ଆଗେ ଜରିମାନା, ପରେ ପରିବେଶ ଅନୁମତି: ଖିଲାପୀ ଖଣି ଲିଜ୍‌ଧାରୀଙ୍କ ପାଇଁ କେନ୍ଦ୍ରର ୪ ସର୍ତ୍ତ, ପୁଣି ଜରିମାନା ଅସୁଲ ପାଇଁ ଓଡ଼ିଶାକୁ ସୁଯୋଗ

ରାଉରକେଲା : ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଙ୍ଘନ କରି ଖଣିଜ ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କୁ ଉତ୍ତୋଳିତ ଖଣିଜର ବଜାର ଦର ଅନୁଯାୟୀ ୧୦୦% ଜରିମାନା ପୈଠ କରିବାକୁ ପଡ଼ିବ। ୨୦୧୭ ଅଗଷ୍ଟ ୨ରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ଅନୁପାଳନ ନିମନ୍ତେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦୁଇ ଦିନ ପୂର୍ବେ ଏଭଳି ସସର୍ତ୍ତ କଟକଣା ଜାରି କରିଛନ୍ତି।
ନିର୍ଦ୍ଦେଶନାମାରେ ଥିବା ସର୍ତ୍ତ ଅନୁଯାୟୀ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌) ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଧାର୍ଯ୍ୟ ସୀମାଠାରୁ ଅଧିକ ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କୁ ଅତିରିକ୍ତ ଉତ୍ତୋଳିତ ଖଣିଜ ବାବଦରେ ଶତ ପ୍ରତିଶତ ଜରିମାନା ଦାଖଲ କରିବାକୁ ପଡ଼ିବ। ଏହା ପୈଠ ନହେବା ଯାଏ ସମ୍ପୃକ୍ତ ଖଣିକୁ ପରିବେଶ ଅନୁମତି ମିଳିବ ନାହିଁ। ଦ୍ୱିତୀୟରେ ଭବିଷ୍ୟତରେ ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଂଘନ ନକରିବାକୁ ଖିଲାପୀ ଲିଜ୍‌ଧାରୀଙ୍କୁ ସତ୍ୟପାଠ ଆକାରରେ ଚୁକ୍ତିନାମା ଦାଖଲ କରିବାକୁ ପଡ଼ିବ। ଭବିଷ୍ୟତରେ ଚୁକ୍ତି ଖିଲାପ ହେଲେ ଲିଜ୍‌ଧାରୀଙ୍କୁ ମିଳିଥିବା ପରିବେଶ ଅନୁମତି (ଇସି)କୁ ରଦ୍ଦ କରାଯିବ। ତୃତୀୟରେ ସୁପ୍ରିମ୍‌ କୋର୍ଟଙ୍କ ଉପରୋକ୍ତ ରାୟରେ ଥିବା ନିର୍ଦ୍ଦେଶ ଏବଂ ଅନ୍ୟାନ୍ୟ ବୈଧାନିକ ଆବଶ୍ୟକତା ପୂରଣ କରିବା ପରେ ଲିଜ୍‌ଧାରୀଙ୍କ ଇସିକୁ ନିୟମିତ କରାଯିବ। ଚତୁର୍ଥରେ ଜରିମାନା ପୈଠ ନହେବା ଯାଏ ଖିଲାପୀ ଖଣି ଯେପରି କାର୍ଯ୍ୟକ୍ଷମ ନହୁଏ-ରାଜ୍ୟ ସରକାର ତାହାକୁ ନିଶ୍ଚିତ କରାଇବେ।
ସୂଚନାଯୋଗ୍ୟ, ଖଣି ଦୁର୍ନୀତିର ତଦନ୍ତ କରିଥିବା ଜଷ୍ଟିସ୍‌ ଏମ୍‌.ବି.ଶାହାଙ୍କ ରିପୋର୍ଟ ଆଧାରରେ ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ ପକ୍ଷରୁ ଦାଏର ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ ୨୦୧୭ ଅଗଷ୍ଟ ୨ରେ ରାୟ ଶୁଣାଇଥିଲେ। ୨୦୦୦-୨୦୦୧ରୁ ୨୦୧୦-୧୧ ମଧ୍ୟରେ ବେଆଇନ ଖଣି କାର୍ଯ୍ୟକଳାପ ପାଇଁ ଖିଲାପୀ ଲିଜ୍‌ଧାରୀଙ୍କଠାରୁ ରାଜ୍ୟ ସରକାର ଶତ ପ୍ରତିଶତ ଜରିମାନା ଅସୁଲ କରିବାକୁ ରାୟରେ ନିର୍ଦ୍ଦେଶ ଥିଲା। ଏହି ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଖଣିରୁ ବେଆଇନ ଭାବେ ୨୧ କୋଟି ୧୫ ଲକ୍ଷ ଟନ୍‌ ଲୁହାପଥର ଓ ମାଙ୍ଗାନିଜ୍‌ ଉତ୍ତୋଳିତ ହୋଇଥିବା ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି (ସିଇସି) ଅନୁଧ୍ୟାନ ରିପୋର୍ଟ ଦାଖଲ କରିଥିଲେ। ତଦନୁଯାୟୀ ଓଡ଼ିଶା ସରକାର ୧୩୧ଟି ଖଣିର ଲିଜ୍‌ଧାରୀଙ୍କୁ ୧୭,୫୭୬ କୋଟି ଟଙ୍କା ଜରିମାନା ପୈଠ ଲାଗି ଦାବି ନୋଟିସ୍‌ ଦେଇଥିଲେ। ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଜରିମାନା ପୈଠ କରିବାକୁ ମିଆଦ ଧାର୍ଯ୍ୟ କରାଯାଇଥିଲା। ସେହି ସମୟ ମଧ୍ୟରେ ୩୦ଟି ବନ୍ଦ ଓ ୪୩ଟି କାର୍ଯ୍ୟକ୍ଷମ ଖଣିର ଲିଜ୍‌ଧାରୀମାନେ ପ୍ରାୟ ୧୦ ହଜାର କୋଟି ଟଙ୍କା ଜରିମାନା ପୈଠ କରିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନା ପୈଠ କରି ନଥିବା ଲିଜ୍‌ଧାରୀଙ୍କଠାରୁ ୧୨% ସୁଧ ସହ ଜରିମାନା ଅସୁଲ କରିବାକୁ ପୁନର୍ବାର ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତ ଜାନୁଆରି ଶେଷ ସୁଦ୍ଧା ଓଡ଼ିଶା ସରକାର ମୋଟ ୧୨ ହଜାର କୋଟି ଟଙ୍କା ଜରିମାନା ଅସୁଲ କରିଥିଲେ। ଜରିମାନା ପୈଠ ହୋଇନଥିବା ଖଣିଗୁଡ଼ିକ ସେବେଠାରୁ ବନ୍ଦ ରହିଛି।
ଏହା ପରେ ପରିବେଶ ଆଇନ ଉଲ୍ଲଙ୍ଘନ ପାଇଁ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜ୍‌ଧରୀଙ୍କୁ ପ୍ରାୟ ୮ ହଜାର କୋଟି ଟଙ୍କା ଏବଂ କୋଇଲା, କ୍ରୋମାଇଟ୍‌ ଓ ବକ୍ସାଇଟ୍‌ ଖଣି ଲିଜ୍‌ଧାରୀଙ୍କୁ ଆଉ ୨୫ ହଜାର କୋଟି ଟଙ୍କାର ଜରିମାନା ଅସୁଲ କରିବାକୁ କାରଣ ଦର୍ଶାଅ ନୋଟିସ୍‌ ଦେଇଥିଲେ। ଓଡ଼ିଶାରେ କାର୍ଯ୍ୟକ୍ଷମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ମହାନଦୀ କୋଲ୍‌ ଫିଲ୍ଡସ୍‌’ (ଏମ୍‌ସିଏଲ୍‌)ର ୨୪ଟି ଖିଲାପୀ ଖଣି ପାଇଁ ୨୦,୧୬୯ କୋଟି ଟଙ୍କା ଜରିମାନା କାହିଁକି ଅସୁଲ କରାନଯିବ ବୋଲି ନୋଟିସ୍‌ରେ କୈଫିୟତ ତଲବ କରାଯାଇଥିଲା। ଅନୁରୂପ ଭାବେ ଯାଜପୁର ଜିଲ୍ଲା ସୁକିନ୍ଦା ଓ କେନ୍ଦୁଝର ଜିଲ୍ଲା ବାଙ୍ଗୁର ଏବଂ ନୂଆସିହି କ୍ରୋମାଇଟ୍‌ ଖଣିର ଲିଜ୍‌ଧାରୀ ଟାଟା ଷ୍ଟିଲ୍‌, ଜିନ୍ଦଲ ଷ୍ଟିଲ୍‌ ଓ୍ଵାର୍କ୍ସ, ଇମ୍ଫା, ଫାକର୍‌, ବାଲେଶ୍ୱର ଆଲଏଜ୍‌ ଆଦି ଲିଜ୍‌ଧାରୀଙ୍କୁ ଜଙ୍ଗଲ ଓ ପରିବେଶ ଆିନ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରାୟ ୫୦୫୦ କୋଟି ଟଙ୍କା ଜରିମାନା ଅସୁଲ ପାଇଁ ନୋଟିସ୍‌ ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜରିମାନା ନୋଟିସ୍‌ ପାଇଥିବା ଏମ୍‌ସିଏଲ୍‌ ସମେତ ଆଉ କେତେକ ସଂସ୍ଥା କୋର୍ଟକୁ ଯାଇଥିବା ବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ସଦ୍ୟ ନିର୍ଦ୍ଦେଶନାମା ସେମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

Share Now:

Kalinga News Beuro

Leave a Reply

Next Post

ଦେଶରେ ଦୁଇ ପ୍ରଜାତିର ବେଙ୍ଗର ସନ୍ଧାନ : ନାମ ରଖାଗଲା ‘କଳିଙ୍ଗ’ ଓ ‘କ୍ରିଷ୍ଣନ୍‌’

Wed Jun 6 , 2018
ଭୁବନେଶ୍ୱର : ଓଡ଼ିଶା ସମେତ ଦେଶର ଯୁବ ଗବେଷକଙ୍କୁ ମିଳିଛି ଆଉ ଏକ ସଫଳତା। ଭାରତୀୟ ଉପଦ୍ୱୀପରୁ ଦୁଇ ପ୍ରଜାତିର ବେଙ୍ଗର ସନ୍ଧାନ କରିଛନ୍ତି। ଭାରତର ପୂର୍ବଘାଟ ଓ ପଶ୍ଚିମ ଭାରତର ପଶ୍ଚିମଘାଟରୁ ଗୋଟିଏ ଲେଖାଏଁ ପ୍ରଜାତିର ବେଙ୍ଗ ରହିଥିବା ଜଣାପଡ଼ିଛି। ଭାରତୀୟ ବନ୍ୟପ୍ରାଣୀ ସର୍ବେକ୍ଷଣ ସଂସ୍ଥା, ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଗବେଷକଙ୍କ ମିଳିତ ଉଦ୍ୟମରେ ଏହି ବେଙ୍ଗଗୁଡ଼ିକର ସନ୍ଧାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial