ଚାକିରି ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଏଜି ଅଫିସ ଅଡିଟର୍‌ଙ୍କୁ ୧୦ ବର୍ଷ ଜେଲ୍‌

ଚାକିରି ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର : ଚାକିରି ପ୍ରଲୋଭନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୪ ମିନାକ୍ଷୀ ଦାସ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଏଜି ଅଫିସର ବରିଷ୍ଠ ଅଡିଟର ସୌମେନ୍ଦ୍ର ନାରାୟଣ ଦାସ ଓରଫ୍ ଟୁଟୁଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୩୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଘଟଣାଟି ଥିଲା ଏମିତି। ଅଭିଯୋଗକାରୀ ଯୁବତୀ ଚାକିରି ଖୋଜିବା ପାଇଁ ୨୦୧୪ ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ବର ଆସିଥିଲେ। ୟୁନିଟ୍-୯ ଅଞ୍ଚଳର ଏକ ହଷ୍ଟେଲରେ ରହିଥିଲେ। ଅଭିଯୁକ୍ତ ସୌମେନ୍ଦ୍ର ନାରାୟଣ ଦାସ ଚାକିରି କରାଇ ଦେବାକୁ କହି ରାମ ମନ୍ଦିର ନିକଟରେ ଥିବା ଏକ ଅଫିସକୁ ପଠାଇଥିଲା। ପୀଡ଼ିତା ୫ ତାରିଖରେ ସେଠାକୁ ଯାଇଥିଲେ। ସେ ଯୁକ୍ତ ୨ ପାସ୍ କରିଥିବା ବେଳେ ଏହି ଚାକିରି ଯୁକ୍ତ ୩ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜାଣିବା ପରେ ଫେରି ଆସିଥିଲେ। ଏ ସମ୍ପର୍କରେ ସୌମେନ୍ଦ୍ରକୁ ଜଣାଇଥିଲେ। ଏହାର ପରଦିନ ଅର୍ଥାତ୍ ୬ ତାରିଖରେ ଯୁବତୀଙ୍କୁ ଭେଟିବା ପାଇଁ ସେ କହିଥିଲା। ଯୁବତୀ ଦେଖା କରିବା ପରେ ତାଙ୍କୁ ନେଇ ୟୁନିଟ୍-୪ସ୍ଥିତ ପୁରୁଣା ଏଜି କଲୋନିରେ ଥିବା କ୍ବାର୍ଟର୍ସକୁ ନେଇ ଯାଇଥିଲା। ସେଠାରେ ଦୁଷ୍କର୍ମ କରିଥିଲା। ଯୁବତୀ ଯେପରି ଖସି ନ ପ​ଳାନ୍ତି, ସେଥିପାଇଁ ତାଙ୍କର ପୋଷାକ ରଖି ଦେଇଥିଲା। ପୀଡ଼ିତା ବାଥ୍‌ରୁମକୁ ଯିବା ବାହାନାରେ ସେଠାରୁ ଖସି ପଳାଇ ଆସିଥିଲେ। ଖାରବେଳନଗର ଥାନା ପିସିଆର ଭ୍ୟାନ୍ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ମହିଳା ଥାନାକୁ ନେଇଥିଲା। ସେଠାରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ମାମଲା(୨୬୭/୨୦୧୪) ରୁଜୁ କରିଥିଲା। ଏହା ପରେ ଡାକ୍ତରୀମାଇନା କରାଯିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲା ପୁଲିସ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୁରେଶ କୁମାର ବାରିକ ମାମଲା ପରିଚାଳନା କରୁଥିଲେ।

Share Now:

Kalinga News Beuro

Next Post

୪ ବର୍ଷର ଲଢେଇ ପରେ ଭଙ୍ଗା ହେଲା ମହିମା ଢାବା : ସ୍କ୍ୱାଡ୍‌କୁ ୪ ଘଣ୍ଟା ଅଟକାଇଦେଲେ ଶତାଧିକ ମହିଳା

Fri Nov 26 , 2021
ଭୁବନେଶ୍ୱର : ୪ ବର୍ଷର ଲମ୍ବା ଅଦାଲତି ଲଢ଼େଇ ପରେ ନୂଆପଲ୍ଲୀ ମହିମା ଢାବା ଉଚ୍ଛେଦ ମାମଲାରେ ବିଏମ୍‌ସି ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡିୟମ୍ ଗେଟ୍‌ ନମ୍ବର-୯ ନିକଟରେ ସରକାରୀ ଜମିରେ ଥିବା ଏହି ଢାବାକୁ ଗୁରୁବାର ବିଏମ୍‌ସି ଭାଙ୍ଗିବାରେ ସଫଳ ହୋଇଛି। ତେବେ କୋର୍ଟରୁ ଅନୁମତି ପାଇବା ସତ୍ତ୍ବେ ଜବରଦଖଲ ସ୍କ୍ୱାଡ୍‌କୁ ଶତାଧିକ ମହିଳା ୪ ଘଣ୍ଟା ଅଟକାଇ ଦେବା ଥିଲା ଆଜିର ଉଚ୍ଛେଦ ସମୟର ଉଲ୍ଲେଖନୀୟ ଘଟଣା। […]
ଭଙ୍ଗା ହେଲା ମହିମା ଢାବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial