କ୍ୟାପିଟାଲ ହସ୍ପିଟାଲରୁ ଦଲାଲ୍ ଗିରଫ : ପ୍ରସୂତି ପିଛା ନେଉଥିଲା ୨ ହଜାର, ପ୍ରଶାସନିକ କାମରେ ହସ୍ତକ୍ଷେପ କରୁଥିଲା

କ୍ୟାପିଟାଲ ହସ୍ପିଟାଲରୁ ଦଲାଲ୍ ଗିରଫ

ଭୁବନେଶ୍ୱର: ନା ସେ କର୍ମଚାରୀ, ନା ଅଧିକାରୀ। କିନ୍ତୁ ମାସ ମାସ ଧରି କ୍ୟାପିଟାଲ ହସ୍ପିଟାଲର ପ୍ରସୂତି ବିଭାଗରେ ଜମାଇଥିଲା ଆଡ଼ା। ଚିକିତ୍ସା ସୁବିଧା ଯୋଗାଇ ଦେବ କହି ପ୍ରସୂତିଙ୍କ ସମ୍ପର୍କୀୟମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ଖାଲି ସେତିକି ନୁହେଁ, ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲା। ଡାକ୍ତର ହୁଅନ୍ତୁ କି କର୍ମଚାରୀ, ଯିଏ ବିରୋଧ କରୁଥିଲା ତାଙ୍କୁ ନାଲି ଆଖି ଦେଖାଉଥିଲା। ଗତ ୨ ତାରିଖରେ ୨ ହଜାର ଟଙ୍କା ନେଇ ଧରାପଡ଼ିଥିଲେ ମଧ୍ୟ ଆପୋସ ସମାଧାନ ପରେ ଛାଡ଼ି ଦେଇଥିଲା ପୁଲିସ। ତନାଘନା ହେବା ପରେ ଶେଷରେ ଦଲାଲକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ସେ ହେଲା, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ସୁମନ୍ତ ସ୍ବାଇଁ। ତା’ ନିକଟରୁ ମୋବାଇଲ ଫୋନ୍ ଜବତ କରାଯାଇଥିବା ବେଳେ କୋର୍ଟଚାଲାଣ କରାଯାଇଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ କ୍ୟାପିଟାଲ ହସ୍ପିଟାଲର ପ୍ରସୂତି ବିଭାଗକୁ ଜଣେ ଗର୍ଭବତୀ ମହିଳା ଆସିଥିଲେ। ତାଙ୍କର ଶୀଘ୍ର ପ୍ରସବ କରାଇ ଦେବାକୁ କହି ଫୋନ୍ ପେ’ରେ ୨ ହଜାର ଟଙ୍କା ନେଇଯାଇଥିଲା ସୁମନ୍ତ। ଏହାକୁ ନେଇ ପ୍ରସୂତିଙ୍କ ସମ୍ପର୍କୀୟମାନେ ତା’ର ଭିଡିଓ ରେକର୍ଡିଂ କରିଥିଲେ। ସେ ଉତ୍‌କ୍ଷିପ୍ତ ହେବା ସହ ନିଜକୁ ହାଇକୋର୍ଟ ଓକିଲ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କୀୟ କହି ପାଟିତୁଣ୍ଡ କରିଥିଲା। ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ସୁକାନ୍ତକୁ ଧରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟକୁ ଆଣିଥିଲେ। ଏହା ପରେ ପୁଲିସକୁ ଡକାଇ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସୁକାନ୍ତ କୌଶଳକ୍ରମେ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟଙ୍କୁ ୨ହଜାର ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ଫେରାଇ ଦେଇଥିଲା। ପୁଲିସ ହେପାଜତରୁ ଖସି ପଳାଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରସୂତି ବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଏ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ପରେ ଶୁକ୍ରବାର ଦିନ ଅଭିଯୁକ୍ତ ସୁମନ୍ତକୁ ଗିରଫ କରିଥିଲା। ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏକାଧିକ ଦଲାଲ୍ କ୍ୟାପିଟାଲ ହସ୍ପିଟାଲରୁ ଧରାପଡ଼ିଛନ୍ତି। ଗତବର୍ଷ ଫେବ୍ରୁଆରିରେ ଜଣେ ଦଲାଲ୍ କ୍ୟାପିଟାଲ ହସ୍ପିଟାଲ ଓଟି ଭିତରେ ପଶି ଡାକ୍ତରଙ୍କୁ ଧମକାଇଥିଲା। ହସ୍ପିଟାଲ କ୍ୟାମ୍ପସକୁ ଦଲାଲମୁକ୍ତ କରାଯିବ ବୋଲି କର୍ତ୍ତୃପକ୍ଷ ବାରମ୍ବାର କହୁଥିବା ବେଳେ ଏବେ ମଧ୍ୟ ସକ୍ରିୟ ରହିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଦେଶର କନିଷ୍ଠ ମେୟରଙ୍କୁ ବିବାହ କରିବେ କନିଷ୍ଠ ବିଧାୟକ

Sun Mar 6 , 2022
ତିରୁବନନ୍ତପୁରମ: ଭାରତର କନିଷ୍ଠ ମେୟରଙ୍କୁ ବିବାହ କରିବେ ଦେଶର କନିଷ୍ଠ ବିଧାୟକ। କେରଳରେ ଏହା ବାସ୍ତବତାର ରୂପ ନେବାକୁ ଯାଉଛି। ତିରୁବନନ୍ତପୁରମ୍ ମେୟର ଆର୍ଯ୍ୟ ରାଜେନ୍ଦ୍ରନ୍ ଆଜି ବାଲୁସେରୀ ବିଧାୟକ ସଚିନ ଦେବଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି। ଆଜି ଏକ ବର୍ଣ୍ଣାଢ୍ୟ ସମାରୋହରେ ମେୟର ଓ ବିଧାୟକଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଛି। ଏହି ସମାରୋହରେ ପରିବାର ସଦସ୍ୟ ଏବଂ ଦଳର ନେତାମାନେ ଯୋଗ ଦେଇଥିଲେ। ସୂଚନା ମୁତାବକ […]
ଦେଶର କନିଷ୍ଠ ମେୟରଙ୍କୁ ବିବାହ କରିବେ କନିଷ୍ଠ ବିଧାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial