥିଲେ। ପ୍ରକାଶଙ୍କ ଔରସରୁ ସୁଷମାଙ୍କ ଗର୍ଭରୁ ଦୁଇଟି ପୁଅ ଜନ୍ମ ହୋଇଥିଲେ। ତେବେ ସ୍ବାମୀ ନଥିବାରୁ ଘର ଚଳାଇବା ପାଇଁ ସୁଷମା ଠିକା ଓ ରାଜନୀତିରେ ମନ ଦେଇଥିଲେ। ପଞ୍ଚାୟତ ୱାର୍ଡସଭ୍ୟ ଭାବେ ନିର୍ବାଚିତା ହେବା ପରେ ୨୦୧୭ରେ ବାଲିଶଙ୍କରା ସରପଞ୍ଚ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ଏହା ପରେ ବ୍ଲକରେ ବିଆରଟି ଭାବେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ବିଦ୍ୟୁତ ବିଲ୍ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ପାଖ ଗାଁ ସଉନାମୁରାର ଜଣେ ଯୁବକ ତାଙ୍କୁ ପ୍ରେମ ଜାଲ ଫିଙ୍ଗିଥିଲା। ପ୍ରଥମେ ପ୍ରଥମେ ପରକୀୟା ପ୍ରେମକୁ ନାହିଁ ନାହିଁ କରୁଥିଲେ ମଧ୍ୟ ସ୍ବାମୀଙ୍କ ଅନୁପସ୍ଥିତିର ଉଦାସ ଥିବା ସୁଷମା ପରେ ଫସି ଯାଇଥିଲେ। ସ୍ବାମୀ, ସନ୍ତାନ ଥାଇ ବି ସେ ଯୁବକଙ୍କ ପ୍ରେମରେ ମତୁଆଲ୍ ହେଲେ। ବିଆରଟି ପାରିଶ୍ରମିକ ଓ ଠିକାରୁ ମିଳୁଥିବା ଅର୍ଥ ସେ ପ୍ରେମିକଙ୍କ ହାତରେ ଦେଉଥିଲେ। ପ୍ରେମ ଏତେ ବଢ଼ି ଯାଇଥିଲା ଯେ, ସୁଷମା ନିଜକୁ ତା ପାଖରେ ସମ୍ପୂର୍ଣ୍ଣ ସମର୍ପି ଦେଇଥିଲେ। ଏ କଥା କାନରୁ ଦୁଇ କାନ ହୋଇ ସ୍ବାମୀ ପ୍ରକାଶଙ୍କ କାନରେ ପଡ଼ିଥିଲା। ସେ ଦିନେ ଘରକୁ ଆସି ସୁଷମାଙ୍କୁ ନିର୍ଯାତନା ଦେବା ସହ ମାଡ଼ପିଟ କରି ଚାଲି ଯାଇଥିଲେ। ୫ ବର୍ଷ ଆଉ ଘରକୁ ଆସିଲେ ନାହିଁ।
୨୦୨୧ ଜାନୁଆରି ୩୧ରେ ସୁଷମାଙ୍କ ଶ୍ବଶୁରଙ୍କ ଦେହାନ୍ତ ହୋଇଗଲା। ଏହି ସମୟରେ ପ୍ରକାଶ ଘରକୁ ଆସିଥିଲେ। ଫେବ୍ରୁଆରି ୯ରେ ବାପାଙ୍କ ଶୁଦ୍ଧିକ୍ରିୟା ସରିଥିଲା। କିନ୍ତୁ ପ୍ରକାଶ ଟଙ୍କାଟେ ବି ଖର୍ଚ୍ଚ କରି ନଥିଲେ, ସବୁ ଖର୍ଚ୍ଚ ସୁଷମା ହିଁ ଉଠାଇଥିଲେ। ତା ପରଠୁ ପ୍ରକାଶ ୧୫ ଦିନ ଆଉ ଘରକୁ ଆସିଲେ ନାହିଁ। ଦିନେ ସୁଷମା ଘର ପାଖ ପିପଲ ଗଛ ମୂଳେ ଦୀପ ଜାଳି ପୂଜା କରୁଥିବା ବେଳେ ପ୍ରକାଶ ଆସି ତାଙ୍କୁ ଭୁଜାଲିରେ ହାଣି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁଷମା ବଳ ଲଗାଇ ତାଙ୍କୁ ଠେଲି ଦେଇ ପଳାଇ ଯାଇଥିଲେ। ଘଟଣା ଦିନ ଅର୍ଥାତ ମାର୍ଚ୍ଚ ୧୦ ତାରିଖ ରାତି ସୁଷମା ଓ ପ୍ରକାଶ ପାଇଁ କାଳ ଡାକିଥିଲା। ସେଦିନ ଟୁଙ୍ଗୁରିପଡ଼ାର ରାସ୍ତା ଠିକା କାମରେ ବ୍ୟସ୍ତ ଥିବା ସୁଷମାଙ୍କୁ ରାତି ହୋଇଯାଇଥିବାରୁ ଜଣେ ବାଇକରେ ଘରେ ଛାଡ଼ିଥିଲା। କିନ୍ତୁ ସ୍ବାମୀଙ୍କୁ କେହି ଜଣେ ସଉନାମୁରାର ପ୍ରେମିକ ସୁଷମାଙ୍କୁ ବାଇକରେ ଛାଡ଼ିଥିବା ସୂଚନା ଦେଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ପ୍ରକାଶ ସୁଷମାଙ୍କୁ ମାଡ଼ ମାରି ଘରେ ବନ୍ଦ କରି ଦେଇଥିଲେ। ଏପରିକି ସୁଷମାଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇଥିଲେ। ରାତି ୧୧ଟାରେ ସୁଷମା ପ୍ରାଣ ଭୟରେ ରୋଷେଇ ଘର କାନ୍ଥ ଭାଙ୍ଗି ପଳାଇ ଯାଇ ଘର ପାଖ ଏକ ଗଛ ମୂଳେ ବସିଥିଲେ। ଏହି ସମୟରେ ପ୍ରେମିକ ଖବର ପାଇ ସଉନାମୁରାରୁ ଆସି ଘରେ ପଶିଥିଲା।ସୁଷମା କ’ଣ ହେଲା, ପ୍ରେମିକ କାହିଁକି ପଶିଛି ବୋଲି ଦେଖିବାକୁ ଘର ପାଖକୁ ଆସିଲା ବେଳକୁ ସେ ଘରୁ ବାହାରି ଯାଇଥିଲା। ଗଲା ବେଳେ କହିଲା ସେ ପ୍ରକାଶକୁ ମାରି ଦେଇଛି। ସେ ଜେଲ୍ ଗଲେ, ଜାମିନରେ ଆସିବା ସମ୍ଭବ ନୁହେଁ। ତେଣୁ ତମେ ଯାଅ, ମୁଁ ଜାମିନରେ ଆଣି ବିବାହ କରିବି ବୋକଲି କୁଆଡ଼େ କହିବା ପରେ ଅନ୍ଧପ୍ରେମରେ ବୁଡ଼ିଥିବା ସୁଷମା ରାଜି ହୋଇ ରାତି ୩ଟାରେ ତଳସରା ଥାନାକୁ ଯାଇ ଆତ୍ମ ସପର୍ମଣ କରିଥିଲା। ତେବେ ସେ ସମୟରେ ସୁଷମାଙ୍କ ଦୁଇ ପୁଅ ମା’ ନୁହେଁ, ଅନ୍ୟ ଜଣେ ଯୁବକ ବାପାଙ୍କୁ ମାରିଥିବା ପୁଲିସ ଆଗରେ କହିଥିଲେ। କିନ୍ତୁ ସୁଷମା ନିଜେ ହତ୍ୟା କରିଥିବା ସ୍ବୀକାର କରିଥିବାରୁ ପୁଲିସ ଆଉ କାହା କଥା ଶୁଣି ନଥିଲା। ୫ ମାସ ଜେଲରେ ରହିବା ପରେ ଗତ ସେପ୍ଟେମ୍ବର ୨୪ରେ ସୁଷମା ଜାମିନରେ ବାହାରକୁ ଆସିଲେ। କିନ୍ତୁ ଏବେ ପ୍ରେମିକ ଆଉ ଧରାଛୁଆଁ ଦେଉ ନାହିଁ। ଯାହା ପାଇଁ ସ୍ବାମୀଙ୍କ ଜୀବନ ଗଲା, ସୁଷମାଙ୍କ ସଂସାର ଉଜୁଡ଼ିଲା। ସେ ଏପରି ଧୋକା ଦେଇଥିବାରୁ ସୁଷମା ଭାଙ୍ଗି ପଡ଼ିଛନ୍ତି। ଆଉ ନ୍ୟାୟ ପାଇଁ ପୁଲିସ ପାଖରେ ପହଞ୍ଚିଛନ୍ତି।

Share Now:

Kalinga News Beuro

Next Post

ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କୁ ଖେଳରତ୍ନ ପାଇଁ ସୁପାରିଶ

Thu Oct 28 , 2021
ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାକୁ ବୁଧବାର ମିଳିଛି ଏକାଥରକେ ତିନିଟି ବଡ଼ ଖୁସି ଖବର। ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣିଥିବା ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ ହୋଇଥିବା ୧୧ ଜଣ କ୍ରୀଡ଼ା ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିଭଳି ସମ୍ମାନଜନକ ଅର୍ଜୁନ ପୁରସ୍କାର ଚୂଡ଼ାନ୍ତ ତାଲିକାରେ ଟୋକିଓରେ […]
ପ୍ରମୋଦଙ୍କୁ ଖେଳରତ୍ନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial