ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇଛି। ଆଜି ୪୦ କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି। ଏହାସହ ୧୧ ତାରିଖରୁ କୃଷକମାନଙ୍କୁ ସେମାନଙ୍କ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନ ବନ୍ଦ ପରେ ୧୫ ତାରିଖରେ କୃଷକନେତାମାନେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି ଆଇନକୁ ପ୍ରତ୍ୟାହାର, ଉତ୍ପାଦିତ ଖାଦ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା ଭଳି ଦାବି ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିଲେ। ଏହାରି ଭିତରେ ଗୋଟିଏ ବର୍ଷ ବିତିଯାଇଛି। କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି। ଏହାସହ ଅନ୍ୟ ଦାବିଗୁଡିକ ଖୁବଶୀଘ୍ର ପୂରଣ କରାଯିବା ନେଇ କେନ୍ଦ୍ର ସରକାର କୃଷକମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଜି ଆନ୍ଦୋଳନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି। ଅନ୍ୟପଟେ ଆଜି ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ କୃଷକନେତାମାନେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିବା ସହ ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା କମିଟିରେ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବା ଉପରେ ସହମତି ପ୍ରକାଶ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଅନ୍ୟପଟେ ବିଜୁଳି ବିଲ ଓ ଯୋଗାଣ ନେଇ କୃଷକମାନଙ୍କ ଥିବା ଦାବି ଉପରେ ସରକାର ସହମତି ପ୍ରକାଶ କରିଥିବା ସହ ଏନେଇ ସରକାର ପ୍ରଥମେ କିଷାନ ମୋର୍ଚ୍ଚାର ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କିଷାନ ମୋର୍ଚ୍ଚା ନେତା କହିଛନ୍ତି।
କୃଷକ ଆନ୍ଦୋଳନ ସମାପ୍ତି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା : ଘରକୁ ଫେରିବେ ଚାଷୀ

Share Now: