ବିଷ ବଳୟରେ ରାଜଧାନୀ : କୋଲ୍‌ଡ ଡ୍ରିଙ୍କ୍‌ସ ବି ନକଲି

ବିଷ ବଳୟରେ ରାଜଧାନୀ-3

ବ୍ରାଣ୍ଡେଡ୍‌ କମ୍ପାନିର ନାଁ ବଦଳାଇ ବିକୁଥିଲେ,ମାଲିକ ଅଟକ-କାରଖାନା ‘ଡିଫେନ୍ସ’ ସିଲ୍

ଭୁବନେଶ୍ୱର : ଅବିକଳ ବ୍ରାଣ୍ଡେଡ୍‌ କମ୍ପାନିର ଥଣ୍ଡା ପାନୀୟ ବୋତଲ ପରି ଦିଶୁଛି। ଏକା ପ୍ରକାରର ଡିଜାଇନ୍‌, ଖାଲି ନାଁ ସାମାନ୍ୟ ବଦଳାଇ ଦିଆଯାଇଛି। ଟିକିଏ ନିରେଖି ନ ଦେଖିଲେ ଯେ କେହି ଠକାମିର ଶିକାର ହୋଇଯିବ, ବ୍ରାଣ୍ଡେଡ୍‌ କମ୍ପାନିର କୋଲ୍‌ଡ ଡ୍ରିଙ୍କ୍‌ସ ଭାବି ପିଇଯିବ। ହେଲେ ଭିତରେ କିନ୍ତୁ ବିଷ। ନିୟମିତ ପିଇଲେ ହେବ ଅ‌‌ଲସର୍ ଓ କ୍ୟାନ୍‌ସର ଭଳି ଦୁରାରୋଗ୍ୟ ବ୍ୟାଧି। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ବେଆଇନ ଭାବରେ ଏଭଳି ନକଲି ଥଣ୍ଡା ପାନୀୟ ପ୍ରସ୍ତୁତ କରୁଥିବା ଏକ କାରଖାନା ‘ଡିଫେନ୍ସ’ ଠାବ ହେବା ପରେ ଏହାକୁ ଆଜି ସିଲ୍‌ କରିଛି କମିସନରେଟ୍‌ ପୁଲିସ। ଏହି ନକଲି ସଂସ୍ଥାକୁ ସ୍ପେସାଲ ସ୍କ୍ୱାର୍ଡ‌ ଚଢ଼ଉ କରି ବିପୁଳ ପରିମାଣର ନକଲି ଥଣ୍ଡା ପାନୀୟ ସମେତ ମେସିନ୍‌ ଓ କଞ୍ଚାମାଲ୍‌ ଜବତ କରିଛି।

ଜବତ ସାମଗ୍ରୀ ଓ ମେସିନ୍‌ର ମୂଲ୍ୟ ୫ ଲକ୍ଷ ଟଙ୍କା‌ରୁ ବେଶି ହେବ। ଏହା ସହିତ ସଂସ୍ଥାର ମାଲିକ ସମେଇଗାଡ଼ିଆର ଶ୍ରୀପତି ବେହେରାଙ୍କୁ ମଞ୍ଚେଶ୍ବର ଥାନା ପୁଲିସକୁ ହସ୍ତାନ୍ତର କରିଛି ସ୍ପେସାଲ୍ ସ୍କ୍ୱାର୍ଡ‌। ସେ ଦୁଇବର୍ଷ ଏହି ବେପାର କରୁଥିବା ଏସ୍‌ଆଇ ଷ୍ଟାଲିନ ବିଶ୍ବାଳ ସୂଚନା ଦେଇଛନ୍ତି। ଏହି କାରଖାନାରେ କେବଳ ଥଣ୍ଡା ପାନୀୟ ନୁହେଁ, ନକଲି ଗ୍ଲୁକୋଜ୍‌ ଓ ସୋଡ଼ା ମଧ୍ୟ ତିଆରି ହେଉଥିଲା। ଏ ସବୁ ରାଜ୍ୟର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଯୋଗାଣ ହେଉଥିଲା। ବି‌ଶେଷକରି ଗ୍ରାମାଞ୍ଚଳରେ ଥିବା ଦୋକାନଗୁଡ଼ିକୁ ଟାର୍ଗେଟ୍‌ କରାଯାଉଥିଲା। କମ୍‌ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କଠାରୁ ବ୍ରାଣ୍ଡେଡ୍‌ ଥଣ୍ଡା ପାନୀୟର ଦର କଷା ଯାଉଥିଲା। ଗ୍ରାହକ ଭରସା କରି ବିଷ ପିଉଥିଲେ। ଏ ନେଇ ଖବର ପାଇବା ପରେ ସ୍ପେସାଲ ସ୍କ୍ୱାର୍ଡ‌ ଏସିପି ସଞ୍ଜୀବ ଶତପଥୀ ସଦଳବଳ ଚଢ଼ଉ କରିଥିଲେ। ବିଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କ ସହଯୋଗରେ ଏହି ପାନୀୟର ମାନ ଯାଞ୍ଚ କରାଯାଇଥିଲା। ପାନୀୟଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଥିଲା ବୋଲି ଜଣା ପଡ଼ିଥିଲା।

ଏଭଳି ପାନୀୟ ପ୍ରସ୍ତୁତି ପାଇଁ କୌଣସି ସରକାରୀ ସ୍ବୀକୃତି ବି ନଥିଲା। ଏଣୁ କାରଖାନାକୁ ସିଲ୍‌ କରାଯାଇଛି ଏବଂ ଜବତ ପାନୀୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବରେଟାରି ପଠାଯାଇଛି। ଏହି ଚଢ଼ଉ ଖବର ଶୁଣି ବିଭିନ୍ନ ଗ୍ରମାଞ୍ଚଳରେ ନେଇ ବେପାର କରୁଥିବା ପେବାରୀ ଭୟରେ ନକଲି ପାନୀୟକୁ ଲୁଚାଇ ଦେଇଥିବା ଖବର ମିଳିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ଯେଉଁ ନକଲି କାରଖାନା ଚାଲିଥିଲା; ଏଥିରେ ଥମ୍‌ସ ଅପ୍‌ ବ୍ରାଣ୍ଡ ଭଳି ଅବିକଳ ଦିଶୁଥିବା ‘ଦମ୍‌ସ ଅନ୍‌’, ସ୍ପ୍ରାଇଟ୍‌ ଭଳି ଦିଶୁଥିବା ‘ସ୍ପ୍ରାଇଡ୍‌’, ଲିଚି, ଅରେଞ୍ଜ, ଗ୍ଲୁକୋଜ୍‌, ସୋଡ଼ା ପ୍ରଭୃତି ତିଆରି ହେଉଥିଲା। ୨ଶହ ମିଲିଗ୍ରାମ୍‌ ଠାରୁ ଆରମ୍ଭ କରି ୨ ଲିଟର ପର୍ଯ୍ୟନ୍ତ ପରିମାଣର ବୋତଲ ରହିଥିଲା। ଏସବୁ ପ୍ରସ୍ତୁତ କରିବା ପାଇଁ କଞ୍ଚାମାଲ୍‌ ଭାବେ ସୋଡ଼ା, ଗ୍ୟାସ୍‌, କୋଲ୍ଡ ଡ୍ରିଙ୍କ୍‌ସ୍‌ ଭଳି ବାସ୍ନା ହେବା ପାଇଁ ଏସେନ୍ସ ସହ ବିଭିନ୍ନ ମାପର ପ୍ଲାଷ୍ଟିକ୍‌ ବୋତଲ, ଲେବେଲ୍ ଆଦି ବିପୁଳ ପରିମାଣରେ ଗଚ୍ଛିତ ରଖାଯାଇଥିଲା। ଗତକାଲି ଜବତ ହୋଇଥିବା କୋଲ୍ଡଡ୍ରିଙ୍କ୍‌ସର ପରିମାଣ ଶହେ ଲିଟର ହେବ। ପୂର୍ବରୁ ଏହି ଅଞ୍ଚଳରରେ ଏକ ନକଲି ଖାଇବା ତେଲ କାରଖାନା ଠାବ ହୋଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ମଧ୍ୟ ଏକ ନକଲି ତେଲ କାରଖାନା ସିଲ୍‌ ହୋଇଥିଲା। ଏୟାରଫିଲ୍ଡ ଅଞ୍ଚଳରେ ମଧ୍ୟ ନକଲି ଘିଅ କାରଖାନା ଠାବ ହୋଇଥିଲା।

Share Now:

Kalinga News Beuro

Next Post

ଟେନିସ କ୍ରିକେଟ ଆସୋସିଏସନ ଓଡିଶା ପକ୍ଷରୁ ପ୍ରେସ ଇସ୍ତାହାର

Wed Feb 3 , 2021
ଭୁବନେଶ୍ୱର : ଚଣ୍ଡୀଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର ଟେନିସ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ପକ୍ଷରୁ ଅଭିଜ୍ଞ ଯୁବଗୋଷ୍ଠୀଙ୍କୁ ସାମିଲ କରାଇବା ନେଇ ଟେନିସ କ୍ରିକେଟ ଆସୋସିଏସନ ଓଡ଼ିଶାର ସଭାପତି ବିଜୟକେତନ ମିଶ୍ର ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି। ଓଡ଼ିଶାରୁ ଦକ୍ଷ ଓ ଅଭିଜ୍ଞ ଖେଳାଳିଙ୍କୁ ଚୟନ କରିବା ଲକ୍ଷ ନେଇ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ କରାଯିବ। ଭୁବନେଶ୍ୱର ପୋଖରୀପୁଟ ବିହାରୀଲାଲ ଷ୍ଟାଡିଅମ ଠାରେ ଆସନ୍ତା ଫେବୃଆରୀ […]
ଟେନିସ କ୍ରିକେଟ ଆସୋସିଏସନ ଓଡିଶା

ଆହୁରି ପଢ଼ନ୍ତୁ