ସମ୍ବଲପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି: ୧୫୫୩ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ

ନବୀନଙ୍କ ଦୀପାବଳି ଭେଟି

କୁଚିଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ। କୁଚିଣ୍ଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କାର୍ଡ଼ ଗ୍ରହଣ କରିଛନ୍ତି। ଏଥିସହିତ, ସମ୍ବଲପୁର ପାଇଁ ୧୫୫୩ କୋଟି ଟଙ୍କାର ୪୪୫ ପ୍ରକଳ୍ପର ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କୁଚିଣ୍ଡାର ମୁକୁନ୍ଦି ପଡ଼ିଆଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢ଼ି, ସମ୍ବଲପୁରୀ ଗୀତ ଓଡ଼ିଶାର ମହାନ ସଂସ୍କୃତିର ପରିଚୟ। ମାଁ ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମାଁଙ୍କ ପୀଠକୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଗରିବ ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଟଙ୍କାଟିଏ ବି ଖର୍ଚ୍ଚ ନକରି ଏହି କାର୍ଡ ଜରିଆରେ ଦେଶର ୨୦୦ଟି ହସ୍ପିଟାଲରୁ ଭଲ ଚିକିତ୍ସା ପାଇପାରିବେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଏଥିସହିତ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧୪୭ ‌କୋଟି ଟଙ୍କାର ପାଣ୍ଠି ଘୋଷଣା କରିଥିଲେ। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଜିଲ୍ଲାର ୧୫୫୩ କୋଟିରୁ ଅଧିକ ଟଙ୍କାର ୪୪୫ଟି ପ୍ରକଳ୍ପ ଭେଟି ଦେଇଛନ୍ତି। ଏହା ସମ୍ବଲପୁର ଜିଲ୍ଲା ପାଇଁ ଦୀପାବଳି ଭେଟି । ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା ବେଳେ ଅନ୍ୟ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ହୋଇଛି। ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଆସନ୍ତା ୨୦୨୨ରେ ସମ୍ବଲପୁରର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କ ଭକ୍ତ। ତେଣୁ, ନବୀନ ତାଙ୍କ ବାମ ହାତ ହଲେଇଦେଲେ ସବୁ ବନ୍ୟାବାତ୍ୟା ଚାଲିଯାଉଛି। ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ଓ ଚେତନାରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ କଥା ରହିଛି। ନବୀନଙ୍କ ଯୋଗୁ ଓଡ଼ିଶା ଏବେ ପ୍ରଗତି ପଥରେ ଆଗେଇ ଚାଲିଛି। ଓଡ଼ିଶାରେ ଯାହାର କେହି ନାହାନ୍ତି, ତାଙ୍କର ନବୀନ ପଟ୍ଟନାୟକ ଅଛନ୍ତି ବୋଲି କୁଚିଣ୍ଡା ବିଧାୟକ କିଶୋର ନାୟକ କହିଥିଲେ। ଆକାଶ ଦାସନାୟକ ଓ ଶ୍ରୀମୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Share Now:

Kalinga News Beuro

Next Post

ଅଯୋଧ୍ୟାରେ ଦୀପାବଳି : ଜଳିବ ୧୨ ଲକ୍ଷ ମାଟିଦୀପ

Wed Nov 3 , 2021
ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔପଚାରିକଭାବେ ‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦ୍‌ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ ‘ଅଯୋଧ୍ୟା ଭିଜନ୍‌ ଡକ୍ୟୁମେଣ୍ଟ୍‌’ ରିଲିଜ୍‌ କରିବେ। ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍‌ […]
ଅଯୋଧ୍ୟାରେ ଦୀପାବଳି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial